14.1 C
Bhubaneswar
Sunday, January 18, 2026
Homeଓଡିଶାଶିଶିର ସରସ : ଗ୍ରାମୀଣ ଉଦ୍ୟମ ସୁଦୃଢ଼ିକରଣ ଦିଗରେ ଓରମାସ-ସିପିସିଆରଆଇ ମଧ୍ୟରେ ଏମଓୟୁ ସ୍ବାକ୍ଷର

ଶିଶିର ସରସ : ଗ୍ରାମୀଣ ଉଦ୍ୟମ ସୁଦୃଢ଼ିକରଣ ଦିଗରେ ଓରମାସ-ସିପିସିଆରଆଇ ମଧ୍ୟରେ ଏମଓୟୁ ସ୍ବାକ୍ଷର

ଭୁବନେଶ୍ୱର: ଓରମାସ ଓ ସୁଭଦ୍ରା ଶକ୍ତିର ମିଳିତ ଉଦ୍ୟମରେ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ମେଗା ମେଳା ‘ଶିଶିର ସରସ-୨୦୨୬’ ଏହାର ଅଷ୍ଟମ ଦିନରେ ପହଞ୍ଚିଛି। ଏହି ଅବସରରେ ଓରମାସ ଓ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଅଧୀନସ୍ଥ ସେଣ୍ଟ୍ରାଲ ପ୍ଲାଣ୍ଟେସନ୍ କ୍ରପ୍ସ ରିସର୍ଚ୍ଚ ଇନ୍‌ଷ୍ଟିଟ୍ୟୁଟ (ସିପିସିଆରଆଇ), କେରଳ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସାକ୍ଷରିତ ହୋଇଛି, ଯାହା ଗ୍ରାମୀଣ ଜୀବିକା ବିକାଶକୁ ନୂଆ ଦିଗ ଦେବ। ଏହି ବୁଝାମଣାପତ୍ର ମାଧ୍ୟମରେ ସିପିସିଆରଆଇ ପକ୍ଷରୁ ଓରମାସକୁ ଆବଶ୍ୟକ ପ୍ରଯୁକ୍ତି ହସ୍ତାନ୍ତର କରାଯିବ, ଯାହା ଦ୍ୱାରା ନଡ଼ିଆ ଚାଷ ସମ୍ପର୍କିତ ବିଭିନ୍ନ ମୂଲ୍ୟବର୍ଦ୍ଧିତ ଉତ୍ପାଦର ବାଣିଜ୍ୟିକ ଉତ୍ପାଦନ ସମ୍ଭବ ହେବ।

ଏହି ଅବସରରେ ଆଇସିଏଆର-ସିପିସିଆରଆଇର ନିର୍ଦ୍ଦେଶକ ଡ. କେ. ବି. ହେବ୍ବାର କହିଥିଲେ ଯେ, ବଜାର ସମ୍ଭାବନାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଓଡ଼ିଶାକୁ ନଡ଼ିଆ ଚାଷ ପାଇଁ ଦେଶର ଦୁଇଟି ସବୁଠୁ ଉପଯୁକ୍ତ ରାଜ୍ୟ ମଧ୍ୟରେ ଚିହ୍ନଟ କରିଛନ୍ତି। ଓରମାସ ସହିତ ଏହି ସହଯୋଗ ମାଧ୍ୟମରେ ଚାଷୀମାନଙ୍କ ଆୟ ବୃଦ୍ଧି ପାଇଁ ବିପୁଳ ସମ୍ଭାବନା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ। ଏଥି ସହିତ ଓଡ଼ିଶା ସରକାରଙ୍କ ଦ୍ୱାରା ଏମଓୟୁ ପ୍ରକ୍ରିୟାକୁ ତ୍ୱରିତ ଭାବେ ସମ୍ପନ୍ନ କରାଯାଇଥିବାରେ ସେ ସନ୍ତୋଷ ପ୍ରକାଶ କରିଥିଲେ। ଏହି ଅବସରରେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଯୋଗଦେଇଥିଲେ । ‘ଶିଶିର ସରସ’କୁ କେବଳ କିଛି ଦିନର ମେଳାରେ ସୀମିତ ନ ରଖିବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ । ପୋଷାକ, ଘରସଜ୍ଜା ଓ ଦୈନନ୍ଦିନ ଜୀବନରେ ହସ୍ତତନ୍ତ ଓ ସ୍ୱଦେଶୀ ଉତ୍ପାଦର ବ୍ୟବହାର ବଢ଼ାଇବା ସହ, ଜନ୍ମଦିନ, ବିବାହ ବାର୍ଷିକ ଓ ପର୍ବପର୍ବାଣୀ ପରି ଅବସରରେ ହସ୍ତତନ୍ତ ଉପହାର ଦେଇ କାରିଗର ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ସଶକ୍ତିକରଣରେ ଭାଗୀଦାର ହେବା ସହ ‘ଭୋକାଲ୍ ଫର୍ ଲୋକାଲ୍’କୁ ଜୀବନଶୈଳୀର ଅଂଶ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

