19.1 C
Bhubaneswar
Wednesday, January 21, 2026
Homeଓଡିଶାଚାପଯୁକ୍ତ ପାଇପ୍ ଆଧାରିତ ଜଳସେଚନ ପ୍ରକ୍ରିୟା ଆପଣାଇବା ପାଇଁ ଗୋଷ୍ଠୀ ସଚେତନତା ଓ ପ୍ରସ୍ତୁତି ସଂପର୍କିତ...

ଚାପଯୁକ୍ତ ପାଇପ୍ ଆଧାରିତ ଜଳସେଚନ ପ୍ରକ୍ରିୟା ଆପଣାଇବା ପାଇଁ ଗୋଷ୍ଠୀ ସଚେତନତା ଓ ପ୍ରସ୍ତୁତି ସଂପର୍କିତ ଆଲୋଚନା ଚକ୍ର

ଭୁବନେଶ୍ୱର: ଆଜି ଜଳ ସମ୍ପଦ ବିଭାଗ ପକ୍ଷରୁ ‘ଚାପଯୁକ୍ତ ପାଇପ୍ ଆଧାରିତ ଜଳ ସେଚନ ପ୍ରକ୍ରିୟା ଆପଣାଇବା ପାଇଁ ଗୋଷ୍ଠୀ ସଚେତନତା ଓ ପ୍ରସ୍ତୁତି ‘ ବିଷୟରେ ଏକ ଦିବସୀୟ ଆଲୋଚନାଚକ୍ର ଲୋକସେବା ଭବନସ୍ଥିତ କନଭେନସନ୍ ସେଣ୍ଟରରେ ଆୟୋଜିତ ହୋଇଯାଇଛି । କୃଷି କ୍ଷେତ୍ରରେ ଜଳର ସଠିକ୍ ବ୍ୟବହାର, ଜଳସେଚନ କ୍ଷମତା ବୃଦ୍ଧି ଏବଂ ଗ୍ରାମ୍ୟ ସ୍ତରରେ କୃଷକଙ୍କ ଆୟ ବୃଦ୍ଧି ଉପରେ ଆଲୋଚନା ନିମନ୍ତେ ଅନ୍ତର୍ଜାତୀୟ ଓ ରାଷ୍ଟ୍ରୀୟ ସଂଗଠନ, ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ, ଉପଖଣ୍ଡ ଏବଂ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷର ତୃଣମୂଳ ସଦସ୍ୟ, ବିଭିନ୍ନ ଜିଲ୍ଲାର ଶ୍ରେଷ୍ଠ କୃଷକମାନଙ୍କର ସହଯୋଗ ଓ ଅନୁଭବ ବିନିମୟ ନିମନ୍ତେ ଏହା ଏକ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିଥିଲା । ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଗୋଷ୍ଠୀଗତ ସହଭାଗିତା, ଜନସାଧାରଣଙ୍କ ସହଭାଗିତା ଉପରେ ଅଧିକ ଗୁରୁତ୍ଵ ଦେଇ ଚାପଯୁକ୍ତ ପାଇପ୍ ଆଧାରିତ ଜଳସେଚନ ପ୍ରଣାଳୀକୁ ଲୋକପ୍ରିୟ କରିବାକୁ ପରାମର୍ଶ ଦେଇଥିଲେ । ଏହା ମାଧ୍ୟମରେ ପାଣିର ଅପଚୟ ହ୍ରାସ, ସମାନ ଭାବରେ ଜଳ ବିତରଣ ଏବଂ ଫସଲ ଉତ୍ପାଦନରେ ସ୍ଥାୟୀ ବୃଦ୍ଧି ସୁନିଶ୍ଚିତ ହେବାର ଆଶା ପ୍ରକାଶ କରିଥିଲେ ।

