ଭୁବନେଶ୍ୱର: ଆଜି ସାବିତ୍ରୀ । ସାବିତ୍ରୀ ବ୍ରତ ପାଇଁ ଚଳ ଚଞ୍ଚଳ ସାରା ରାଜ୍ୟ । ଆଜି ସଧବା ନାରୀମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ କାମନା ମନାସି ଏହି ବ୍ରତ ସ୍ୱଚ୍ଛ ମନରେ ପାଳନ କରିଥାନ୍ତି । କେବଳ ଏତିକି ନୁହେଁ ସ୍ତ୍ରୀମାନେ ମଥାରେ ସିନ୍ଦୁର, ହାତରେ ପ୍ରସାଦ ଥାଳି, ଲାଲ ଚୁଡି , ସୁନ୍ଦର ଲୁଗା ପରିଧାନ କରି ମନ୍ଦିର ମାନଙ୍କରେ ଭୋଗ କରିବା ପାଇଁ ଭିଡ ଜମାଇଥାନ୍ତି । ପୁରାଣ ଅନୁସାରେ ସତ୍ୟବାନଙ୍କର ପତ୍ନୀ ସାବିତ୍ରୀଙ୍କର ଏକାଗ୍ରତା, ପବିତ୍ରତା ଏବଂ ଧର୍ମ ନିଷ୍ଠା ଆଗରେ ହାର୍ ମାନିଥିଲେ ଯମରାଜା । କଠୋର ତପସ୍ୟା ଓ ପୂଜାର୍ଚ୍ଚନା କରି ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲେ । ତେଣୁ ଜ୍ୟେଷ୍ଠ ଅମାବାସ୍ୟାରେ ସଧବା ସ୍ତ୍ରୀମାନେ ମାଆ ସାବିତ୍ରୀଙ୍କୁ ସୁମରଣା କରି ପୂଜାର୍ଚ୍ଚନା କରନ୍ତି । ଯେହେତୁ ମାଆ ସାବିତ୍ରୀ ସତ୍ୟବାନଙ୍କୁ ଫେରାଇ ଆଣିବାକୁ ଜଙ୍ଗଲ ଭିତରେ ପୂଜା କରିଥିଲେ ସେଥିପାଇଁ ଏହି ଦିନ କେବଳ ଫଳ ମୂଳ ନେଇ ଚଉଁରା ପାଖରେ ପୂଜାର୍ଚ୍ଚନା କରାଯାଏ । କିଛି ସ୍ଥାନରେ ବଟ ସାବିତ୍ରୀ ବା ବଟ ଗଛକୁ ପୂଜା କରାଯାଏ । ମହିଳାମାନେ ଉପବାସ ରହି ବଟ ଗଛ ମୂଳରେ ବିଭିନ୍ନ ପ୍ରକାରର ଫଳ ମୂଳ ନେଇ ପୂଜା କରନ୍ତି ଏବଂ ସ୍ୱାମୀର ଦୀର୍ଘାୟୁ କାମନା କରନ୍ତି ।