23.1 C
Bhubaneswar
Sunday, March 22, 2026
Homeଓଡିଶାଶିକ୍ଷା ସହିତ ଦକ୍ଷତା ବିକାଶର ସମନ୍ୱୟ ହେବା ଆବଶ୍ୟକ – ରାଜ୍ୟପାଳ

ଶିକ୍ଷା ସହିତ ଦକ୍ଷତା ବିକାଶର ସମନ୍ୱୟ ହେବା ଆବଶ୍ୟକ – ରାଜ୍ୟପାଳ

ଭୁବନେଶ୍ୱର: ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କର୍ମଶକ୍ତି ସୃଷ୍ଟି କରିବା ପାଇଁ ଶିକ୍ଷା ସହିତ ଦକ୍ଷତା ବିକାଶର ସମନ୍ୱୟ ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ଚଳିତ ମଇ ୧୬ ତାରିଖ ଦିନ ସ୍କିଲ ଡେଭଲପ୍‌ମେଂଟ ଇନ୍‌ଷ୍ଟିଚ୍ୟୁଟ, ଭୁବନେଶ୍ୱରଠାରେ “ସ୍କିଲ ଅନ୍ ହ୍ୱିଲ୍‌”ର ଶୁଭାରମ୍ଭ କରିବା ସହିତ ଜାତୀୟ ଦକ୍ଷତା ବିକାଶ ପରିଷଦ ସହଯୋଗରେ ସ୍ଥାପିତ ଇଂଟରନେସ୍‌ନାଲ ସେଂଟରର ଉଦ୍‌ଘାଟନ କରି ରାଜ୍ୟପାଳ ଏହା କହିଛନ୍ତି। ଏହି ଉପଲକ୍ଷେ ଏସ.ଡି.ଆଇ. ପ୍ରେକ୍ଷାଳୟଠାରେ ଆୟୋଜିତ ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଜାତୀୟ ଶିକ୍ଷା ନୀତି – ୨୦୨୦ରେ ଉଚ୍ଚ ଶିକ୍ଷା ସହିତ ଦକ୍ଷତା ବିକାଶକୁ ସମନ୍ୱିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି। ଆଜିର ଜଗତୀକରଣ ବିଶ୍ୱରେ ଉତ୍ପାଦକତା ବୃଦ୍ଧି, ଆର୍ଥିକ ଅଭିବୃଦ୍ଧି ଏବଂ ସମାଜକୁ ସଶକ୍ତ କରିବା ପାଇଁ ଦକ୍ଷତା ବିକାଶ ଅତ୍ୟନ୍ତ ଜରୁରୀ। ଦକ୍ଷତା ବିକାଶରେ ଉଦ୍ୟୋମିତା ପାଇଁ ସହଯୋଗ ଓ ସମର୍ଥନ ଅନ୍ତର୍ଭୂକ୍ତ ହେବା ଉଚିତ୍‌।