ଆନ୍ତର୍ଜାତୀୟ ଜଳ ପରିଚାଳନା ପ୍ରତିଷ୍ଠାନର ଭାରତୀୟ ପ୍ରତିନିଧି ଡଃ. ଆଲୋକ ସିକ୍କା ଆଭାସୀ ମାଧ୍ୟମରେ ଯୋଗଦେଇ ଜଳ ପରିଚାଳନାରେ ବିଶ୍ୱସ୍ତରୀୟ ଅନୁଭବ ବର୍ଣ୍ଣନା କରିବା ସହ ଚାପଯୁକ୍ତ ପାଇପ୍ ଆଧାରିତ ଜଳ ସେଚନ ପ୍ରକ୍ରିୟା ମାଧ୍ୟମରେ କୃଷକମାନଙ୍କ ପାଇଁ ଜଳ-ଦକ୍ଷ କୃଷି ପଦ୍ଧତି ବିଷୟରେ ଉପସ୍ଥିତ କୃଷକ ବନ୍ଧୁମାନଙ୍କୁ ଜଣାଇଥିଲେ । ଆଇଆଇଟି ରୁର୍କିର ପ୍ରଫେସର ଡ଼. ଦୀପକ ଖାରେ ଆଭାସୀ ମାଧ୍ୟମରେ ଯୋଗଦେଇ ଚାପଯୁକ୍ତ ସେଚନ ପ୍ରଣାଳୀର ପ୍ରଯୁକ୍ତିଗତ ଦିଗ ଓ ଏହାର ଦୀର୍ଘକାଳୀନ ଲାଭ ବିଷୟରେ ଆଲୋକପାତ କରି ଫସଲ ଉତ୍ପାଦନ ଓ କୃଷକ ଆୟ ବୃଦ୍ଧିରେ ସାହାଯ୍ୟକାରୀ ହେବ ବୋଲି ମତପ୍ରକାଶ କରିଥିଲେ । ଜଳ ସମ୍ପଦ ବିଭାଗର ପ୍ଲାନିଂ ଏବଂ ଡିଜାଇନର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଲିଙ୍ଗରାଜ ଗୌଡ଼ ଏବଂ ଡ୍ରେନେଜର ମୁଖ୍ୟ ଯନ୍ତ୍ରୀ ଶ୍ରୀ ଅବିନାଶ ରାଉଳ ଚାପଯୁକ୍ତ ପାଇପ୍ ଆଧାରିତ ଜଳ ସେଚନର ତୃଣମୂଳ ସ୍ତରରେ ପ୍ରୟୋଗ ନିମନ୍ତେ କୃଷକଭାଇମାନଙ୍କୁ ପିପିଟି ଉପସ୍ଥାପନା ମାଧ୍ୟମରେ ବିସ୍ତୃତ ଦିଗଦର୍ଶନ ଦେଇଥିଲେ । ୟୁଏନଡିପିର ଷ୍ଟେଟ୍ ହେଡ୍‌ ଶ୍ରୀମତୀ ଅଭା ମିଶ୍ର କୃଷି, ଜଳ ସଞ୍ଚୟ ଓ ଜଳବାୟୁ ସହନଶୀଳ କୃଷି ପ୍ରଣାଳୀରେ ଚାପଯୁକ୍ତ ପାଇପ୍ ଆଧାରିତ ଜଳ ସେଚନ ପ୍ରକ୍ରିୟାର ଭୂମିକାକୁ ଅତି ସରଳ ଭାଷାରେ ଉପସ୍ଥାପନ କରିଥିଲେ, ଯାହା ଗ୍ରାମ୍ୟ କୃଷକଙ୍କୁ ଦୀର୍ଘକାଳୀନ ଲାଭ ପ୍ରଦାନ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଆଲୋଚନା ଚକ୍ରର ପ୍ରାରମ୍ଭରେ ଜଳ ସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଓଆଇଆଇପିସିଆରଏ ର ନିର୍ଦ୍ଦେଶକ ଶ୍ରୀ ରଶ୍ମି ରଞ୍ଜନ ନାୟକ ସ୍ୱାଗତ ଅଭିଭାଷଣ ସହ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥାପନ କରିଥିଲେ।

ପରେ ଆଲୋଚନା ଅଧିବେଶନରେ ଆଇ.ସି.ଏ.ଆରର ପ୍ରମୁଖ ବୈଜ୍ଞାନିକ ଡଃ ଆର କେ ପଣ୍ଡା, ଆଇ.ସି.ଏ.ଆର୍.ଡି.ଏ ର ପ୍ରମୁଖ ବୈଜ୍ଞାନିକ ଡଃ କିଶୋର ବେହେରା, ସିୱାର ପ୍ରଧାନ ବୈଜ୍ଞାନିକ ଡଃ ପ୍ରବୀଣ ଝାକର ଓ ଏନ୍ଆଇଟି ରାଉରକେଲାର ପ୍ରଫେସର ଡଃ ରତ୍ନାକର ସ୍ୱାଇଁ ଅଂଶଗ୍ରହଣ କରି ବିଭନ୍ନ ଜିଲ୍ଲାରୁ ଆସିଥିବା କୃଷକ ପ୍ରତିନିଧିମାନେ ଚାପଯୁକ୍ତ ପାଇପ୍ ଆଧାରିତ ଜଳ ସେଚନ ପ୍ରକ୍ରିୟା ସମ୍ପର୍କିତ ନିଜ-ନିଜ ବ୍ୟବହାରିକ ଅନୁଭବ ବାଣ୍ଟିଥିଲେ। ସେମାନେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶ୍ରେଷ୍ଠ କୃଷକ ଓ ପାଣି ପଞ୍ଚାୟତର ସଭାପତି ଓ ସମ୍ପାଦକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଏହି ଆଲୋଚନା ଚକ୍ରରେ ଜଳ ସଂପଦ ବିଭାଗ ଅତିରିକ୍ତ ଶାସନ ସଚିବ ତଥା ଓଏଲଆଇସିର ପରିଚାଳନା ନିର୍ଦ୍ଦେଶିକା ମାନସୀ ନିମ୍ବାଲଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ ମୁଖ୍ୟ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking