21.1 C
Bhubaneswar
Thursday, February 19, 2026
Homeଓଡିଶାମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ

ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବୁଧବାର ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ସଂପର୍କରେ ନିଯୁକ୍ତି ନେଇ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀଗୁଡ଼ିକ ପୂରଣ କରିବା ପାଇଁ ସବୁବେଳେ ଗୁରୁତ୍ୱାରୋପ କରିଆସୁଥିବା ବେଳେ ଆଗାମୀ ଜୁନ୍ ୨୦୨୬ ସୁଦ୍ଧା ୬୫,୦୦୦ ନିଯୁକ୍ତି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ନୂତନ ସରକାର ଗଠନ ପରେ ଅଦ୍ୟାବଧି ବିଭିନ୍ନ ବିଭାଗମାନଙ୍କ ଦ୍ୱାରା ନିଯୁକ୍ତି ପ୍ରକ୍ରିୟାରେ ତଥା ନିଯୁକ୍ତି ମେଳା ମାଧ୍ୟମରେ ୩୯,୫୦୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ୩ ମାସ ମଧ୍ୟରେ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରାଯାଇଥିଲା। ୩ ମାସ ମଧ୍ୟରେ ଆଉ ୩୪,୬୪୧ ନିଯୁକ୍ତି ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରାପ୍ତ ପ୍ରସ୍ତାବ ଅନୁସାରେ ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଏବଂ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଆଦିଙ୍କୁ ନିଯୁକ୍ତି ପାଇଁ ଅନୁରୋଧ କରାଯାଇଛି। ବିଭିନ୍ନ ବିଭାଗରେ ନିଯୁକ୍ତି ନେଇ ରହୁଥିବା ବିଭିନ୍ନ ସମସ୍ୟା ଓ ସମାଧାନ ସଂପର୍କରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଆଲୋଚନା କରିଥିଲେ। ବିଭିନ୍ନ ବିଭାଗମାନଙ୍କୁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ନିୟମିତ ସମୀକ୍ଷା ସହ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ତତ୍ ସହିତ ଆଗାମୀ ବର୍ଷରେ ମଧ୍ୟ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ନିୟମିତ ତଥ୍ୟ ପ୍ରେରଣ ପାଇଁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।

ଏହାଛଡ଼ା ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭ ଲକ୍ଷ୍ୟ ରଖି ପ୍ରସ୍ତୁତି ହୋଇଥିବା ୨ ବର୍ଷିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା ନେଇ ନିୟମିତ ସମୀକ୍ଷା ଓ ଏନେଇ ନିର୍ଦ୍ଧାରିତ ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ (କେପିଆଇ) କୁ ସରଳୀକରଣ କରି କାର୍ଯ୍ୟ ଅଗ୍ରଗତି କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ ବିନ୍ଦୁ କାର୍ଯ୍ୟସୂଚୀ ମଧ୍ୟରେ ଭିଜନ ଡକ୍ୟୁମେଣ୍ଟ ଲକ୍ଷ୍ୟ କାର୍ଯ୍ୟକାରୀ କରିବା ଅନ୍ୟତମ ପ୍ରାଥମିକତା ରହିଥିବାରୁ ଓଡ଼ିଶାର ଦୀର୍ଘମିଆଦୀ ଲକ୍ଷ୍ୟ ହାସଲ ପାଇଁ ଏଥିପ୍ରତି ସମସ୍ତ ବିଭାଗମାନେ ଗୁରୁତ୍ୱ ଦେବା ଓ ନିୟମିତ ସମୀକ୍ଷା ସମ୍ପର୍କରେ ମୁଖ୍ୟ ସଚିବ ଆଲୋଚନା କରି ପରାମର୍ଶ ଦେଇଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ମଧ୍ୟ “୩୬ ଫର ୩୬” ପ୍ରମୁଖ ପଦକ୍ଷେପ ଅନ୍ତର୍ଗତ ପ୍ରତ୍ୟେକ ଜିଲ୍ଲାରେ ସନ୍ତୁଳିତ ଓ ସମୟବଦ୍ଧ ବିକାଶ ଉପରେ ଗୁରୁତ୍ୱ ଦେଇ ବଡ଼ ବଡ଼ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ନେଇ ସମୀକ୍ଷା ଓ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ।

ଏହାଛଡ଼ା ୨୦୨୫-୨୬ ବଜେଟ୍ ଅନୁମୋଦନ ଅନୁସାରେ ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ବଜେଟ ଖର୍ଚ୍ଚ ଶେଷ କରିବା ଓ ସଂପୃକ୍ତ ବିଭାଗମାନଙ୍କ ଦ୍ୱାରା ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ତତ୍ ସହିତ ବିଭିନ୍ନ ସମୟରେ ସାଂସଦ ଓ ବିଧାୟକମାନେ ଦେଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ, ପରାମର୍ଶ ଏବଂ ପ୍ରକଳ୍ପଗୁଡ଼ିକୁ ବିଭାଗମାନେ ଅନୁଧ୍ୟାନ କରିବା ଏବଂ ସେସବୁର କାର୍ଯ୍ୟକାରିତା ପାଇଁ କଣ ପଦକ୍ଷେପ ନିଆଯାଇଛି, ସେ ସଂପର୍କରେ ଦୃଷ୍ଟି ଦେବାକୁ ମୁଖ୍ୟ ଶାସନ ସଚିବ ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଯୋଗଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking