ଭୁବନେଶ୍ୱର: ଓଡିଶା ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଶୋକ ପ୍ରସ୍ତାବ ଆଗତ । ଗୃହ କାର୍ଯ୍ୟ ଆରମ୍ଭରୁ ପ୍ରଥମେ ଦିବଂଗତ ସାଂସଦ ନାରାୟଣ ସାହୁଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଣିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶୋକ ପ୍ରସ୍ତାବ ଆଗତ ପାଇଁ ଅନୁମତି ଦେଲେ ବାଚସ୍ପତି ସୁରମା ପାଢୀ । ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମର୍ଥନ କରିଥିଲେ । ଏଥିସହିତ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ସମର୍ଥନ କରିଥିଲେ । ପୂର୍ବତନ ବିଧାୟକ ଡଃ ନାରାୟଣ ସାହୁଙ୍କ ଦେହାନ୍ତ ଅବସରରେ ବିଧାନସଭା ବଜେଟ ଅଧିବେଶନରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ।ଏନେଇ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ଗୃହର ମଧ୍ୟଭାଗକୁ ଆସି ହାତରେ ପ୍ଲାକାର୍ଡ ଧରି ଏସସିବି ଘଟଣା, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ନାରାବାଜି କରିଥିଲେ ବିରୋଧୀ । ବାଚସ୍ପତି ବିରୋଧୀଙ୍କୁ ବାରମ୍ବାର ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ପ୍ରଶ୍ନକାଳରେ ସହେଯାଗ କରିନଥିଲେ । ଆହୁରି ହୋହଲ୍ଲା ହଟ୍ଟଗୋଳ କରିଥିଲେ। ଚଳାଇ ଦେଇନଥିଲେ ପ୍ରଶ୍ନକାଳ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । କେବଳ ବିଧାନସଭା ଭିତରେ ନୁହେଁ ବାହାରେ ମଧ୍ୟ ବିଜେଡି , କଂଗ୍ରେସ, ସିପିଏମ ବିଧାୟକ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ମୁଲତବୀ ପରେ ବିଧାନସଭା ପ୍ରଶ୍ନକାଳ ଚାଲିବ ନା ପୂର୍ବ ଭଳି ଧୋଇ ହୋଇଯିବ ତାହା ଦେଖିବାକୁ ବାକି ରହିଲା ।










