26.1 C
Bhubaneswar
Tuesday, September 17, 2024
Homeଓଡିଶାଏପ୍ରିଲ୍ ୧ରୁ ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ “ପଖାଳ ଉତ୍ସବ” ଆରମ୍ଭ

ଏପ୍ରିଲ୍ ୧ରୁ ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ “ପଖାଳ ଉତ୍ସବ” ଆରମ୍ଭ

ଭୁବନେଶ୍ୱର, : ଓଡିଶାର ପାରମ୍ପରିକ ଖାଦ୍ୟ “ପଖାଳ” ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଘରେ ବେଶ ଆଦୃତ ଓ
ପ୍ରିୟ ଖାଦ୍ୟ । ଯଦିଓ ଖରାଦିନେ ଏହା ଖାଇବାକୁ ବେଶି ଭଲ ଲାଗେ ତେବେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବର୍ଷକ ବାର ମାସ
ଲୋକମାନେ ପଖାଳ ଖାଇବାକୁ ଭଲ ପାଇଥାନ୍ତି ।
ଏହି ଖାଦ୍ୟକୁ ଅଧିକ ମାତ୍ରାରେ ପ୍ରସାରିତ ଓ ଆଦୃତ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍
ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପକ୍ଷରୁ ଶିକ୍ଷା ଅନୁଷ୍ଠାନରେ ଏପ୍ରିଲ୍ ୧ ରୁ ୬ ତାରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପି “ପଖାଳ
ଉତ୍ସବ”ର ଆୟୋଜନ କରାଯାଇଛି ।
ଏହି ଉତ୍ସବରେ ଅତିଥିମାନଙ୍କୁ ପଖାଳ ସହିତ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନ ପରିବେଷଣ କରାଯିବ ।
ଓଡିଶାର ଗ୍ରାମୀଣ ସଂସ୍କୃତି, ପରମ୍ପରା, ଖାଦ୍ୟରୁଚି, ଜୀବନଚର୍ଯ୍ୟା ତଥା କଳା କୌଶଳର ଏକ ଜୀବନ୍ତ ରୁଚିର ଉପସ୍ଥାପନା ଏହି
ପଖାଳ ଉତ୍ସବରେ ଦେଖିବାକୁ ମିଳିବ ।
ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟର ଆଡଭାଇଜର ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କ ତତ୍ୱାବଧାନ ଓ ସମସ୍ତ
ଫାକଲ୍ଟି ମେମ୍ବର, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ପ୍ରତ୍ୟେକ ବର୍ଷ ଏହି ପଖାଳ ଉତ୍ସବ ପାଳନ ହୋଇଆସୁଥିବା
ବେଳେ ଗତ ୨ବର୍ଷ ଧରି କୋଭିଡ ମହାମାରୀ ଯୋଗୁଁ ଏହି ଉତ୍ସବକୁ ସ୍ଥଗିତ ରଖାଯାଇଥିଲା ।
ପାରମ୍ପରିକ ବ୍ୟଞ୍ଜନ ପରିବେଷଣ ସହିତ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପ୍ରତ୍ୟେକ ଓଡିଆଙ୍କ ଖାଦ୍ୟରୁଚି
ତଥା ଓଡିଆଙ୍କ ଭାବଧାରାକୁ ସର୍ବସାଧାରଣଙ୍କ ନିକଟରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ହେଉଛି ଏହି ପଖାଳ ଉତ୍ସବ ଆୟୋଜନର
ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଫେସର ମିଶ୍ର କହିଛନ୍ତି ।
ଅତିଥିମାନଙ୍କୁ ଏସ୍‌ଏଚ୍‌ଏମ୍ ର ରେଷ୍ଟୁରାଂଟ ପରିସରରେ ୬ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ପଖାଳ ଉତ୍ସବରେ
ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପଖାଳ ପରସା ଯିବ । ଏହାର ମୂଲ୍ୟ ୨୦୦ ଟଙ୍କା ରଖାଯାଇଛି ।
ଏହି ପଖାଳ ଉତ୍ସବରେ ପାରମ୍ପରିକ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଲେମ୍ବୁ ପଖାଳ, ଆମ୍ବ ପଖାଳ ସହିତ
ପଖାଳ ଭାତକୁ ସୁହାଇଲା ଭଳି ବିଭିନ୍ନ ପ୍ରକାର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି – ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା,
ଖଇଙ୍ଗା ଶୁଖୁଆ ଭଜା, ଛତୁ ପତ୍ର-ପୋଡା, ଆଳୁ ଭଜା, ବାଇଗଣ ଭରତା, ଗୋଟା କଲରା ଭଜା, କଖାରୁ ଫୁଲ ପିଠଉ, ଶାଗ ବଡି
ଭଜା ଓ ବଡି ଚୁରା ପରିବେଷଣ କରାଯିବ ।
ଓଡିଶା ର ଜନସାଧାରଣଙ୍କ ଖାଦ୍ୟ ରୁଚିକୁ ଲକ୍ଷ୍ୟ କରି ମିଠା ପାନ ପରିବେଷଣର ବ୍ୟବସ୍ଥା ମଧ୍ୟ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking