ବଲାଙ୍ଗିର: ରକ୍ତ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ଦେହର ଭୋକ ମେଣ୍ଟାଇବା ପାଇଁ ଅନ୍ଧ ହୋଇଗଲା ବାପା । ଭୁଲିଗଲା ରକ୍ତ ସମ୍ପର୍କ ଆଉ ଝିଅ ପ୍ରତି ଥିବା ସ୍ନେହ, ଭଲପାଇବା । ଏ କେମିତିକା ବାପା ନିଜ ଜନ୍ମ କଲା ଝିଅକୁ ବି ଛାଡ଼ିଲାନି । ବାପ ଝିଅର ପବିତ୍ର ସମ୍ପର୍କକୁ କଳଙ୍କିତ କରି ଦେଇଛି ଏହି ପିଶାଚ ବାପ । ଝିଅ ସହ ରଖିଲା ଶାରୀରିକ ସମ୍ପର୍କ । ନାବାଳିକା ଝିଅଟିକୁ ଛୋଟ ବେଳୁ ତା ମା’ଠାରୁ ଅଲଗା କରିଦେଲା । ନିଜ ପାଖରେ ରଖିଥିଲା ହେଲେ ତା’ ସହ ଏମିତି କିଛି କାଣ୍ଡ କରିବ ଏକଥା କେହି କେବେ ସ୍ବପ୍ନରେ ବି ସୁଦ୍ଧା ଭାବିନଥିଲେ । ରକ୍ଷକ ହୋଇ ଏପରି ଭକ୍ଷକ ସାଜିବେ ଏକଥା କାହାକୁ ଜଣା ନଥିଲା। ଝିଅ ଗର୍ଭବତୀ ହେବା ପରେ ସାମ୍ନାକୁ ଆସିଥିଲା ସଇତାନ୍ ବାପାର କାଣ୍ଡ ।
ଯୌନ ପିପାସୁ ବାପା ଝିଅକୁ ୮ ମାସର ଗର୍ଭବତୀ କରିଦେଲା । ଏପରି ଲଜ୍ଜାଜନକ ଘଟଣା ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅଞ୍ଚଳରେ ଘଟିଯାଇଛି । ନିଜ ୧୬ ବର୍ଷର ନାବାଳିକା ଝିଅକୁ ୮ ମାସ ର ଗର୍ଭବତୀ କରିଛି ଯୌନ ରାକ୍ଷସ ବାପା। ତେବେ ବେଲପଡା ଥାନା ଅଞ୍ଚଳର ଜୈନିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ସହି ନପାରି ତାଙ୍କ ସ୍ତ୍ରୀ ଦୀର୍ଘଦିନରୁ ଦୁଇ ପୁଅଝିଅଙ୍କୁ ନେଇ ବାପଘରକୁ ଚାଲି ଯାଇଥିଲେ । ସେତେ ବେଳେ ନିଜ ସାନଝିଅକୁ ନିଜ ପାଖରେ ଜୋରଜବରଦସ୍ତ ରଖିଥିଲେ । ଆଉ ସାନ ଝିଅ ସହିତ ଜଙ୍ଗଲରେ ନିଜ ଜମିରେ ଘର କରି ରହୁଥିଲେ । ହେଲେ ନାବାଳିକା ଝିଅ ଗର୍ଭବତୀ ଥିବା ବିଶ୍ଵସ୍ଥ ସୂତ୍ରରୁ ଖବର ପାଇଥିଲେ ବେଲପଡା ସିଡିପିଓ ବିଦ୍ୟୁତପ୍ରଭା ନାଗ । ପରେ ବେଲପଡା ବିଡ଼ିଓ ରାଜେଶ ମେହେର ଓ ବେଲପଡା ଥାନା ଅଧିକାରୀ ଅନନ୍ତ ପଧାନଙ୍କ ନେତୃତ୍ୱରେ ପୋଲିସ ଟିମ ପହଞ୍ଚି ଅଧିକ ତଦନ୍ତ କରି ଘଟଣା ସତ ବୋଲି ଜାଣିବାକୁ ପାଇଥିଲେ । ପରେ ପୀଡିତା ନାବାଳିକା ଝିଅକୁ ଉଦ୍ଧାର କରି ବଲାଙ୍ଗିର ୱାନଷ୍ଟପ ସେଣ୍ଟରକୁ ନେଇ ଯାଇଥିଲେ । ଏନେଇ ଅଭିଯୁକ୍ତ ବାପାକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ବେଲପଡା ପୋଲିସ।