23.1 C
Bhubaneswar
Wednesday, January 15, 2025
Homeଓଡିଶାଶ୍ରୀମନ୍ଦିର ପ୍ରଶାସନ ଏବଂ ଦଇତାପତି ନିଯୋଗ ମୁହାଁ ମୁହିଁ

ଶ୍ରୀମନ୍ଦିର ପ୍ରଶାସନ ଏବଂ ଦଇତାପତି ନିଯୋଗ ମୁହାଁ ମୁହିଁ

ପୁରୀ: ଶେଷ ହୋଇଛି ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୪ । ତେବେ ରଥଯାତ୍ରାରେ ବିଶୃଙ୍ଖଳା କରିଥିବା ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ବାହୁଡା଼ ଯାତ୍ରାରେ ରଥ ଉପରେ ଅନଧିକୃତ ସେବାୟତ ଚଢ଼ିବାକୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଅଣ ସେବାୟତଙ୍କୁ ରଥରେ ଚଢାଇବା ପାଇଁ ସହଯୋଗ କରିଥିବା ଜଣେ ବରିଷ୍ଠ ଦଇତାପତି ସେବାୟତଙ୍କ ବିରୋଧରେ ଗତକାଲି କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ତଥା ସାତ ଦିନ ଭିତରେ ଏହାର ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଚୁଡାନ୍ତ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଉକ୍ତ ସେବାୟତଙ୍କ ପ୍ରାପ୍ୟ ପାଉଣା ବନ୍ଦ ପାଇଁ ଦଇତାପତି ନିଯୋଗର ସମ୍ପାଦକଙ୍କୁ ଚିଠିରେ ଅବଗତ କରାଯାଇଛି । ସେପଟେ ଦଇତାପତି ନିଯୋଗ ସହ ଆଲୋଚନା କରାନଯାଇ ଏଭଳି ନୋଟିସ ଜାରି ହେବା ନିଷ୍ପତ୍ତିକୁ ନିନ୍ଦା କରିଛି ନିଯୋଗ ।
ବାହୁଡା଼ ଯାତ୍ରାରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଉପରେ ଅନଧିକୃତ ସେବାୟତ ଚଢ଼ିବା ଘଟଣାକୁ ନେଇ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଉକ୍ତ ଅନଧିକୃତ ସେବାୟତଙ୍କୁ ରଥରେ ଚଢାଇବା ପାଇଁ ସହଯୋଗ କରିଥିବା ଜନୈକ ବରିଷ୍ଠ ଦଇତାପତି ସେବାୟତ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ରଥଯାତ୍ରାର ସମସ୍ତ ନିୟମାବଳୀ କୁ ଉଲ୍ଲଂଘନ କରି ଅଣ ସେବାୟତଙ୍କୁ ଜଣେ ଦଇତାପତି ସେବାୟତ ରଥରେ ଚଢାଇବା ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ରଥଯାତ୍ରାର ନିୟମାବଳୀ ଉଲଘଂନ କରାଯାଇଥିବାରୁ ଉକ୍ତ ଦଇତାପତି ସେବାୟତଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନ ନିଆଯିବ ସେନେଇ ସାତ ଦିନ ଭିତରେ ଉତ୍ତର ଦେବାକୁ ନୋଟିସ ଜାରି କରାଯାଇଛି । ସେହିପରି ଏ ସଂକ୍ରାନ୍ତରେ କୌଣସି ଚୁଡାନ୍ତ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଉକ୍ତ ଦଇତାପତି ସେବାୟତଙ୍କ ସମସ୍ତ ପ୍ରାପ୍ୟ ପାଉଣା ସ୍ଥଗିତ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଚିଠି କରାଯାଇଛି । ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୋଟିସ ନିଯୋଗ ସମ୍ପାଦକ ଙ୍କ ନିକଟରେ ପହଞ୍ଚିନଥିବା ବେଳେ ଚିଠି ଆସିବା ପରେ ଏ ସଂକ୍ରାନ୍ତରେ ଦଇତାପତି ନିଯୋଗ ସହ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଥିଲେ ନିଯୋଗ ସମ୍ପାଦକ ଓ ବରିଷ୍ଠ ଦଇତାପତି ସେବାୟତ ।
ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନୋଟିସ ଜାରି ହୋଇଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ବିରୋଧ କରିଛନ୍ତି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ଓ ସେବାୟତ ବିନାୟକ ଦାସ ମହାପାତ୍ର । ବିନାୟକ ଦାସ ମହାପାତ୍ର କହିଛନ୍ତି ପ୍ରତିବର୍ଷ ରଥଯାତ୍ରା ରେ ଦଇତାପତି ଙ୍କୁ ସହାୟକ ପାସ୍ ଜାରି କରାଯାଇଥାଏ । ସହାୟକ ମାନେ ବିଭିନ୍ନ କାର୍ଯ୍ୟରେ ଦଇତାପତି ମାନଙ୍କୁ ସହଯୋଗ କରିଥାନ୍ତି । ଏଣୁ ଯେଉଁ ବ୍ୟକ୍ତି ସୁଭଦ୍ରାଙ୍କ ରଥ ଉପରେ ଚଢିଥିଲେ ତାଙ୍କ ନିକଟରେ ସହାୟକ ପାସ୍ ଥିଲା । ତେଣୁ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସହାୟକ ପାସ୍ ଉକ୍ତ ବ୍ୟକ୍ତିଙ୍କ ପାଖରେ ଥିବାବେଳେ ଏହାକୁ ନେଇ ଜନୈକ ଦଇତାପତିଙ୍କୁ ନୋଟିସ ଜାରି କରିବା ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଠିକ୍ ନୁହେଁ ବୋଲି ବରିଷ୍ଠ ଦଇତାପତି ତଥା ନିଯୋଗର ସମ୍ପାଦକ କହିଛନ୍ତି । ଏହି ପ୍ରସଙ୍ଗରେ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ କୌଣସି ଆଲୋଚନା ନକରି ଏକପାଖିଆ ଭାବେ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ୍ ଜାରି କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ । ତେବେ ଆଗକୁ ଚିତାଲାଗି ଅମାବାସ୍ୟା ନୀତି ଥିବାବେଳେ ଏହା ପୂର୍ବରୁ ଦଇତାପତି ନିଯୋଗର ବୈଠକ ବସି ଏହି ନୋଟିସ ଉପରେ ଆଲୋଚନା ହେବ । ରଥଯାତ୍ରା ରେ ଦଇତାପତି ନିଯୋଗ ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଏଭଳି ଏକ ଛୋଟ ଘଟଣାକୁ ନେଇ ଦଇତାପତି ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ନିଷ୍ପତ୍ତି ଠିକ୍ ନୁହେଁ ଏବଂ ଏହାର ତୁରନ୍ତ ପ୍ରତ୍ୟାହାର ନେଇ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାବି କରାଯିବ ବୋଲି କହିଛନ୍ତି ବିନାୟକ ଦାସ ମହାପାତ୍ର । ରଥ ଉପରେ ଅଣ ସେବାୟତ ଚଢ଼ିବା ପ୍ରସଙ୍ଗକୁ ନେଇ ଏବେ ଶ୍ରୀମନ୍ଦିର ପ୍ରଶାସନ ଏବଂ ଦଇତାପତି ନିଯୋଗ ମୁହାଁ ମୁହିଁ ହୋଇଥିବା ବେଳେ ଏନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି । ଏବେ ଦେଖିବାର ଅଛି ବିଶୃଙ୍ଖଳା ସୃଷ୍ଟି କରିଥିବା ଦଇତାପତି ସେବାୟତଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁଛି ନା ସେବାୟତଙ୍କ ଚାପରେ ମୁଣ୍ଡ ନୁଆଁଉଛି ତା ଉପରେ ସମସ୍ତଙ୍କର ନଜର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking