ନୂଆଦିଲ୍ଲୀ: ଉଭୟ ଟେଷ୍ଟ ଓ ଟି-ଟ୍ୱେଣ୍ଟି କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ବାଂଲାଦେଶର ଷ୍ଟାର ଅଲରାଉଣ୍ତର ସାକିବ ଅଲ୍ ହାସନ । ଟେଷ୍ଟ କ୍ରିକେଟକୁ ବାଏ ବାଏ କରିଛନ୍ତି ସାକିବ୍ । ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟର ଶେଷ ମ୍ୟାଚରେ ସେ ଅବସର ନେବେ ବୋଲି ଘୋଷଣା କରିଛନ୍ତି । ୩୭ ବର୍ଷୀୟ ସାକିବ ଅଲ୍ ହାସନ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ହିଁ ନିଜ ଅବସର ନେଇ ଘୋଷଣା କରିଛନ୍ତି ।
ସାକିବ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ଆଉ ଖେଳିବେ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଏବେ ନୂଆ ଖେଳାଳିଙ୍କୁ ସୁଯୋଗ ଦେବାକୁ ପଡ଼ିବ । ଦକ୍ଷିଣ ଆଫ୍ରିକା ବିପକ୍ଷ ମୀରପୁର ମ୍ୟାଚ୍ ପରେ ମୁଁ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଚାହୁଁଛି । କିନ୍ତୁ ଯଦି ଉକ୍ତ ମ୍ୟାଚ୍ ସମ୍ଭବ ପର ହେବ ନାହିଁ, ତା’ହେଲେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ତାଙ୍କ ନାଲି ବଲ କ୍ୟାରିୟରର ଶେଷ ମ୍ୟାଚ୍ ହେବ । ସେ ନିଜ ଟି-୨୦ କ୍ୟାରିୟରର ଶେଷ ମ୍ୟାଚ୍ ପୂର୍ବରୁ ଖେଳି ସାରିଛନ୍ତି ବୋଲି ସାକିବ କହିଛନ୍ତି । ଅବସର ନେଇ ସେ ଟିମର ମୁଖ୍ୟ ଚୟନକର୍ତ୍ତା ଓ ବାଂଲାଦେଶ କ୍ରିକେଟ ବୋର୍ଡକୁ ଜଣାଇଛନ୍ତି।