‘ଶିଶିର ସରସ-୨୦୨୬’ ଅବସରରେ ବିଭିନ୍ନ ବର୍ଗରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସିବିଓ ଓ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଗୁଜରାଟର ସିୟୁ ସଖୀ ମଣ୍ଡଳକୁ ‘ଶ୍ରେଷ୍ଠ ଡିସ୍ପ୍ଲେ’ ପୁରସ୍କାର, ସୁନ୍ଦରଗଡ଼ର ସୁନ୍ଦରଗଡ଼ ଆଗ୍ରିକ୍ରାଫ୍ଟ ପ୍ରଡ୍ୟୁସର କମ୍ପାନୀକୁ ‘ଶ୍ରେଷ୍ଠ ନବୀନ ଉତ୍ପାଦ’ ପୁରସ୍କାର, କୋରାପୁଟର ପୋଟାଙ୍ଗୀ ଆଗ୍ରୋ ପ୍ରଡ୍ୟୁସର କମ୍ପାନୀକୁ ‘ଶ୍ରେଷ୍ଠ ପ୍ୟାକେଜିଂ’ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ମୟୂରଭଞ୍ଜର ମୟୂର ପ୍ରଡ୍ୟୁସର ଗ୍ରୁପ୍‌କୁ ସର୍ବାଧିକ ବିକ୍ରୟ ସହ ‘ଶ୍ରେଷ୍ଠ ଫୁଡ୍ ଷ୍ଟଲ୍’ ପୁରସ୍କାର, ତ୍ରିପୁରାର ଆଶାର ଆଲୋକୁ ‘ଶ୍ରେଷ୍ଠ ବାହ୍ୟ ରାଜ୍ୟ ନବୀନ ଉତ୍ପାଦ’ ପୁରସ୍କାର, ବାଲେଶ୍ୱରର ନୀଳଗିରି ଲାକର୍ ପ୍ରଡ୍ୟୁସର ଗ୍ରୁପ୍‌କୁ ‘ଶ୍ରେଷ୍ଠ ଥିମ୍ ଷ୍ଟଲ୍’ ପୁରସ୍କାର ଓ ଯାଜପୁରର ଲକ୍ଷ୍ମୀ ନାରାୟଣ ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ‘ଶ୍ରେଷ୍ଠ ବିକ୍ରୟ କୌଶଳ’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓରମାସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ମୋନିକା ପ୍ରିୟଦର୍ଶିନୀ, ଓରମାସ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସଞ୍ଜୀବ କୁମାର ସିଂହଙ୍କ ସମେତ ଅନେକ ବଶିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାଏକ ଓରମାସ ଓ ସୁଭଦ୍ରା ଶକ୍ତିର ସମ୍ପୂର୍ଣ୍ଣ ଟିମ୍‌କୁ ମେଳାକୁ ସଫଳ କରିବା ପାଇଁ ତାଙ୍କର ସଂଗଠିତ ପରିକଳ୍ପନା, ପରିଶ୍ରମ ଓ ସମର୍ପଣ ପାଇଁ ଅଭିନନ୍ଦନ ଜଣାଇଥିଲେ। ଗ୍ରାମରୁ ସହର ପର୍ଯ୍ୟନ୍ତ ଏକ ଦୃଢ଼ ଆର୍ଥିକ ଓ ସାଂସ୍କୃତିକ ସଂଯୋଗ ସୃଷ୍ଟି କରିବାରେ ଏହି ପ୍ରୟାସ ଏକ ମାଇଲ୍‌ଖୁଣ୍ଟ ବୋଲି ସେ କହିଥିଲେ। ଅପରପକ୍ଷରେ, ଶନିବାର ସନ୍ଧ୍ୟାବେଳେ ଭଜନ ସଂଧ୍ୟା, ଲୋକନୃତ୍ୟ ଓ ସଙ୍ଗୀତ ପ୍ରସ୍ତୁତି ମେଳା ପରିସରକୁ ଆଧ୍ୟାତ୍ମିକତା ଓ ସାଂସ୍କୃତିକ ରଙ୍ଗରେ ଭରିଦେଇଥିଲା। ଫୁଡ୍‌ଷ୍ଟଲ୍‌, କିଡ୍‌ଜୋନ୍‌ ଓ ହସ୍ତତନ୍ତ-ହସ୍ତଶିଳ୍ପ ଷ୍ଟଲ୍‌ଗୁଡ଼ିକରେ ପରିଦର୍ଶକଙ୍କ ଭିଡ ଜମିଥିଲା । ସୂଚନାଯୋଗ୍ୟ ଯେ, ବଢ଼ୁଥିବା ଲୋକସମାଗମ ଓ ଆଗ୍ରହକୁ ଦୃଷ୍ଟିରେ ରଖି ମେଳାର ଅବଧି ଆହୁରି ଦୁଇ ଦିନ ପାଇଁ ବୃଦ୍ଧି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking