ନୂଆଦିଲ୍ଲୀ: କୋଭିଶିଲ୍ଡ ନାମରେ ଏକ କୋଭିଡ୍-୧୯’ ବା କରୋନା ଟିକା’ ପ୍ରସ୍ତୁତ କରି ଦେଶ ତଥା ବିଶ୍ୱବାସୀଙ୍କୁ କରୋନା ସଂକ୍ରମଣଜନିତ ଭୟାବହତାରୁ ସୁରକ୍ଷା ପ୍ରଦାନ କରିଥିବା ଫାର୍ମା କମ୍ପାନୀ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଏବେ ‘ମଙ୍କିପକ୍ସ’ ଟିକା ମଧ୍ୟ ପ୍ରସ୍ତୁତ କରିବ। ଏଭଳି ଏକ ସମ୍ବାଦ ଏବେ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ସିରମ୍ ଇନ୍ଷ୍ଟିଚ୍ୟୁଟ୍ର ସିଇଓ ଆଦର୍ଶ ପୁନାୱାଲା କହିଛନ୍ତି ଯେ, ହୁ’ ପକ୍ଷରୁ ଏମ୍ପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯିବା ପରେ, ଆମେ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ଟିକା ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛୁ। ଆଗାମୀ ଏକ ବର୍ଷ ମଧ୍ୟରେ ମଙ୍କିପକ୍ସ ବା ଏମ୍ପକ୍ସ ଭୂତାଣୁ ନିରୋଧୀ ଟିକା (ଭ୍ୟାକ୍ସିନ୍) ପ୍ରସ୍ତୁତ କରାଯିବା ନେଇ ଆଶା କରାଯାଉଛି।
ପ୍ରକାଶ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଗତ ଅଗଷ୍ଟ ୧୪ରେ ଏମ୍ପକ୍ସ ବା ମଙ୍କିପକ୍ସ ଭୂତାଣୁକୁ ଗ୍ଲୋବାଲ ପବ୍ଲିକ୍ ହେଲ୍ଥ ଏମ୍ର୍ଜେନ୍ସି ଘୋଷଣା କରାଯାଇଛି। ହୁ’ ଅନୁସାରେ ଗତ ୨୦୨୨ରୁ ଏପର୍ଯ୍ୟନ୍ତ ପ୍ରାୟ ୧୧୬ଟି ଦେଶରେ ମୋଟ୍ ୯୯,୧୭୬ଟି ଏମ୍ପକ୍ସ ମାମଲା ପଞ୍ଜିକୃତ ହୋଇଥିବା ବେଳେ ଏଥିମଧ୍ୟରୁ ୨୦୮ଜଣ ପ୍ରାଣ ହରାଇଛନ୍ତି। ସେହିପରି ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ବିଶ୍ୱସ୍ତରରେ ମୋଟ୍ ୧୫,୬୦୦ଟି ଏମପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୩୭ଜଣ ମୃତ୍ୟୁବରଣ କରିଛନ୍ତି। ବିଶେଷକରି ଆଫ୍ରିକୀୟ ଦେଶ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ’ରେ ଏମ୍ପକ୍ସ ଭୂତାଣୁ ସଂକ୍ରମଣ ହାର ଅଧିକ ରହିଆସିଛି। ବର୍ତ୍ତମାନ ସୁଦ୍ଧା ଆଫ୍ରିକାର ୧୦ଟି ଦେଶ ଏହାଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି । କରୋନା ପରି ଏହା ସଂସ୍ପର୍ଶଜନିତ ଭୂତାଣୁ ହୋଇଥିବାରୁ ଏବଂ କ୍ଷୀପ୍ରଗତିରେ ଜଣକ ଠାରୁ ଅନ୍ୟଜଣକୁ ସଂକ୍ରମିତ ହେଉଥିବାରୁ ଖୁବକମ୍ ସମୟ ମଧ୍ୟରେ ଏହା ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ସମ୍ପ୍ରସାରିତ ହେବାରେ ଲାଗିଛି। ତେବେ ପାକିସ୍ତାନରେ ଏମ୍ପକ୍ସ ସଂକ୍ରମିତ ଚିହ୍ନଟ ହେବା ଏବଂ ହୁ’ ପକ୍ଷରୁ ଏପ୍ରକାର ମଙ୍କିପକ୍ସ ଭୂତାଣୁକୁ ଗ୍ଲୋବାଲ୍ ପବ୍ଲିକ୍ ହେଲ୍ଥ ଏମର୍ଜେନ୍ସି ଘୋଷଣା କରାଯିବା ପରେ ପରେ ଭାରତରେ ତୀବ୍ର ଭୟର ବାତାବରଣ ସଞ୍ଚାର ହୋଇଛି।
ଏହି ଭୂତାଣୁର ମୁକାବିଲା ପାଇଁ ସରକାରୀ ସ୍ତରରେ ଏବେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗତକାଲି କେନ୍ଦ୍ର ସରକାର ଦେଶର ସମସ୍ତ ହସ୍ପିଟାଲ, ବିମାନବନ୍ଦରଗୁଡ଼ିକୁ ଆଲର୍ଟ ଜାରି କରିଦିଆଯାଇଛି। ଏତଦ୍ବ୍ୟତୀତ ପାକିସ୍ତାନ ଏବଂ ବାଂଲାଦେଶ ସଂଲଗ୍ନ ସୀମାରେଖାରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ ଅଧିକାରୀମାନଙ୍କୁ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଠାରେ ଏମ୍ପକ୍ସ ଭୂତାଣୁ ସଂକ୍ରମିତଜନିତ ଲକ୍ଷଣ ବିଷୟରେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲଗୁଡ଼ିକୁ ଏମ୍ ପକ୍ସ ସଂକ୍ରମିତଙ୍କ ପାଇଁ ଜରୁରୀକାଳୀନ ୱାର୍ଡ ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିବା ଜଣାପଡ଼ିଛି। ସେହିପରି ଏୟାରପୋର୍ଟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାମାନ୍ୟତମ ଲକ୍ଷଣ ଠାବ ହେଲେ ସର୍ବପ୍ରଥମେ ଉକ୍ତ୍ ବ୍ୟକ୍ତିବିଶେଷଙ୍କୁ ଆଇସୋଲେସନ୍ ତଥା କ୍ୱାରାଣ୍ଟାଇନ୍ କରାଯିବ। ଏହାପରେ ସେମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦିଆଯିବ। ସନ୍ଦିଗ୍ଧ ରୋଗୀଙ୍କ ଆରଟି-ପିସିଆର ଓ ସ୍ୱାବ୍ ଟେଷ୍ଟ କରାଯିବ। ଏସବୁ ମଧ୍ୟରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ, ରାମ ମନୋହର ଲୋହିଆ ହସ୍ପିଟାଲ ଏବଂ ଲେଡି ହାର୍ଡିଙ୍ଗେ ମେଡିକାଲ କଲେଜ୍ ଭଳି ୩ଟି ହସ୍ପିଟାଲକୁ ମଙ୍କିପକ୍ସ ଭୂତାଣୁ ସଂକ୍ରମିତଙ୍କ ପାଇଁ ନୋଡାଲ ହସ୍ପିଟାଲ ଭାବେ ପ୍ରସ୍ତୁତ କରାଯାଇଥିବା ନେଇ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି। କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିୟମିତ ବ୍ୟବଧାନରେ ଭାରତରେ ଏମ୍ପକ୍ସ ଭୂତାଣୁଜନିତ ସ୍ଥିତାବସ୍ଥା ସମ୍ପର୍କରେ ମନିଟରିଂ କରୁଥିବା ମଧ୍ୟ କୁହାଯାଇଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ସରେ ଭାରତରେ ଏମ୍ପକ୍ସ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। କିନ୍ତୁ ଜୁନ୍ ୨୦୨୨ରୁ ୨୦୨୩ ମେ’ ମାସ ସୁଦ୍ଧା ଭାତରରେ ମୋଟ୍ ୩୦ଟି ଏମ୍ପକ୍ସ ମାମଲା ଚିହ୍ନଟ ହୋଇଛି। ତେବେ ଏସମସ୍ତ ସଂକ୍ରମିତ ବିଦେଶୀ ନାଗରିକ ଭାବେ ଠାବ କରାଯାଇଛନ୍ତି।










