ଭୁବନେଶ୍ୱର: ସାମାଜିକ ସମାନତା ହିଁ ବିକଶିତ ଓଡ଼ିଶାର ମୂଳପିଣ୍ଡ । ଉତ୍ତରପିଢିକୁ ଏକ କୁପ୍ରଥା ବିହୀନ ସୁସ୍ଥ ସମାଜ ପ୍ରଦାନ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି। ଆଜି ଭୁବନେଶ୍ଵରସ୍ଥିତ ରାଜ୍ୟ ସମ୍ମେଳନ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଡାହାଣୀ ସନ୍ଦେହରେ ନିର୍ଯାତନା ଓ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ଓଡ଼ିଶାର ଗ୍ରାମୀଣ ଅର୍ଥନୀତି ମହିଳା କେନ୍ଦ୍ରିକ । ଶିକ୍ଷା ଓ ସଚେତନତା ମାଧ୍ୟମରେ ହିଁ ଆମେ ରାଜ୍ୟରେ ଡାହାଣୀ ପ୍ରଥା ଓ ବାଲ୍ୟ ବିବାହ ବିରୋଧରେ ଲଢିପାରିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତବ୍ୟକ୍ତ କରିଛନ୍ତି । ରାଜ୍ୟର ଗାଁ ଗାଁ ଘରେ ଘରେ ବୁଲି ଅଧିକାରୀମାନେ ଏହି ସବୁ ଅନ୍ଧବିଶ୍ଵାସ ବିରୋଧରେ ସଚେତନତା ସୃଷ୍ଟି କରିବାକୁ ସେ ଆହ୍ଵାନ ଦେଇଥିଲେ । କେବଳ କର୍ତ୍ତବ୍ୟ ଭାବି ନୁହେଁ ମାନବିକତା ଦୃଷ୍ଟିରେ ସମସ୍ତ ଅଧିକାରୀମାନଙ୍କୁ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ ।କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ଅତିରିକ୍ତ ସଚିବବୃନ୍ଦ ଓ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ୩୧୪ଟି ବ୍ଲକ ଉନ୍ନୟନ ଅଧିକାରୀବୃନ୍ଦ, ୩୦ଟି ଜିଲ୍ଲା ଶିକ୍ଷା ଅଧିକାରୀ, ପ୍ରକଳ୍ପ ଅଧିକାରୀ (PO-cum-PO), ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ( CDPO), ଜିଲ୍ଲା ସଂଯୋଜକ (DHEW) ପ୍ରମୁଖ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଆଇନ ପ୍ରଣୟନ ସହ ଜନସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ବିଭାଗୀୟ ଯୋଜନା ଉପରେ ଆଲୋକପାତ କରିବା ସହ ସମସ୍ତଙ୍କ ସହଯୋଗରେ ଏହିଭଳି ଅସାମାଜିକ ପ୍ରଥା ସହ ଲଢେଇ କରିପାରିବା ବୋଲି ସେ ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଆଇନଜୀବି ଓ ସମାଜସେବୀ ମାନସୀ ପାଢୀ ପ୍ରଥମ ଭାଗରେ ଓ ସମାଜସେବୀ ବେଣୁଧର ସେନାପତି ଦ୍ଵିତୀୟ ଭାଗରେ ଓଡ଼ିଶା ଡାହାଣୀ ପ୍ରଥା ନିବାରଣ ଆଇନ – ୨୦୧୩ ଏବଂ ବାଲ୍ୟ ବିବାହ ନିଷେଧ ଆଇନ – ୨୦୦୬ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ସ୍ଵାଗତ ଭାଷଣ ରଖିବା ସହ ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀମତୀ ସୁମିତ୍ରା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।










