32.1 C
Bhubaneswar
Wednesday, April 2, 2025
Homeଦେଶ ବିଦେଶଇ-ମେଲ ଯୋଗେ ଆତ୍ମ-ନିର୍ବାସ ପାଇଁ ନିର୍ଦ୍ଦେଶ: ବିଦାହେବେ ଶହ ଶହ ଛାତ୍ରଛାତ୍ରୀ, ପ୍ରଭାବିତ ହେବ ସେମାନଙ୍କ...

ଇ-ମେଲ ଯୋଗେ ଆତ୍ମ-ନିର୍ବାସ ପାଇଁ ନିର୍ଦ୍ଦେଶ: ବିଦାହେବେ ଶହ ଶହ ଛାତ୍ରଛାତ୍ରୀ, ପ୍ରଭାବିତ ହେବ ସେମାନଙ୍କ ପାଠପଢ଼ା

ୱାଶିଂଟନ : ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଶହ ଶହ ବିଦେଶୀ ଛାତ୍ରମାନଙ୍କୁ ଇ-ମେଲ୍ ଜରିଆରେ ସ୍ୱତଃପ୍ରବୃତ୍ତ ଭାବେ ଆମେରିକା ଛାଡିବାକୁ (ନିର୍ବାସନ) ନିର୍ଦ୍ଦେଶ ଜାରି କରାଯାଇଛି। ଏପରିକି ଏହି ବିଦେଶୀ ଛାତ୍ରଛାତୀମାନଙ୍କ ଏଫ୍‌-୧ ଭିସା (ଛାତ୍ର ଭିସା) ମଧ୍ୟ ରଦ୍ଦ କରିଦିଆଯାଇସାରିଛି। ରିପୋର୍ଟ ଅନୁସାରେ ଶହଶହ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କୁ ଆମେରିକୀୟ ବୈଦେଶିକ ବିଭାଗ ପକ୍ଷରୁ ସ୍ୱୟଂ-ନିର୍ବାସନ କରିବାକୁ ଇମେଲ୍ ମିଳିଛି। ତେବେ ଏହି କାର୍ଯ୍ୟାନୁଷ୍ଠାନ କେବଳ କ୍ୟାମ୍ପସ କାର୍ଯ୍ୟକଳାପରେ ଶାରୀରିକ ଭାବରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୀମିତ ନୁହେଁ, ବରଂ ଆମେରିକା ସରକାରଙ୍କ ନୀତିକୁ ବିରୋଧ କରି ଯେଉଁ ଛାତ୍ରଛାତ୍ରୀମାନେ ସୋସିଆଲ ମିଡିଆରେ କିଛି ମତମନ୍ତବ୍ୟ କିମ୍ବା ଭିଡିଓ, ଅଡିଓ ଆଦି ପୋଷ୍ଟ କରିଥିବେ ସେମାନଙ୍କ ପାଇଁ ମଧ୍ୟ ଏହି ଇ-ମେଲ୍ ଜାରି କରାଯାଇଛି। ବିଶେଷକରି ପାଲେଷ୍ଟାଇନ୍‌କୁ ସମର୍ଥନ କରିବା ଆଳରେ ଆମେରିକା ସରକାରଙ୍କ ବିରୋଧରେ ବିକ୍ଷୋଭ, ଧାରଣା ଆଦି ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଟାର୍ଗେଟ୍ ପୂର୍ବକ ଆମେରିକା ସରକାର ସେମାନଙ୍କ ଛାତ୍ର ଭିସାକୁ ବାତିଲ କରିଛନ୍ତି। ଅର୍ଥାତ୍ ଏମାନଙ୍କୁ ମଧ୍ୟ ଏବେ ନିର୍ବାସନ ପରିଣାମର ସମ୍ମୁଖୀନ ହେବାକୁ ପଡ଼ିବ। ତେବେ ଏହି ପ୍ରକ୍ରିୟାରେ ଅନେକ ଭାରତୀୟ ଛାତ୍ରୀଛାତ୍ରୀ ମଧ୍ୟ ସାମିଲ ଅଛନ୍ତି ଯେଉଁମାନେ ଏବେ ଆମେରିକା ଛାଡିବାକୁ ବାଧ୍ୟହେବେ। ଓପନ୍ ଡୋର୍ସର ସଦ୍ୟତମ ରିପୋର୍ଟ ଅନୁଯାୟୀ, ୨୦୨୩-୨୪ ମସିହାରେ ଆମେରିକାରେ ପଢ଼ୁଥିବା ୧.୧ ନିୟୁତ ଆନ୍ତର୍ଜାତୀୟ ଛାତ୍ରଙ୍କ ମଧ୍ୟରୁ ୩.୩୧ ଲକ୍ଷ ଭାରତୀୟ ଛାତ୍ର। ଏମାନଙ୍କ ମଧ୍ୟରୁ ଅନେକ ଭାରତୀୟ ଛାତ୍ରଛାତ୍ରୀ ପାଲେଷ୍ଟାଇନ୍ ସମର୍ôଥତ ବିକ୍ଷୋଭରେ ସାମିଲ ହୋଇଥିବା ଆମେରିକା ସରକାର ଜାଣିବାକୁ ପାଇଛନ୍ତି। ଏସମସ୍ତ ଛାତ୍ରଛାତ୍ରୀଙ୍କୁ ଇ-ମେଲ୍ ଯୋଗେ ତୁରନ୍ତ ଆମେରିକା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କେତେ ସଂଖ୍ୟକ ଭାରତୀୟ ଛାତ୍ରଛାତ୍ରୀ ଏହି ପ୍ରକ୍ରିୟାରେ ନିର୍ବାସିତ ହେବେ ତାହାର ସଠିକ୍ ସୂଚନା ମିଳିପାରିନାହିଁ। ସବୁଠୁ ବଡ଼କଥା ହେଉଛି, ଇ-ମେଲ୍ ଯୋଗେ ଛାତ୍ରମାନଙ୍କୁ ଚେତାବନୀ ଦିଆଯାଇଛି ଯେ ଯଦି ସେମାନେ ବୈଧ ପ୍ରବାସୀ ସ୍ଥିତି ବିନା ଆମେରିକାରେ ରୁହନ୍ତି, ତେବେ ସେମାନଙ୍କୁ ଜୋରିମାନା, ଅଟକ ଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ।

