ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ର ଫାଷ୍ଟ୍ ବୋଲର୍ ସିଦ୍ଧାର୍ଥ କୌଲ୍ ସନ୍ନ୍ୟାସ ଘୋଷଣା କରିଛନ୍ତି। ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ରେ ଭାରତରେ ସମସ୍ତ ଫର୍ମାଟରୁ ଅବସର ନେବା ସମ୍ପର୍କରେ ସିଦ୍ଧାର୍ଥ ଜଣାଇଛନ୍ତି। ଟିମ୍ ଇଣ୍ଡିଆ ପକ୍ଷରୁ ୩ଟି ଦିନିକିଆ ଓ ୩ଟି ଟି-୨୦ରେ ପ୍ରତିନିଧିତ୍ୱ କରିଥିବା ସିଦ୍ଧାର୍ଥ ଆଇପିଏଲ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ (ଏସ୍ଆରଏଚ୍) ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ସମେତ ବହୁ ଟିମ୍ ପକ୍ଷରୁ ଖେଳିଛନ୍ତି। ନିକଟରେ ଶେଷ ହୋଇଥିବା ମେଗା ଅକ୍ସନ୍ରେ ତାଙ୍କୁ କୌଣସି ଟିମ୍ କିଣିନଥିଲେ। ବିରାଟ କୋହଲିଙ୍କ ନେତୃତ୍ୱରେ ଅଣ୍ଡର-୧୯ ବିଶ୍ୱକପ୍ ବିଜେତା ଟିମ୍ ଇଣ୍ଡିଆର ସିଦ୍ଧାର୍ଥ ସଦସ୍ୟ ଥିଲେ। ୨୦୧୮ରେ ସେ ସିନିୟର୍ ଟିମ୍ ପକ୍ଷରୁ ଦିନିକିଆ ଓ ଟି-୨୦ ଡେବ୍ୟୁ କରିଥିଲେ। ଦିନିକିଆରେ ତାଙ୍କୁ କୌଣସି ୱିକେଟ୍ ମିଳିନଥିବା ବେଳେ ତିନି ଟି-୨୦ରେ ସେ ୪ଟି ୱିକେଟ୍ ହାସଲ କରିଥିଲେ। ୨୦୧୮ରେ ଆଫଗାନିସ୍ତାନ ବିପକ୍ଷରେ ଶେଷ ଦିନିକିଆ ଅନ୍ତର୍ଜାତୀୟ ଏବଂ ୨୦୧୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତିମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।