ମୁମ୍ବାଇ: ପାନ ମସଲାର ବିଜ୍ଞାପନ ଯୋଗୁଁ ଆଇନଗତ ସମସ୍ୟାରେ ପଡ଼ିଛନ୍ତି ବଲିଉଡ୍ ର ତିନିଜଣ ଜଣାଶୁଣା ଅଭିନେତା । ସେମାନେ ହେଲେ ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ । ପାନ ମସଲାର ଏକ ବିଜ୍ଞାପନକୁ ନେଇ ଶାହରୁଖ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ବିରୋଧରେ ଜୟପୁରର ଜିଲ୍ଲା ଉପଭୋକ୍ତା ନୋଟିସ ଜାରି କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ ଅଭିଯୋଗ କରାଯାଇଛି ଯେ ଏହି ତିନି ଅଭିନେତାଙ୍କ ପାନ ମସଲା ବିଜ୍ଞାପନ କରିଛନ୍ତି । ଯାହା ‘ବୋଲୋ ଜୁବାନ କେଶରୀ’ ଏବଂ ‘ଦାନେ ଦାନେ ମୈ କେଶର କା ଦମ୍’ ଟ୍ୟାଗଲାଇନ୍ ସହିତ ଆସିଥାଏ । ଏହି ବିଜ୍ଞାପନରେ ଶାହରୁଖ, ଟାଇଗର ଶ୍ରଫ ଏବଂ ଅଜୟ ଦେବଗନ ଅଛନ୍ତି । ତେବେ ଏହାକୁ କେନ୍ଦ୍ରକରି ଆବେଦନକାରୀ ଯୋଗେନ୍ଦ୍ର ସିଂହ ତିନି ଜଣ ଅଭିନେତାଙ୍କ ଉପରେ ଅଭିଯୋଗ କରିଛନ୍ତି ।
ପାନ ମସଲାରେ କେସର ଥିବାର ମିଥ୍ୟା ବିଜ୍ଞାପନ କରୁଥିବା ଯୋଗୁଁ ଅଭିଯୋଗ କରିଛନ୍ତି ଆବେଦନକାରୀ । ଆବେଦନକାରୀ କହିଛନ୍ତି ଯେ ଶାହରୁଖ ଖାନ, ଟାଇଗର ଶ୍ରଫ ଏବଂ ଅଜୟ ଦେବଗନ ବଡ ଷ୍ଟାର ଏବଂ ଲକ୍ଷ ଲକ୍ଷ ଲୋକ ସେମାନଙ୍କୁ ଅନୁସରଣ କରନ୍ତି । ଏପରି ପରିସ୍ଥିତିରେ ଏଭଳି ମିଥ୍ୟା ପ୍ରଚାର କରିବା ଆଦୌ ଠିକ୍ ନୁହେଁ । ଏହି ମାମଲାର ଶୁଣାଣି ମାର୍ଚ୍ଚ ୧୯ରେ ହେବ । ଅନ୍ୟପଟେ ତିନି ଅଭିନେତାଙ୍କୁ ସେମାନଙ୍କର ପକ୍ଷ ରଖିବାକୁ ୩୦ ଦିନ ସମୟ ଦିଆଯାଇଛି । ଆବେଦନକାରୀ ଏହା ମଧ୍ୟ କହିଛନ୍ତି ଯେ କେସରର ମୂଲ୍ୟ କିଲୋ ପିଛା ୪ ଲକ୍ଷ ଟଙ୍କା, ଯେତେବେଳେ ପାନ ମସଲା କିମ୍ବା ଗୁଟଖାର ପ୍ୟାକେଟର ଦାମ ରହୁଛି ୫ ଟଙ୍କା । ଏଭଳି ପରିସ୍ଥିତିରେ ଯଦି ଆମେ ଦେଖିବା ମାତ୍ର ୫ ଟଙ୍କାରେ କେସର କିପରି ମିଳିପାରିବ? ଯାହାକି ସମ୍ପୂର୍ଣ୍ଣ ମିଥ୍ୟା । ଅଭିଯୋଗରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ବିଜ୍ଞାପନ ନିର୍ମାତା କମ୍ପାନୀ ତମ୍ବାଖୁ ତଥା ଗୁଟଖା ବିକି କୋଟି କୋଟି ଟଙ୍କାର ରୋଜଗାର କରୁଛି । ଅନ୍ୟପଟେ ଏଭଳି ସେଲିବ୍ରିଟିଙ୍କୁ ଅନୁସରଣ କରୁଥିବା ସାଧାରଣ ଲୋକେ ପାନ ମସଲା ଏବଂ ଗୁଟଖାର ସେବନ କରି କ୍ୟାନ୍ସର ଭଳି ରୋଗକୁ ବରଣ କରୁଛନ୍ତି । ତେଣୁ ଏହି ଆଡ୍କୁ ସଙ୍ଗେସଙ୍ଗେ ବନ୍ଦ କରାଯାଉ ।