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ଅନେକ ଆନ୍ତର୍ଜାତୀୟ ଛାତ୍ରଙ୍କ ଭିସା ବାତିଲ ଘୋଷଣା କରିବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି। ରୁବିଓଙ୍କ କାର୍ଯ୍ୟାଳୟ ମଧ୍ୟ ସମ୍ପ୍ରତି ଏକ ଏଆଇ ଚାଳିତ ଆପ୍‌, “କ୍ୟାଚ୍ ଆଣ୍ଡ୍ ରିଭୋକ୍‌’ ଲଞ୍ଚ କରିଛି। ଏହାଦ୍ୱାରା ହମାସ କିମ୍ବା ଅନ୍ୟ ନିର୍ଣ୍ଣିତ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ କରୁଥିବା ଛାତ୍ରମାନଙ୍କର ଭିସା ଚିହ୍ନଟ ଏବଂ ପ୍ରତ୍ୟାହାର କରାଯାଇପାରିବ। ଏହି କାର୍ଯ୍ୟକ୍ରମର ଅନ୍ୟ ଏକ ଅଂଶ ଭାବେ, ଆମେରିକୀୟ ବୈଦେଶିକ ବିଭାଗ (ଯାହା ମଧ୍ୟରେ କନସୁଲାର ଅଧିକାରୀମାନେ ମଧ୍ୟ ଅନ୍ତର୍ଭୁକ୍ତ) ଏଫ୍ (ଶିକ୍ଷାକ୍ଷେତ୍ରରେ ଶିକ୍ଷା ଭିସା), ଏମ୍ (ବୃତ୍ତିଗତ ଅଧ୍ୟୟନ ଭିସା), କିମ୍ବା ଜେ (ବିନିମୟ ଭିସା) ଭଳି ନୂତନ ଛାତ୍ର ଭିସା ଆବେଦନଗୁଡ଼ିକୁ ମଧ୍ୟ ଯାଞ୍ଚ କରୁଛି। ଏସବୁରେ ଦୋଷୀ ସାବ୍ୟସ୍ତ ହେଲେ, ଆବେଦନକାରୀଙ୍କୁ ଆମେରିକାରେ ପଢ଼ିବାର ସୁଯୋଗ ଦିଆଯିବନାହିଁ।

ଇ-ମେଲ୍‌ରେ ଉଲ୍ଲେଖ କରାଯାଇଛି ଯେ, “ଯେତେବେଳେ ଆପଣ ଆମେରିକା ଛାଡିବେ, ଆପଣଙ୍କୁ ଭିସା ପ୍ରଦାନ କରିଥିବା ଆମେରିକୀୟ ଦୂତାବାସ କିମ୍ବା କନସୁଲେଟ୍ ନିକଟରେ ବ୍ୟକ୍ତିଗତ ଭାବରେ ଆପଣଙ୍କର ପାସପୋର୍ଟ ଉପସ୍ଥାପନ କରିବାକୁ ପଡିବ, ଯାହାଦ୍ୱାରା ଆପଣଙ୍କର ଭିସାକୁ ଶାରୀରିକ ଭାବରେ ବାତିଲ କରାଯାଇପାରିବ। ଆପଣ ଆପଣଙ୍କର ଭିସା ବ୍ୟବହାର କରିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ, କାରଣ ଏହା ବାତିଲ ହୋଇସାରିଛି। ଯଦି ଆପଣ ଭବିଷ୍ୟତରେ ଆମେରିକା ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଅନ୍ୟ ଏକ ଆମେରିକୀୟ ଭିସା ପାଇଁ ଆବେଦନ କରିବାକୁ ପଡିବ, ଏବଂ ସେହି ସମୟରେ ଆପଣଙ୍କର ଭିସା ପାଇଁ ଯୋଗ୍ୟତା ବିଷୟରେ ନିଷ୍ପତ୍ତି ନିଆଯିବ। ଭିସା କାହାର ଜନ୍ମଗତ ଅଧିକାର ନୁହେଁ।’ ମାର୍କୋ ରୁବିଓ ମଧ୍ୟ ଚଳିତ ସପ୍ତାହର ଆରମ୍ଭରେ ଜୋର ଦେଇ କହିଥିଲେ ଯେ ଆମେରିକାର ଭିସା “ଜନ୍ମାଧିକାର ନୁହେଁ’ ଏବଂ ଯେଉଁମାନେ ଗସ୍ତ ସର୍ତ୍ତାବଳୀ ଉଲ୍ଲଂଘନ କରିବେ ସେମାନଙ୍କୁ ଦେଶ ଛାଡିବାକୁ ପଡିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking