ଭୁବନେଶ୍ୱର: ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀର ଦ୍ୱିତୀୟ ଦିନର ପଞ୍ଚମ ଅଧିବେଶନରେ ସଂସ୍ଥାଗତ ମଧ୍ୟସ୍ଥତାର ବିକାଶ ଉପରେ ଆଲୋକପାତ କରାଯାଇଥିଲା । ଉଦଯାପନୀ ସମାରୋହ ପୂର୍ବରୁ ଅନୁଷ୍ଠିତ ଏହି ଅଧିବେଶନରେ ମଧ୍ୟସ୍ଥତା ଆଇନକୁ କାର୍ଯ୍ୟକାରୀ କରିବାରେ ପ୍ରତିଷ୍ଠାନଗତ ଉନ୍ନତି, ମଧ୍ୟସ୍ଥତା ପରିଷଦ ଗଠନ ଓ ସଂସ୍ଥାଗୁଡ଼ିକର ସ୍ୱୀକୃତି, ଭାରତୀୟ ମଧ୍ୟସ୍ଥତା ପରିଷଦର ଭୂମିକା, ମଧ୍ୟସ୍ଥି ଓ ସେବା ପ୍ରଦାନକାରୀଙ୍କ ପାଇଁ ମାନକ ନିର୍ଦ୍ଧାରଣ ସହିତ ମଧ୍ୟସ୍ଥତାରେ ଗୁଣାତ୍ମକତା ଓ ଉତ୍ତରଦାୟିତ୍ୱକୁ ସୁନିଶ୍ଚିତ କରିବା ସଂପର୍କରେ ଏହି ଅଧିବେଶନରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହି ଅଧିବେଶନରେ ସୁପ୍ରିମକୋର୍ଟର ବିଚାରପତି ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ସହ-ଅଧ୍ୟକ୍ଷ ଭାବେ ଆଲହାବାଦ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ଅରୁଣ ଭଂସାଲୀ, ଜମ୍ମୁ କାଶ୍ମୀର ଓ ଲଦାଖ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ସଂଜୀବ ସଚ୍ଚଦେବା ଉପସ୍ଥିତ ଥିଲେ ।
ଅନ୍ୟାନ୍ୟ ଗରିମାମୟ ବ୍ୟକ୍ତିବର୍ଗ ମଧ୍ୟରେ ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ଗୁହାନାଥନ ନରେନ୍ଦର, ମୁଖ୍ୟ ବିଚାରପତି, ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟ; ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ସୁଜିତ ନାରାୟଣ ପ୍ରସାଦ, ନ୍ୟାୟାଧୀଶ, ଝାରଖଣ୍ଡ ଉଚ୍ଚ ନ୍ୟାୟାଳୟ; ମାନ୍ୟବର ନ୍ୟାୟମୂର୍ତ୍ତି ଏମ୍.ଆଇ. ଅରୁଣ, ନ୍ୟାୟାଧୀଶ, କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ; ଶ୍ରୀ ଅମିତ କୁମାର, ମହାଧିବକ୍ତା, ମେଘାଳୟ; ଶ୍ରୀ ଅନିଲ ସିଂହ, ଅତିରିକ୍ତ ସଲିସିଟର ଜେନେରାଲ୍, ମହାରାଷ୍ଟ୍ର ଉଚ୍ଚ ନ୍ୟାୟାଳୟ ଓ ଶ୍ରୀ ଏସ୍.ଡି. ସଂଜୟ, ଅତିରିକ୍ତ ସଲିସିଟର ଜେନେରାଲ୍, ସର୍ବୋଚ୍ଚ ନ୍ୟାୟାଳୟ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ ପୂର୍ବକ ବିଷୟଭିତ୍ତିକ ପ୍ରସଙ୍ଗରେ ଉପାଦେୟ ମତ ରଖିଥିଲେ ।










