28.1 C
Bhubaneswar
Thursday, February 5, 2026
Homeଓଡିଶାଅଧିକାର ସୁରକ୍ଷିତ ହେଲେ ସମାଜ ସମୃଦ୍ଧ ହୁଏ: ରାଜ୍ୟପାଳ

ଅଧିକାର ସୁରକ୍ଷିତ ହେଲେ ସମାଜ ସମୃଦ୍ଧ ହୁଏ: ରାଜ୍ୟପାଳ

ଭୁବନେଶ୍ୱର: ଅଧିକାର ସୁରକ୍ଷିତ ହେଲେ ସାମାଜ ସୁଦୃଢ଼ ହୁଏ ବୋଲି ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି କହିଛନ୍ତି । ବୁଧବାର ଦିନ ଓଡ଼ିଶା ମାନବିକ ଅଧିକାର ଆୟୋଗ ଆନୁକୂଲ୍ୟରେ ସମ୍ବଲପୁରଠାରେ ଆୟୋଜିତ ବିଶ୍ଵ ମାନବାଧିକାର ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଲ ଏହା କହିବା ସହିତ ମାନବାଧିକାରକୁ ବଜାୟ ରଖିବା ପାଇଁ ସାମୂହିକ ପ୍ରତିବଦ୍ଧତା ପାଇଁ ଆହ୍ୱାନ ଜଣାଇଛନ୍ତି । ଏହି ସମାରୋହରେ ଉଦବୋଧନ ଦେଇ ଅଧିକାରଗୁଡ଼ିକ କେବଳ ଆଇନ ମାଧ୍ୟମରେ ନୁହେଁ ବରଂ ନାଗରିକ, ଅନୁଷ୍ଠାନ ଏବଂ ଗୋଷ୍ଠୀମାନଙ୍କର ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ବିକଶିତ ହେବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି। ନିଜ ଉଦବୋଧନରେ ରାଜ୍ୟପାଳ କହିଛନ୍ତି ଯେ ବିଶ୍ୱ ମାନବାଧିକାର ଦିବସ ଏକ ସ୍ମରଣକାରୀ ଦିବସ ଭାବରେ କାର୍ଯ୍ୟ କରେ ଯାହା ସମସ୍ତଙ୍କ ପାଇଁ ନ୍ୟାୟ ଉପଲବ୍ଧ କରାଇବା, ସମାଜରେ ଭେଦଭାବର କୌଣସି ସ୍ଥାନ ନ ରହିବା ଏବଂ ପ୍ରତ୍ୟେକ ବ୍ୟକ୍ତିକୁ ସମ୍ମାନର ସହିତ ବଞ୍ଚିବାର ସୁଯୋଗ ମିଳିବା ଆବଶ୍ୟକ ବୋଲି ସ୍ମରଣ କରାଇଦିଏ। ଚଳିତ ବର୍ଷର ବିଷୟବସ୍ତୁ “ମାନବାଧିକାର ଆମର ଦୈନନ୍ଦିନ ଆବଶ୍ୟକତା” ଉପରେ ଆଲୋକପାତ କରି ଶିକ୍ଷା, ଅଭିବ୍ୟକ୍ତିର ସ୍ୱାଧୀନତା, ନିରାପଦ କାର୍ଯ୍ୟ ପରିବେଶ, ଖାଦ୍ୟ, ପାଣି, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଭଳି ଅଧିକାର ମାନବିକ ମର୍ଯ୍ୟାଦାର ମୂଳଦୁଆ ଗଠନ କରେ ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ। ଯେତେବେଳେ ଏହି ଅଧିକାରଗୁଡ଼ିକୁ ବଜାୟ ରଖାଯାଏ ସମାଜ ସମୃଦ୍ଧ ହୁଏ; ଯେତେବେଳେ ପ୍ରତ୍ୟାଖ୍ୟାନ କରାଯାଏ ସମାଜରେ ଅବକ୍ଷୟ ଦେଖାଯାଏ ବୋଲି ରାଜ୍ୟପାଳ କହିଥିଲେ।

