ଭୁବନେଶ୍ୱର: ପୁଣି ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ମେଳି। ତାଙ୍କର ସରକାରୀ କ୍ବାର୍ଟରରେ ଏକାଠି ହେଲେ ଯାଜପୁର ବିଜେଡିର ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ପ୍ରୀତିରଂଜନ ଘଡ଼େଇ, ସୁଜାତା ସାହୁ, କ୍ୟାପଟେନ୍ ରାଜନାରାୟଣ ମହାପାତ୍ର ଓ ବିଶ୍ବ ମଲ୍ଲିକ। ତେବେ ପ୍ରମିଳା ମଲ୍ଲିଙ୍କ ଘରେ ଯାଜପୁର ନେତାଙ୍କ ବୈଠକ ପରେ ଏବେ ନବୀନ ନିବାସରେ ବଡ଼ ହଲଚଲ ଦେଖିବାକୁ ମିଳିଛି । ଜଣକ ପରେ ଜଣେ ବରିଷ୍ଠ ନେତା ଏବେ ନିବୀନ ନିବାସରେ ପହଞ୍ଚୁଥିବା ଦେଖିବାକୁ ମିଳିଛି । ପ୍ରମିଳା ମଲ୍ଲିକଙ୍କ ସମେତ ସଞ୍ଜୟ ଦାସବର୍ମା ଓ ପ୍ରତାପ ଜେନା ମଧ୍ୟ ନବୀନ ନିବାସରେ ପହଞ୍ଚିଛନ୍ତି । ତେବେ ଯାଜପୁର ନେତାଙ୍କ ମଧ୍ୟରେ ତାଳମେଳ ରହୁନଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ସବୁଠାରୁ ବଡ଼ କଥା ହେଉଛି ପ୍ରମିଳା ମଲ୍ଲିଙ୍କ ଘରେ ଯାଜପୁର ନେତାଙ୍କ ବୈଠକ ପରେ ପ୍ରୀତିରଞ୍ଜନ ଘଡ଼ାଇ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯାଜପୁରରେ ବଡ଼ ନେତା ହେଉଛନ୍ତି ଜନତା । ଉପଯୁକ୍ତ ଦାୟିତ୍ୱ ନେବା ସମୟ ଆସିଛି । ଜନତା ଏବେ ନୂଆ ନେତୃତ୍ୱ ଚାହୁଁଛନ୍ତି । ନଚେତ ପଞ୍ଚାୟତ ନିର୍ବାଚନରେ ପ୍ରଭାବ ପଡ଼ିବ । ଗଣତନ୍ତ୍ରରେ ଜନସାଧାରଣ ଆମ ମାଲିକ । ଭୋଟର ଆମ ଭଗବାନ । ଭୋଟରଙ୍କୁ ସମ୍ମାନ ଦେଇ ସେମାନଙ୍କ ଆଶ ନେଇ କାମ କରିବାକୁ ପଡ଼ିବ । ଯେଉଁମାନେ ନିଜକୁ ବାଘ କହୁଥିଲେ ସେମାନେ ଭୋଟରଙ୍କ ପାଖରେ କାଜଗ ବାଘ ବୋଲି ପ୍ରୀତିରଞ୍ଜନ ଘଡ଼ାଇ କହିଛନ୍ତି ।










