ଭୁବନେଶ୍ୱର: କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ମର୍ମନ୍ତୁଦ ଅଗ୍ନିକାଣ୍ଡ ଏବଂ ଏଥିଯୋଗୁଁ ରୋଗୀଙ୍କ ମୃତ୍ୟୁ ଘଟଣାକୁ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଗୁରୁତ୍ୱର ନେଇଛନ୍ତି । ଏହି ଅଘଟଣର ପ୍ରକୃତ କାରଣ ଖୋଜି ବାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୋଟିଏ ୬ ଜଣିଆ ଉଚ୍ଚସ୍ତରୀୟ ‘ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍’ ଗଠନ କରିଛନ୍ତି । ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏହି କମିଟି କାର୍ଯ୍ୟ କରିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ, ଏହି କମିଟି ଆଜି ସନ୍ଧ୍ୟା ସୁଦ୍ଧା ନିଜର ତଦନ୍ତ ରିପୋର୍ଟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିବେ । ଏହି ରିପୋର୍ଟ ଆଧାରରେ ଅଗ୍ନିକାଣ୍ଡ ପାଇଁ ଦାୟୀ କାରଣ ଏବଂ ଅବହେଳା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ, ଯାହା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହସ୍ପିଟାଲରେ ରୋଗୀଙ୍କ ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ।










