ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ନିକଟ ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ବଜାର ନିକଟସ୍ଥ ରାହଞ୍ଜା- ଅସୁରା ଛକରେ ବିଳମ୍ବିତ ରାତିରେ ସିରିଜ ଦୁର୍ଘଟଣା ଘଟିଛି । ଟ୍ରକକୁ ଧକ୍କା ଦେଇ ରାସ୍ତାରେ ଠିଆ ହୋଇଥିବା ବସକୁ ପଛପଟୁ ଧକ୍କା ଦେଲା ଟ୍ରକା ଟ୍ରକକୁ ପଛ ପଟୁ ଧକ୍କା ଦେଲା ମଦ ବୋଝେଇ ପିକଅପ ଭ୍ୟାନ । ୬ ବସ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୨ ଜଣ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ୪ ଜଣ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପିକଅପ ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଚାପି ରହିବା ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । କଲିକତାରୁ ଭୁବନେଶ୍ୱର ଯାଉଥିଲା ଦଧିବାବନ ବସ । ମୃତ ଡ୍ରାଇଭରକୁ ଉଦ୍ଧାର କରିଛି ଅଗ୍ନିଶମବାହିନୀ । ଏହି ଛକରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏଥିପ୍ରତି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।