ଅନୁଷ୍ଠାନଗୁଡ଼ିକ ମଧ୍ୟ ବୈଷୟିକ ଦକ୍ଷତା ଶିକ୍ଷା ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ବ୍ୟବସାୟ ଆରମ୍ଭ କରିବା, ପାଣ୍ଠି ଯୋଗାଡ କରିବା ଏବଂ ସୁଯୋଗ ଖୋଜିବା ବିଷୟରେ ମାର୍ଗଦର୍ଶନ କରିବା ଆବଶ୍ୟକ ବୋଲି ରାଜ୍ୟପାଳ କହିଥିଲେ। ବାଲ୍ୟକାଳରୁ ପିଲାଙ୍କୁ ବୃତ୍ତିଗତ ଶିକ୍ଷା ପ୍ରଦାନ ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରି କହିଥିଲେ ଯେ, ପିଲାମାନେ ବୟସ୍କଙ୍କ ତୁଳନାରେ ଶୀଘ୍ର ଶିଖନ୍ତି ଏବଂ ପାଠ୍ୟକ୍ରମର ଏକ ଅଂଶ ଭାବେ ସେମାନଙ୍କୁ ବୃତ୍ତିଗତ ତାଲିମ ସହିତ ପରିଚିତ କରାଇବା ଉଚିତ୍‌। ସ୍କିଲ ଇଣ୍ଡିଆ ମିଶନ ସଂପର୍କରେ ରାଜ୍ୟପାଳ ଅବତାରଣା କରି ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହେଇଥିବା ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏ ଦିଗରେ ଓଡିଶାର ଅବଦାନକୁ ପ୍ରଶଂସା କରିଥିଲେ। ଓଡିଶା ଦକ୍ଷତା ବିକାଶ ଏବଂ ନିଯୁକ୍ତିର ହବ୍ ଭାବେ ଉଭା ହେଉଥିବାରୁ ରାଜ୍ୟପାଳ ଖୁସି ପ୍ରକଟ କରିଥିଲେ। ଇଂଜିନିୟରିଂ, ପଲିଟେକ୍‌ନିକ ଏବଂ ଆଇ.ଟି.ଆଇ ଛାତ୍ରଛାତ୍ରୀଙ୍କ ପାଇଁ ଫିନିସିଂ ସ୍କୁଲ ଭାବରେ ସ୍କିଲ ଡେଭଲପ୍‌ମେଂଟ ଇନ୍‌ଷ୍ଟିଚ୍ୟୁଟର ଭୂମିକାକୁ ପ୍ରଶଂସା କରିଥିଲେ। ଏନ.ଏସ୍‌.ଡି.ସି. (ଜାତୀୟ ଦକ୍ଷତା ବିକାଶ ପରିଷଦ) ସହଯୋଗରେ ସ୍ଥାପିତ ଇଂଟରନେସନାଲ୍ ସେଂଟର ଯୁବପୀଢ଼ିକୁ ବିଦେଶରେ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟପାଳ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥିଭାବେ ଯୋଗଦେଇ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ବକ୍ତବ୍ୟ ପ୍ରଦାନ କରି ଏହି ଅନୁଷ୍ଠାନ ବୈଷୟିକ ଦକ୍ଷତା ପାଇଁ ଶିକ୍ଷା ପ୍ରଦାନ ସହ ଦାୟିତ୍ୱବାନ ଏବଂ ଦକ୍ଷ ଯୁବପିଢ଼ୀ ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା “ବିକଶିତ ଓଡିଶା – ବିକଶିତ ଭାରତ” ଗଠନ ପାଇଁ ଅବଦାନ ରଖିବ ବୋଲି କହିବା ସହିତ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସରକାରଙ୍କ ତରଫରୁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ ବକ୍ତବ୍ୟ ପ୍ରଦନା କରି ଯୁବ ବର୍ଗ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ଭରପୁର ସୁଯୋଗ ନେବା ସହିତ ବାର୍ତ୍ତାବହ ହେବାକୁ ଆହ୍ୱାନ ଜଣାଇଥିଲେ। ସ୍କିଲ ଡେଭଲେପ୍‌ମେଂଟ ଇନ୍‌ଷ୍ଟିଚ୍ୟୁଟର ଅଧ୍ୟକ୍ଷା ରଶ୍ମୀ ଗୋଭିଲ ଏହି ସମାରୋହରେ ସ୍ୱାଗତ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ସ୍କିଲ ଡେଭଲେପ୍‌ମେଂଟ ଇନ୍‌ଷ୍ଟିଚ୍ୟୁଟର କର୍ମକର୍ତ୍ତାମାନେ ପ୍ରତିଷ୍ଠାନର କାର୍ଯ୍ୟଧାରା,ପାଠ୍ୟକ୍ରମ, ଛାତ୍ରଛାତ୍ରୀ ଏବଂ ଭବିଷ୍ୟତ ଯୋଜନା ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମ ପରେ ରାଜ୍ୟପାଳ ପ୍ରତିଷ୍ଠାନର ପରିସର ଏବଂ ବିଭିନ୍ନ ବିଭାଗର ଲାବରାଟୋରୀ ପରିଦର୍ଶନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking