ବାଗଦାଦ: ଇରାକ୍ର ଅଲ-କୁଟରେ ଥିବା ଏକ ସୁପରମାର୍କେଟ୍ (ଶପିଂ ମଲ୍)ରେ ହଠାତ୍ ନିଆଁ ଲାଗିଯାଇଥିଲା । ଏହି ସମୟରେ ଶପିଂ ମଲ୍ରେ ଅନେକ ଲୋକ ରହିଥିଲେ ମଧ୍ୟ ଦୌଡାଦୌଡି କରି ବାହାରକୁ ବାହାରିଯିବାରେ ସଫଳ ହୋଇଥିଲେ । ତେବେ ପ୍ରାୟ ୫୦ଜଣ ଦୁର୍ଭାଗ୍ୟବଶତଃ ଶପିଂ ମଲ୍ରୁ ବାହାରିପାରିନଥିଲେ । ଫଳରେ ସେମାନେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ନିଆଁ ଲାଗିବା ସମୟର ଭିଡିଓ ତଥା ଫଟୋଗୁଡ଼ିକ ଏବେ ଭାଇରାଲ୍ ହେବାରେ ଲାଗିଛି । ଏଥିରେ ଏକ ପାଞ୍ଚ ମହଲା ବିଶିଷ୍ଟ କୋଠା (ଶପିଂ ମଲ୍)ଟି ନିଆଁରେ ହୁତୁହୁତୁ ହୋଇ ଜଳୁଥିବା ଦେଖାଯାଉଛି, ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିବାକୁ ପାରୁପର୍ଯ୍ୟନ୍ତ ସଂଘର୍ଷ କରୁଛନ୍ତି । ୱାସିଟ ପ୍ରଦେଶର ରାଜ୍ୟପାଳ ମହମ୍ମଦ ଅଲ-ମିଆହି କହିଛନ୍ତି, ‘ଏକ ବଡ଼ ଶପିଂ ସେଣ୍ଟରରେ ଥିବା ଏକ ରେଷ୍ଟୁରାଣ୍ଟରେ ପ୍ରଥମେ ନିଆଁ ଲାଗିଥିଲା, ଯାହାକି ପରେ ଅନ୍ୟ ପ୍ରାନ୍ତକୁ ସମ୍ପ୍ରସାରିତ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୫୦ ରେ ପହଞ୍ଚିଛି ।’ ଯଦିଓ ଅଗ୍ନିକାଣ୍ଡର ସଠିକ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ତେବେ ସର୍ଟସର୍କିଟ୍ କାରଣରୁ ଏପରି ହୋଇଥିବା ଆଶଙ୍କା କରାଯାଉଛି । ତଦନ୍ତର ପ୍ରାଥମିକ ତଥ୍ୟ ୪୮ ଘଣ୍ଟା ମଧ୍ୟରେ ପ୍ରକାଶ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ଏହି ଦୁଃଖଦ ଦୁର୍ଘଟଣା ଯୋଗୁ ସାରା ଦେଶରେ ତିନି ଦିନିଆ ଶୋକ ଘୋଷଣା କରାଯାଇଛି । ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ରାଜ୍ୟପାଳ ମହମ୍ମଦ ଅଲ-ମିଆହି ଉକ୍ତ ଶପିଂ ମଲ୍ ଏବଂ ମଲ୍ର ମାଲିକଙ୍କ ବିରୁଦ୍ଧରେ ଏକ ମାମଲା ଦାୟର କରିଛନ୍ତି ।










