25.1 C
Bhubaneswar
Saturday, December 6, 2025
Homeଓଡିଶାଜାତୀୟ ଶିକ୍ଷା ନୀତି ୨୦୨୦ର କାର୍ଯ୍ୟାନ୍ୱୟନ ନିମନ୍ତେ ଦ୍ୱିତୀୟ ରାଜ୍ୟ ଟାସ୍କ ଫୋର୍ସ ବୈଠକ...

ଜାତୀୟ ଶିକ୍ଷା ନୀତି ୨୦୨୦ର କାର୍ଯ୍ୟାନ୍ୱୟନ ନିମନ୍ତେ ଦ୍ୱିତୀୟ ରାଜ୍ୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ଜାତୀୟ ଶିକ୍ଷା ନୀତି (NEP) ୨୦୨୦ର କାର୍ଯ୍ୟାନ୍ୱୟନ ପାଇଁ ଦ୍ୱିତୀୟ ରାଜ୍ୟ ଟାସ୍କ ଫୋର୍ସ ବୈଠକ ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ବିଭାଗର ସମନ୍ୱୟରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ଶିକ୍ଷା ନୀତି ୨୦୨୦ ର ବିଭିନ୍ନ ଦିଗ ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଥିଲା ।

ବୈଠକରେ ଶ୍ରୀ ସଞ୍ଜୀବ କୁମାର ମିଶ୍ର, ପ୍ରମୁଖ ଶାସନ ସଚିବ, ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ, ଶ୍ରୀମତୀ ଶାଲିନୀ ପଣ୍ଡିତ, କମିଶନର ତଥା ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, କମିଶନର ତଥା ଶାସନ ସଚିବ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଏବଂ ମହିଳା ଓ ଶିଶୁ ବିକାଶ, ଉଚ୍ଚଶିକ୍ଷା, ଯୋଜନା ଓ ସଂଯୋଜନା, DTE&SCERT, ଏବଂ OSEPA ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ସହଯୋଗୀ ଅନୁଷ୍ଠାନର ପ୍ରତିନିଧିମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ । ବୈଠକରେ ଉନ୍ନୟନ କମିଶନର ଆଇଟି ସକ୍ଷମ ମନିଟରିଂ ସିଷ୍ଟମ କାର୍ଯ୍ୟକାରୀ ଏବଂ ବହୁଭାଷୀ ଶିକ୍ଷା କୁ ପ୍ରୋତ୍ସାହନ ଦେବା ଦିଗରେ ଧ୍ୟାନ ଦେଇଥିଲେ ।

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟାନ୍ୱୟନ ନିମନ୍ତେ ରାଜ୍ୟ ଟାସ୍କ ଫୋର୍ସ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ଆଲୋକପାତ କରିଥିଲା । NCERT ଏବଂ RIE ଭୁବନେଶ୍ୱର ସହାୟତାରେ ଶିଶୁ ବାଟିକାରେ ସାମିଲ୍ ଥିବା ଶିକ୍ଷକମାନଙ୍କ ପାଇଁ ସହଯୋଗୀ ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ପରିଚାଳନା କରାଯାଇଥିଲା । ଏଥିସହିତ ନୂତନ କାର୍ଯ୍ୟପୁସ୍ତିକା ଏବଂ ଶିକ୍ଷକ ହ୍ୟାଣ୍ଡବୁକ୍ ବିକଶିତ କରାଯିବା ସହ ଏହାକୁ ରାଜ୍ୟବ୍ୟାପୀ ବଣ୍ଟନ କରାଯାଇଛି । NCERT ର ନିର୍ଦ୍ଦେଶାବଳୀ ସହ ସମନ୍ୱୟ ରଖି ଶିଶୁ ବାଟିକା (ପ୍ରାକ୍-ପ୍ରାଥମିକ) ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମର ବିକାଶ, ପାଠ୍ୟପୁସ୍ତକ ପ୍ରସ୍ତୁତି ଏବଂ ତାଲିମରେ ଶିକ୍ଷକମାନଙ୍କ ଭୂମିକାକୁ ବ୍ୟାପକ କରିବା ପାଇଁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (DTE-SCERT) କୁ ସୁଦୃଢ଼ କରାଯାଉଛି ।

