ମୁମ୍ବାଇ: ମହାରାଷ୍ଟ୍ରରେ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାରେ ସର୍ବସାଧାରଣରେ କ୍ଷମାପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅଗଷ୍ଟ ୨୬ ତାରିଖରେ ସିନ୍ଧୁଦୁର୍ଗ ଜିଲ୍ଲାର ମାଲୱନଠାରେ ସ୍ଥାପିତ ଶିବାଜୀଙ୍କ ୩୫ ଫୁଟ୍ ଉଚ୍ଚତା ବିଶିଷ୍ଟ ପ୍ରତିଭୂର୍ତ୍ତି ଭାଙ୍ଗିପଡ଼ିଥିଲା। ତେବେ ଏହି ଘଟଣାରେ ମୋଦୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ନତମସ୍ତକ ହୋଇ କ୍ଷମା ପ୍ରାର୍ଥନା କରିଛନ୍ତି। ଶୁକ୍ରବାର ମହାରାଷ୍ଟ୍ରର ପାଲଘର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୋଦୀ କହିଛନ୍ତି ‘ଶିବାଜୀ ମହାରାଜ ଆମମାନଙ୍କ ପାଇଁ ଦେବତା ଏବଂ ଭାରତୀୟ ଇତିହାସର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ। ଛତ୍ରପତି ଶିବାଜୀ ମହାରାଜ ଆମ ପାଇଁ କେବଳ ଗୋଟିଏ ନାଁ ନୁହନ୍ତି, ସେ ଆମ ସମସ୍ତଙ୍କ ପାଇଁ ଭଗବାନ। ଆଜି ମୁଁ ମୋ ମୁଣ୍ଡ ନୁଆଁଇ ଭଗବାନ ଛତ୍ରପତିଙ୍କୁ କ୍ଷମା ମାଗୁଛି। ଯେଉଁମାନେ ଛତ୍ରପତିଙ୍କୁ ନିଜର ଭଗବାନ ବୋଲି ମାନନ୍ତି, ସେମାନଙ୍କୁ ମଧ୍ୟ ମୁଁ କ୍ଷମା ମାଗୁଛି’ ବୋଲି କହି ମହାରାଜ ଛତ୍ରପତି ଶିବାଜୀଙ୍କ ଚରଣରେ ମଥା ରଖି କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ।
ଗତବର୍ଷ ଡିସେମ୍ବର ୪ରେ ଏଠାରେ ଛତ୍ରପତି ଶିବାଜୀଙ୍କର ୩୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଇଥିଲା। ଏଥିପାଇଁ ମୋଟ ୨.୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସାମୁଦ୍ରିକ ପ୍ରତିରକ୍ଷା ଏବଂ ନିରାପତ୍ତା କ୍ଷେତ୍ରରେ ଛତ୍ରପତିଙ୍କ ଅବଦାନ ଏବଂ ଐତିହାସିକ ମରାଠା ନୌସେନା ପ୍ରତି ସମ୍ମାନ ଜଣାଇ ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା। ତେବେ ଗତ ୨୬ ତାରିଖରେ କୌଣସି କାରଣ ବଶତଃ ପ୍ରତିମୂର୍ତ୍ତଟି ଭାଙ୍ଗିପଡ଼ିଥିଲା। