କିଭ୍: ୟୁକ୍ରେନ ଏବଂ ରୁଷ୍ ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ଆମେରିକା ଓ ଚୀନ୍ର ପ୍ରୟାସ ସାମ୍ପ୍ରତିକ ସମୟରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସାଉଦିଆରବରେ ଏହି ପ୍ରସଙ୍ଗରେ ରୁଷ୍ ଏବଂ ଆମେରିକା ମଧ୍ୟରେ ଆଲୋଚନା ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏସବୁ ମଧ୍ୟରେ ୟୁକ୍ରେନ୍ ସରକାର ନିଜ ଦେଶର ସୁରକ୍ଷା ଗ୍ୟାରେଣ୍ଟି ଦେବାକୁ ଜୋର୍ ଦେଉଛନ୍ତି। ଏହିକ୍ରମେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ୧ ଲକ୍ଷ ସୈନିକଙ୍କୁ ନେଇ ଏକ ଶାନ୍ତି ସେନା ଗଠନ ଏବଂ ରୁଷ-ୟୁକ୍ରେନ୍୍ ସୀମାରେ ଏହାର ମୁତୟନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ପ୍ରକାଶ, ନାଟୋ ସଦସ୍ୟତା ପାଇବା ପାଇଁ ୟୁକ୍ରେନର ପ୍ରୟାସକୁ ଆମେରିକା ପ୍ରତ୍ୟାଖ୍ୟାନ କରିବା ପରେ ଜେଲେନ୍ସ୍କିଙ୍କ ଏପ୍ରକାର ଏକ ପ୍ରସ୍ତାବ ଆସିଛି। ଆମେରିକା ମଧ୍ୟ ୟୁକ୍ରେନରେ ନିଜର ସୈନ୍ୟ ମୁତୟନ କରିବାକୁ ମନା କରିଦେଇଛି। ଏପରି ପରିସ୍ଥିତିରେ, ଜେଲେନସ୍କି ସୁରକ୍ଷାର ବିକଳ୍ପ ଗ୍ୟାରେଣ୍ଟି ଖୋଜୁଛନ୍ତି। ସୁତରାଂ ଏବେ ଏକ ବଡ଼ ପ୍ରଶ୍ନ ହେଉଛି ଯେ, ଆମେରିକାର ପ୍ରତ୍ୟାହାର ପରେ କେବଳ ୟୁରୋପ କ’ଣ ଏତେ ବଡ଼ ଶାନ୍ତି ବାହିନୀକୁ ସଂଗଠିତ କରିପାରିବ?
ରିପୋର୍ଟ ଅନୁସାରେ ଆମେରିକାର ନବଗଠିତ ଟ୍ରମ୍ପ୍ ସରକାର ସ୍ପଷ୍ଟ କରିସାରିଛି ଯେ, ଆମେରିକୀୟ ସେନା ୟୁକ୍ରେନରେ କୌଣସି ସୁରକ୍ଷା ମିଶନରେ ଅଂଶଗ୍ରହଣ କରିବ ନାହିଁ। ସୁତରାଂ ୟୁକ୍ରେନ ପାଇଁ ଏବେ କେବଳ ୟୁରୋପୀୟ ଦେଶଗୁଡ଼ିକରୁ ଶାନ୍ତି ସେନା ପାଇଁ ସୈନିକ ପାଇବା ହିଁ ଏକମାତ୍ର ବିକଳ୍ପ ହୋଇରହିଯାଇଛି। ଯଦି ୟୁରୋପ ୟୁକ୍ରେନକୁ ଏତେ ବଡ଼ ଶାନ୍ତିସେନା ବାହିନୀ ଯୋଗାଏ ତେବେ ଏହା ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଶାନ୍ତିସେନା ଅଭିଯାନ ହେବ। ଜାତିସଂଘ ଅନୁଯାୟୀ, ସମୁଦାୟ ଜାତିସଂଘ ଶାନ୍ତିସେନା ବାହିନୀର ସଂଖ୍ୟା ମାତ୍ର ୯୭,୦୦୦ଅଟେ। ଏହି ଶାନ୍ତିସେନା ୧୨୦ରୁ ଅଧିକ ଦେଶର ସେନାରୁ ନିଆଯାଇଛି। ଏହି ଦେଶଗୁଡ଼ିକ ମଧ୍ୟରେ ନେପାଳ, ବାଂଲାଦେଶ, ଭାରତ ଏବଂ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏପରି ପରିସ୍ଥିତିରେ, ଏହି ଦେଶଗୁଡ଼ିକର ମନୋଭାବ ଉପରେ ମଧ୍ୟ ନଜର ରଖାଯିବ।
ପ୍ରକାଶ, ଜାତିସଂଘ ଶାନ୍ତିରକ୍ଷା ବାହିନୀରେ ସର୍ବାଧିକ ଯୋଗଦାନକାରୀ ହେଉଛନ୍ତି ଦକ୍ଷିଣ ଏସୀୟ ଏବଂ ଆଫ୍ରିକୀୟ ଦେଶ, ଏବଂ ଏହି ଦେଶଗୁଡ଼ିକ ୟୁକ୍ରେନରେ ଶାନ୍ତିରକ୍ଷା ମିଶନ ପାଇଁ ସେମାନଙ୍କର ସୈନ୍ୟ ପଠାଇବା ଅସମ୍ଭବ। କାରଣ ରୁଷିଆ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ। ଏପରି ପରିସ୍ଥିତିରେ, ୟୁକ୍ରେନରେ ଶାନ୍ତି ମିଶନକୁ ଜାତିସଂଘ ଦ୍ୱାରା ନିର୍ଦ୍ଦେଶ ଦିଆଯିବ ନାହିଁ। ଏହା କେବଳ ୟୁରୋପୀୟ ଦେଶଗୁଡ଼ିକର ଉଦ୍ୟମରେ ହୋଇପାରିବ। ଏହାର ଅର୍ଥ ଯଦି ସମସ୍ତ ୟୁରୋପୀୟ ଦେଶ ୟୁକ୍ରେନରେ ନିୟୋଜିତ ପାଇଁ ସେମାନଙ୍କର ସକ୍ରିୟ ସାମରିକ କର୍ମଚାରୀଙ୍କ ୭% ଯୋଗଦାନ କରନ୍ତି, ତେବେ ଜେଲେନସ୍କି ହୁଏତ ୟୁକ୍ରେନ-ରୁଷ୍ ସୀମାରେ ମୁତୟନ କରିବା ପାଇଁ ୧ ଲକ୍ଷ ସୈନିକ ପାଇପାରିବେ।










