-ପ୍ରାଥମିକ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ
-ହାଉସ ୟୁନିଫର୍ମ, ଟୋପିର ଲୋଗୋ ବି ପରିବର୍ତ୍ତନ
-ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମାର୍ଗଦର୍ଶିକା ଜାରି
ଭୁବନେଶ୍ୱର: ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଆଇଡି କାର୍ଡ (ପରିଚୟପତ୍ର) ରଙ୍ଗ ବଦଳିଛି। ୨୦୨୫-୨୬ ଶିକ୍ଷାବର୍ଷରୁ ନୂଆ ଆଇଡି କାର୍ଡ ପିନ୍ଧିବେ ଛାତ୍ରଛାତ୍ରୀ। ଏହି ଆଇଡି କାର୍ଡ ଗୁଡିକ ସବୁଜ ରଙ୍ଗରୁ ଗେରୁଆ ରଙ୍ଗକୁ ପରିବର୍ତ୍ତନ କରାଯାଇଛି। ହାଉସ ୟୁନିଫର୍ମ ଓ ଟୋପିର ଲୋଗୋକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଟୋପିର ରଙ୍ଗ ଧଳା ରହିଥିବା ବେଳେ ସେଥିରେ ସ୍ଲୋଗାନ ସହ ଲୋଗୋ ରହିଛି। ଚଳିତ ଶିକ୍ଷାବର୍ଷ (୨୦୨୫-୨୦୨୬)ରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ (ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ) ମାଗଣା ଜୋତା ଓ ମୋଜା ମିଳିବ। ୧ ହଳ ଜୋତା ଓ ୨ ହଳ ମୋଜା, ଗୋଟିଏ ଟି-ସାର୍ଟ, ଗୋଟିଏ ଟ୍ରାକ୍ ପ୍ୟାଣ୍ଟ, ଗୋଟିଏ ଟୋପି (ବ୍ରାଣ୍ଡିଂ ସହିତ) ଓ ଗୋଟିଏ ପରିଚୟପତ୍ର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମାର୍ଗଦର୍ଶିକା ଜାରି ହୋଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଜଣକ ପିଛା ୨୦୦ ଟଙ୍କା ମୂଲ୍ୟରେ ୧ ହଳ ଜୋତା ଓ ୨ ହଳ ମୋଜା, ୧୨୫ ଟଙ୍କା ମୂଲ୍ୟରେ ଗୋଟିଏ ଟି-ସାର୍ଟ ଓ ୧୨୫ ଟଙ୍କା ମୂଲ୍ୟରେ ଗୋଟିଏ ଟ୍ରାକ୍ ପ୍ୟାଣ୍ଟ, ୩୦ ଟଙ୍କା ମୂଲ୍ୟରେ ଗୋଟିଏ ଟୋପି (ବ୍ରାଣ୍ଡିଂ ସହିତ) ଓ ୨୦ ଟଙ୍କା ମୂଲ୍ୟରେ ଗୋଟିଏ ପରିଚୟ ପତ୍ର (ସମୁଦାୟ ୫୦୦ ଟଙ୍କାରେ) ବଣ୍ଟନ କରାଯିବ।
ଛାତ୍ରଛାତ୍ରୀଙ୍କୁ ଏକ ହଳ କଳା ରଙ୍ଗର ଜୋତା ଓ ଦୁଇ ହଳ ଧଳା ରଙ୍ଗର ମୋଜା ବଣ୍ଟନ କରାଯିବ। ହାଉସ ସିଷ୍ଟମ ପରିପାଟୀରେ ୧୦୦ ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟରେ ଦୁଇଟି ହାଉସ ଗଠନ କରାଯିବ। ଚାରୋଟି ରଙ୍ଗର ଟି-ସାର୍ଟ ମଧ୍ୟରୁ ଯେକୌଣସି ଦୁଇଟି ରଙ୍ଗର ଟି-ସାର୍ଟ ମନୋନୟନ କରାଯାଇ ବଣ୍ଟନ କରାଯିବ। ୧୦୦ ଜଣରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟରେ ୪ଟି ହାଉସ ଗଠନ କରାଯିବ। ଏହା ସହିତ ୪ଟି ରଙ୍ଗର ଟି-ସାର୍ଟ ମନୋନୟନ କରାଯାଇ ବଣ୍ଟନ ହେବ। ଛାତ୍ରଛାତ୍ରୀଙ୍କୁ ଗୋଟିଏ ଲେଖାଏଁ ଟି-ସାର୍ଟ ବ୍ରାଣ୍ଡିଂ ସହିତ ଏବଂ ଗୋଟିଏ ଲେଖାଏଁ ଟ୍ରାକ୍ ପ୍ୟାଣ୍ଟ ବଣ୍ଟନ କରାଯିବ। ଟୋପି ଓ ଟି-ସାର୍ଟରେ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା’ ବ୍ରାଣ୍ଡିଂ ଥିବା ଲୋଗୋ ରହିବ। ବିଦ୍ୟାଳୟ ପରିଚାଳନା କମିଟିର ଆକାଉଣ୍ଟକୁ ଏ ସମସ୍ତ ଜିନିଷ ବାବଦକୁ ଅର୍ଥ ଯୋଗାଇ ଦିଆଯିବ। ବିଦ୍ୟାଳୟ ପରିଚାଳନା କମିଟି ମାଧ୍ୟମରେ ବଣ୍ଟନ କରାଯିବ। ୨୦୨୪ ମସିହା ଅକ୍ଟୋବର ମାସ ୧ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଚିଠି ହୋଇଥିଲା। ଚିଠିରେ ଲେଖାଥିଲା ଯେ, ନବମ-ଦଶମ ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରେସଗୁଡିକ ସବୁଜ ବଦଳରେ ଖଇରିଆ- ବାଦାମୀ ରଙ୍ଗ ହେବ।
ରାଜ୍ୟରେ ଦୀର୍ଘ ୨୪ ବର୍ଷ ପରେ ବିଜେପି ସରକାର ଆସିବା ପରେ ଏକାଧିକ ଯୋଜନା ଓ କାର୍ଯ୍ୟକ୍ରମର ରଙ୍ଗ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏବେ ସ୍କୁଲ ପିଲାଙ୍କ ଡ୍ରେସକୋଡର ରଙ୍ଗ ପରିବର୍ତ୍ତନ ଓ ପିଲାଙ୍କର ସବୁଜ ଆଇଡି କାର୍ଡର ରଙ୍ଗ ମଧ୍ୟ ପରିବର୍ତ୍ତନ କରିଛନ୍ତି ମୋହନ ସରକାର। ରାଜ୍ୟରେ ବିଜେପି ସରକାର ଆସିବା ପରେ ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ରଙ୍ଗ ଓ ନାମ ପରିବର୍ତ୍ତନ କରାଯାଇଛି। ଏହିକ୍ରମରେ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପୋଷାକ ପରିବର୍ତ୍ତନ କରାଯାଇଛି। ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା’ ଅଧୀନରେ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ମାଧ୍ୟମିକ ଛାତ୍ରଛାତ୍ରୀ ନୂଆ ରଙ୍ଗର ପୋଷାକ ପିନ୍ଧୁଛନ୍ତି। କେବଳ ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରମାନେ ଖଇରିଆ ରଙ୍ଗର ଫୁଲ ପ୍ୟାଣ୍ଟ୍ ଓ ହାଲୁକା ବାଦାମୀ ରଙ୍ଗର ଚେକ୍ ସାର୍ଟ ପିନ୍ଧିବେ। ସେହିପରି ଛାତ୍ରୀମାନେ ଖଇରିଆ ରଙ୍ଗର ପ୍ୟାଣ୍ଟ୍ ଏବଂ କମିଜ୍ ଓ ହାଲୁକା ବାଦାମୀ ରଙ୍ଗର ସାର୍ଟ ପିନ୍ଧିବା ପାଇଁ ନିଷ୍ପତ୍ତି ହୋଇଛି। ପୂର୍ବ ସରକାରଙ୍କ ସମୟରେ ‘ମୁଖ୍ୟମନ୍ତ୍ରୀ ପରିଧାନ’ ଯୋଜନାରେ ନୂଆ ଲୁକ୍ ଓ ନୂଆ ରଙ୍ଗର ପୋଷାକରେ ସ୍କୁଲକୁ ଆସୁଥିଲେ ଛାତ୍ରଛାତ୍ରୀ। ପୂର୍ବ ସରକାର ଥିବା ସମୟରେ ସ୍କୁଲ ପୋଷାକର ରଙ୍ଗ ଏବଂ ଡିଜାଇନ ପରିବର୍ତ୍ତନ କରାଯାଇଥିଲା। ଯାହା ହଣ୍ଟର-ଗ୍ରୀନ୍ ରଙ୍ଗର ପୋଷାକ ପିନ୍ଧୁଥିଲେ ଛାତ୍ରଛାତ୍ରୀ। ଛାତ୍ରଙ୍କ ପାଇଁ ଫୁଲ ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡିଦାର-ପଞ୍ଜାବୀ ସହ ଜ୍ୟାକେଟ୍ ପୋଷାକ ରହିଥିଲା। ଡ୍ରେସରେ ଏକ ଲୋଗୋ ‘ଆମେ ଗଢିବୁ-ନୂଆ ଓଡ଼ିଶା’ ଲେଖା ରହିଥିଲା। ଛାତ୍ରଛାତ୍ରୀ ସପ୍ତାହରେ ୫ଦିନ ଏହି ୟୁନିଫର୍ମ ପିନ୍ଧୁଥିଲେ।