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଥିଲେ। ବିଶେଷକରି ମୋଦୀଙ୍କ ଗସ୍ତ ପୂର୍ବରୁ ରାଜ୍ୟ କଂଗ୍ରେସ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଏହି ଅଘଟଣ ପାଇଁ କ୍ଷମା ମାଗନ୍ତୁ ବୋଲି ମୁମ୍ବାଇ କଂଗ୍ରେସ ସଭାପତି ତଥା ସାଂସଦ ବର୍ଷା ଗାଏକ୍ୱାଡ୍ ଦାବି କରିଥିଲେ। କେବଳ ସେତିକି ନୁହେଁ, ଏହାକୁ ନେଇ ମହାରାଷ୍ଟ୍ର ଜାତୀୟ ରାଜନୀତିରେ ତୀବ ବିବାଦ ଦେଖିବାକୁ ମିଳିଥିଲା। ଏପରିକି ବିଜେପି-ଏନ୍ସିପି-ଶିବସେନା (ମହାୟୁତି ମେଣ୍ଟ)ରେ ମଧ୍ୟ ଚାଲିଥିବା ଅର୍ନ୍ତକନ୍ଦଳ ପଦାରେ ପଡ଼ିଥିଲା। ଗୋଟିଏ ପଟେ ଅଜିତ୍ ପୱାରଙ୍କ ନେତୃତ୍ୱାଧୀନ ଏନ୍ସିପି ଓ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା ଗୋଷ୍ଠୀ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ରତର ହୋଇଉଠିଛି। ଶିନ୍ଦେ ଗୋଷ୍ଠୀର ନେତା ତଥା ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ତାନାଜୀ ସାୱନ୍ତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି ଯେ, ଅଜିତ୍ ପୱାରଙ୍କ ପାଖରେ ବସିଲେ କିମ୍ବା ତାଙ୍କ ସହ କଥା ହେଲେ ତାଙ୍କୁ ବାନ୍ତି ଲାଗେ। ଜଣେ ସଚ୍ଚୋଟ ଶିବସୈନିକ ଭାବେ ସେ କଦାପି ଏନ୍ସିପି ଏବଂ କଂଗ୍ରେସ ଭଳି ଦଳଙ୍କ ଆଦର୍ଶ ସହ ସହମତ ହୋଇପାରିବେ ନାହିଁ। ତାଙ୍କର ଏପ୍ରକାର ମନ୍ତବ୍ୟକୁ ନେଇ ଦଳଗତ କନ୍ଦଳ ଜୋର ଧରିଥିବା ବେଳେ ବିଜେପି କେବଳ ଦେଖଣାହାରୀ ସାଜିଛି। ଏଭଳି ଏକ ସମୟରେ ପ୍ରଧାନମନ୍ତ୍ରୀଙ୍କ ଏପ୍ରକାର କ୍ଷମାପ୍ରାର୍ଥନା ସାମ୍ନାକୁ ଆସିଛି। ଭାରତୀୟ ନୌସେନା ଓ ରାଜ୍ୟ ସରକାରଙ୍କ ସହଯୋଗରେ ଶିବାଜୀଙ୍କ ଏହି ମୂର୍ତ୍ତି ନିର୍ମାଣ କରାଯାଇଥିଲା। କିନ୍ତୁ ମୂର୍ତ୍ତି ନିର୍ମାଣକୁ ବର୍ଷେ ପୂରିନଥିବା ବେଳେ ଗତ ସୋମବାର ଏହା ଭୁଶୁଡ଼ି ପଡ଼ିଥିଲା। ଏନେଇ ମାଲଭନ୍ ପୁଲିସ୍ ପୂର୍ତ୍ତ ବିଭାଗର ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ନିମ୍ନମାନର କାର୍ଯ୍ୟ ପାଇଁ ମୂର୍ତ୍ତି ଭୁଶୁଡ଼ି ପଡ଼ିଥିବା ପୂର୍ତ୍ତ ବିଭାଗ ଅଭିଯୋଗ କରିଥିଲା। ବିଭିନ୍ନ ମହଲରେ ସମାଲୋଚନା ତଥା ଅଭିଯୋଗ କ୍ରମେ ଆଜି ମାଲଭନ୍ ପୁଲିସ ମୂର୍ତ୍ତି ସ୍ଥାପନ ପାଇଁ ଦାୟିତ୍ୱ ନେଇଥିବା କଣ୍ଟ୍ରାକ୍ଟରଙ୍କୁ ଗିରଫ କରିଛି।










