ଭୁବନେଶ୍ୱର: ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟ ସମସ୍ୟାର ଉପସମ ନିମନ୍ତେ ବୃଦ୍ଧ ବୃଦ୍ଧାମାନଙ୍କ ଭୌତିକ ଓ ଅନ୍ୟାନ୍ୟ ଚିକିତ୍ସା ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କ ତରଫରୁ ୬ଟି ଜିଲ୍ଲାରେ ବାର୍ଦ୍ଧକ୍ୟ ଅକ୍ଷମତା ଉପଶମ କେନ୍ଦ୍ର ଖୋଲିବା ନିମନ୍ତେ ପଦକ୍ଷେପ ନିଆଯାଇଥିଲା । ଏଥି ମଧ୍ୟରୁ ବର୍ତ୍ତମାନ ୩ଟି ଜିଲ୍ଲା ମୟୁରଭଞ୍ଜ, କନ୍ଧମାଳ, ସମ୍ବଲପୁର ଜିଳ୍ଲାରେ ଉପଶମକେନ୍ଦ୍ର ଗୁଡିକରେ ବରିଷ୍ଠ ନାଗରିକମାନଙ୍କୁ ଚିକିତ୍ସା ସୁବିଧା ମିଳୁଛି । ଆଉ ୩ଟି ଜିଲ୍ଲା ଖୋର୍ଦ୍ଧା, କଟକ ଓ ଗଞ୍ଜାମ ଜିଲ୍ଲାରେ ଏଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନିଆଯାଉଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନରେ ଏହି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ମୟୁଭଞ୍ଜ ଜିଲ୍ଲାରେ ଥିବା ଜେରିଆଟିକ ୱାଡରେ ୨୦୨୧-୨୨ ରୁ ୨୦୨୪-୨୫ ବର୍ଷ ମଧ୍ୟରେ ମୋଟ୍ ୧୩୯୫ ଜଣ ବରିଷ୍ଠ ନାଗରିକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିବାବେଳେ ଏହି ସମୟରେ କନ୍ଧମାଳ ଜିଲ୍ଲାରେ ୨୬୪ଜଣଙ୍କୁ ଏବଂ ସମ୍ବଲପୁର ଜିଲ୍ଲାରେ ୧୬୯୨ ଜଣ ବରିଷ୍ଠ ନାଗରିକ ଚିକିତ୍ସା ସୁବିଧା ପାଇଛନ୍ତି ।