ଭୁବନେଶ୍ୱର: ରାଜ୍ୟରେ ଆହୁରି ଦଇଦିନ ପର୍ଯ୍ୟନ୍ତ ଲାଗି ରହିବ ହାଡ଼ଭଙ୍ଗା ଶୀତ। କିଛି ଜିଲ୍ଲାକୁ ଆସନ୍ତା ୨୪ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିତ ପାଣିପାଗ ବିଭାଗ। ଗତ ୨୪ ଘଣ୍ଟାରେ ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ରାଉରକେଲାଠାରେ ସର୍ବନିମ୍ନ ତାପମାତ୍ରା ୬.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ତେବେ ପାହାଡିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରି ଠାରେ ୫.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ୫ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ। ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କୋରାପୁଟ, ସମ୍ବଲପୁର ଆଦି ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନାହିଁ। ତେଣୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଣିପାଗରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ। ପାଗ ମୁଖ୍ୟତଃ ଶୁଖିଲା ରହିବ। ବର୍ଷା ହେବାର ସମ୍ଭାବନା ମଧ୍ୟ କମ୍ ରହିବ। ଆଗାମୀ ୫ ଦିନ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ସ୍ଥାନଗୁଡି଼କରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି । ଅନୁଗୋଳ ଓ ଝାରସୁଗୁଡ଼ାରେ ଲଗାତାର ଦୁଇ ଦିନ ଧରି ଶୀତ ଲହରୀର ପ୍ରଭାବ ଦେଖିବାକୁ ମିଳିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଶୀତ ପ୍ରଭାବ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି କରାଯାଇଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟକୁ ଜାଡ଼ରୁ ତ୍ରାହି ମିଳିବ ନାହିଁ। ଗତ ୨୪ ଘଣ୍ଟାରେ ୧୨ଟି ସହରରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ ହୋଇଥିଲା।