ଏହାସହିତ, ମଇ ୨୦୨୫ ରେ ଆରମ୍ଭ ହୋଇଥିବା ଏକ ସ୍ୱତନ୍ତ୍ର ଘର କୁ ଘର ବୁଲି ସର୍ଭେ ଅଭିଯାନର ଲକ୍ଷ୍ୟ ଥିଲା ବିଦ୍ୟାଳୟ ଛାଡ଼ୁଥିବା ପିଲାମାନଙ୍କୁ ଚିହ୍ନଟ କରିବା, ବିଶେଷ ଆବଶ୍ୟକତା ଥିବା ପିଲାମାନଙ୍କୁ (CwSN) ଚିହ୍ନଟ କରିବା, ଜାତୀୟ ଶିକ୍ଷା ନୀତି ୨୦୨୦ ନିର୍ଦ୍ଦେଶ ଅନୁଯାୟୀ ବିଦ୍ୟାଳୟ ଛାଡ଼ୁଥିବା ପିଲାମାନଙ୍କୁ ଅଟକାଇବା ଏବଂ ବିଦ୍ୟାଳୟ ବାହାର ପିଲାମାନଙ୍କୁ ପୁନଃ ନାମ ଲେଖାଇବା, ବହୁଭାଷୀ ଶିକ୍ଷା (MLE) ଆବଶ୍ୟକତାଗୁଡ଼ିକର ମୂଲ୍ୟାଙ୍କନ କରିବା ।

ଏହାବ୍ୟତୀତ, ୨୦୨୪-୨୫ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଇଁ ପ୍ରଚଳିତ ହୋଲିଷ୍ଟିକ୍ ପ୍ରୋଗ୍ରେସ୍ କାର୍ଡ (HPC) ଛାତ୍ରଛାତ୍ରୀମାନଙ୍କ ସୃଜନଶୀଳତା, ସମାଲୋଚନାମୂଳକ ଚିନ୍ତାଧାରା ଏବଂ ଜୀବନ କୌଶଳ ଦକ୍ଷତାକୁ ମୂଲ୍ୟାଙ୍କନ କରିବା ଉପରେ ଧ୍ୟାନ ଦେଉଛି । ଏଥିସହ ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲାର ପ୍ରଗତିକୁ ଟ୍ରାକ୍ କରିବା ପାଇଁ ଏକ ଆଇଟି ସକ୍ଷମ ମନିଟରିଂ ସିଷ୍ଟମ ବିକଶିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ।

ଓଡ଼ିଶା ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ୪୫୦୦୦ ରୁ ଅଧିକ ପ୍ରାକ୍-ପ୍ରାଥମିକ ଶିଶୁ ବାଟିକା ଶ୍ରେଣୀଗୃହ ପ୍ରତିଷ୍ଠା କରାଯାଇଛି ଏବଂ “ଶିକ୍ଷଣ ସୋପାନ” ମୂଲ୍ୟାଙ୍କନ ରେଜିଷ୍ଟର ଏବଂ ଇ-ଜାଦୁଇ ପିଟାରା ଆପ୍ ଭଳି ପ୍ଲାଟଫର୍ମ ସହିତ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ, ଶିକ୍ଷକ ହ୍ୟାଣ୍ଡବୁକ୍ ଏବଂ କାର୍ଯ୍ୟପୁସ୍ତକ ମାଧ୍ୟମରେ ଆଇଟି ସକ୍ଷମ ଶିକ୍ଷା ଭଳି ପଦକ୍ଷେପ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟରେ ପିଏମ-ଶ୍ରୀ ଯୋଜନା ଓ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଆଦର୍ଶ ବିଦ୍ୟାଳୟକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking