ଭୁବନେଶ୍ୱର: ରାଜଧାନୀର ସହିଦନଗର ଗଣଦୁଷ୍କର୍ମ ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯାଇଛି। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାମଲାର ତଦନ୍ତ କରାଯିବ। ଏହି କେସ୍ରେ କମିଶନରେଟ୍ ପୁଲିସକୁ କ୍ରାଇମବ୍ରାଞ୍ଚ ସହଯୋଗ କରିବ। ଚାକିରି ଦେବାକୁ କହି ଜଣେ ଆଶାୟୀ ନାବାଳିକାକୁ ଦୁଇ ଅଭିଯୁକ୍ତ ଭଡ଼ା ଘରକୁ ଡାକିଥିଲେ। ସେଠାରେ ଉଭୟ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ ପୁଲିସ କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଖୋର୍ଦ୍ଧା କେରଙ୍ଗ ଅଞ୍ଚଳର ଅକ୍ଷୟ ଦାସ(୨୮) ଓ ମୁକୁନ୍ଦ୍ରପସାଦ ଅଞ୍ଚଳର ସାହିଲ୍ ଖାଁ(୨୬)। ପୂର୍ବରୁ ଧଉଳି ଗଣଦୁଷ୍କର୍ମ ମାମଲାକୁ ରେଡ୍ ଫ୍ଲାଗ୍ ଘୋଷଣା କରିଥିଲେ ସରକାର।
ପୁଲିସ ସୂଚନା ଅନୁଯାୟୀ,ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ଅକ୍ଷୟ ଦାସଙ୍କୁ ସେ ପୂର୍ବରୁ ଜାଣିଥିଲେ। କୌଣସି ସଂସ୍ଥାରେ ଚାକିରିଟିଏ କରାଇଦେବାକୁ ପୀଡ଼ିତା ଅଭିଯୁକ୍ତ ଅକ୍ଷୟକୁ କହିଥିଲେ। ପୀଡ଼ିତାଙ୍କ ଅନୁରୋଧ ରକ୍ଷା କରି ଅଭିଯୁକ୍ତ ଅକ୍ଷୟ ପ୍ରତିଶ୍ରୁତି ଦେଇଥିଲେ ଏବଂ ଯେତେବେଳେ ଡକାଇବେ, ତୁରନ୍ତ ଭୁବନେଶ୍ୱର ଆସିବାକୁ ପଡ଼ିବ ବୋଲି କହିଥିଲେ। ୧୮ ତାରିଖ ଦିନ ଅକ୍ଷୟ ପୀଡ଼ିତାଙ୍କୁ ଡକାଇଥିଲା। ତାଙ୍କୁ ଏକ ସଂସ୍ଥାରେ ଡାଟା ଏଣ୍ଟ୍ରି ଅପରେଟର ଭାବେ ଚାକିରି କରାଇବା ବାହାନାରେ ଅକ୍ଷୟ ତାଙ୍କୁ ସହିଦନଗରସ୍ଥିତ ତା’ର ଭଡ଼ାଘରକୁ ଡକାଇଥିଲା। ଚାକିରି ପାଇବା ଆଶାରେ ପୀଡ଼ିତା ଅକ୍ଷୟକୁ ବିଶ୍ୱାସ କରି ସହିଦନଗରସ୍ଥିତ ଭଡ଼ାଘର ଠିକଣାରେ ପହଞ୍ଚିଥିଲେ।
କିନ୍ତୁ ଚାକିରି ପାଇବେ କ’ଣ ପୀଡ଼ିତା ଗଣଦୁଷ୍କର୍ମର ଶିକାର ହେଲେ। ଅଭିଯୁକ୍ତଦ୍ୱୟ ଜୋର୍ ଜବରଦସ୍ତ ତାଙ୍କୁ ଦୁଷ୍କର୍ମ କରିଥିଲେ। ସେତେବେଳକୁ ଅପରାହ୍ଣ ୨ଟା ବାଜିଥିଲା। ଅଭିଯୁକ୍ତମାନେ ରାତିସାରା ତାଙ୍କୁ ଅଟକ ରଖିବାକୁ ଯୋଜନା କରିଥିଲେ ହେଁ ପୀଡ଼ିତା କୌଶଳକ୍ରମେ ସେଠାରୁ ଖସିଆସିଥିଲେ। ପରଦିନ ଅର୍ଥାତ ୧୯ ତାରିଖ ସକାଳେ ପୀଡ଼ିତା ସହିଦନଗର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୁଲିସ ୨ଟି ଟିମ୍ ଗଠନ କରି ଅଭିଯୁକ୍ତମାନଙ୍କ ପିଛା କରିଥିଲା। ପୀଡ଼ିତା ଖସିଯିବା ପରେ ଅଭିଯୁକ୍ତମାନେ ଭଡ଼ାଘର ଛାଡ଼ି ଅନ୍ୟତ୍ର ଆତ୍ମଗୋପନ କରିଥିଲେ। କିନ୍ତୁ ପୁଲିସ ଟିମ୍ ସେମାନଙ୍କୁ ଖୋର୍ଦ୍ଧାରୁ ଉଠାଇବାରେ ସକ୍ଷମ ହୋଇଥିଲା। ତେବେ ଏହି ଜଘନ୍ୟ ଘଟଣାକୁ ସରକାର ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିଛନ୍ତି।