୧୯୪୮ ମସିହାରେ ମାନବାଧିକାରର ଘୋଷଣାନାମା (UDHR) ଗ୍ରହଣକୁ ମନେ ପକାଇ ରାଜ୍ୟପାଳ କହିଥିଲେ ଯେ ଏହା ମାନବ ସଭ୍ୟତାରେ ଏକ ମୋଡ଼ ପରିବର୍ତ୍ତନ କରିଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ମର୍ଯ୍ୟାଦା, ସ୍ୱାଧୀନତା, ସମାନତା ଏବଂ ନ୍ୟାୟକୁ ନିଶ୍ଚିତ କରୁଛି। ମାନବାଧିକାର ପରିଷଦ ଏବଂ ୟୁନିଭର୍ସାଲ ପିରିଅଡ଼ିକ ରିଭ୍ୟୁ, ସ୍ୱତନ୍ତ୍ର ସମ୍ମିଳନୀ ଏବଂ ଉତ୍ତରଦାୟିତ୍ୱ ବ୍ୟବସ୍ଥା ମାଧ୍ୟମରେ ଏକ ଦୃଢ଼ ବିଶ୍ୱ ମାନବାଧିକାର ଢାଞ୍ଚା ନିର୍ମାଣ ପାଇଁ ଜାତିସଂଘକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି। ବିଶ୍ୱସ୍ତରରେ ଭାରତର ଭୂମିକା ଉପରେ ଆଲୋକପାତ କରି ରାଜ୍ୟପାଳ କହିଛନ୍ତି ଯେ ଦେଶ ୟୁନିଭର୍ସାଲ ଡିକ୍ଲାରେସନ ଅଫ ହ୍ୟୁମାନ ରାଇଟ୍ସ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି । ଭାରତ ପ୍ରାରମ୍ଭରୁ ବର୍ଣ୍ଣବୈଷମ୍ୟ ଭଳି ପ୍ରସଙ୍ଗ ଉଠାଇଛି ଏବଂ ଜାତିସଂଘ ଶାନ୍ତିରକ୍ଷା କାର୍ଯ୍ୟରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା, ଗୃହ, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସୁଗମତା ସୁନିଶ୍ଚିତ କରିବା ଯୋଜନା ମାଧ୍ୟମରେ ମାନବାଧିକାରକୁ ସୁଦୃଢ଼ କରିଛି। ପିଏମଜିକେଏୱାଇ (PMGKAY) , ପିଏମଏୱାଇ (PMAY), ଜଳ ଜୀବନ ମିଶନ, ଆୟୁଷ୍ମାନ ଭାରତ ଏବଂ ସୁଗମ୍ୟ ଭାରତ ଅଭିଯାନ ଭଳି ପଦକ୍ଷେପ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଶୈଳୀକୁ ଉନ୍ନତ କରିଛି।

ଓଡ଼ିଶା ମାନବାଧିକାର ଆୟୋଗର ମାନ୍ୟବର ଅଧ୍ୟକ୍ଷ ଶ୍ରୀ ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କ ନେତୃତ୍ୱରେ ଆୟୋଗର କାର୍ଯ୍ୟକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ସ୍ୱତଃସ୍ଫୁର୍ତ୍ତ ଭାବେ ଅଭିଯୋଗର ପଞ୍ଜିକରଣ କରିବା, ଅଭିଯୋଗର ତୁରନ୍ତ ସମାଧାନ ଏବଂ ଦୁର୍ବଳ ଗୋଷ୍ଠୀକୁ ସୁରକ୍ଷା ଦେବା ପାଇଁ ଆୟୋଗର ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଖାଦ୍ୟ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତିକରଣ ଏବଂ ଆଦିବାସୀ କଲ୍ୟାଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଥିଲେ। ଓଡ଼ିଶା ମାନବାଧିକାର ଆୟୋଗର ମାନ୍ୟବର ଅଧ୍ୟକ୍ଷ ଶ୍ରୀ ଜଷ୍ଟିସ ଶତ୍ରୁଘନ ପୂଜାହାରୀ, ମାନବାଧିକାର କର୍ମୀ ତଥା ରମନ ମାଗାସେସେ ପୁରସ୍କାର ବିଜେତା ବେଜୱାଡା ୱିଲସନ ଏବଂ ପୂର୍ବତନ ଡିଜିପି ତଥା ଓପିଏସସିର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ସତ୍ୟଜିତ ମହାନ୍ତି ଏହି ସମାରୋହରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଓଡ଼ିଶା ମାନବାଧିକାର ଆୟୋଗର ମାନ୍ୟବର ସଦସ୍ୟ ଅସୀମ ଅମିତାଭ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମାନବାଧିକାର ଆୟୋଗର ମାନ୍ୟବର ସଦସ୍ୟ ଚିତ୍ତରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦାର ମଞ୍ଚାସୀନ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking