26.1 C
Bhubaneswar
Friday, July 5, 2024
Homeଦେଶ ବିଦେଶସତ୍‌ସଙ୍ଗରେ ଦଳାଚକଟା, ୧୧୬ ମୃତ

ସତ୍‌ସଙ୍ଗରେ ଦଳାଚକଟା, ୧୧୬ ମୃତ

– ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଶୋକ
– ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ
– ଅଭିଯୁକ୍ତ ଆତ୍ମଘୋଷିତ ସନ୍ଥ ଫେରାର, ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ
– ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏ, ଆହତଙ୍କୁ ୫୦ ହଜାର ଲେଖାଏ ସହାୟତା

ହାଥ୍‌ରସ୍‌: ମଙ୍ଗଳବାର ଉତ୍ତରପ୍ରଦେଶର ହାଥ୍‌ରସ୍ ଜିଲ୍ଲାର ରତିଭାନପୁର ଅଞ୍ଚଳରେ ଘଟିଯାଇଥିବା ଏକ ଦଳାଚକଟା ଭଳି ଅତ୍ୟନ୍ତ ଅଭାବନୀୟ ଘଟଣାରେ ପ୍ରାୟ ୧୧୬ ଜଣଙ୍କ ସାମୂହିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା କୁହାଯାଉଛି । ସେହିପରି ଏହି ଅଘଟଣରେ ଶତାଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମଧ୍ୟ ଜଣାପଡିଛି । ଆହତଙ୍କୁ ସ୍ଥାନୀୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁସାରେ ଆଜି ଏଠାରେ ଏକ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ହେଉଥିବା ବେଳେ ଏହି ଅଘଟଣ ଘଟିଛି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀ ତଥା ପୀଡିତା ସୂଚନା ଦେଇ କହିଛନ୍ତି, ଏଠାରେ ଜଣେ ସ୍ଥାନୀୟ ଧର୍ମଗୁରୁଙ୍କ ସମ୍ମାନାର୍ଥେ ସତ୍‌ସଙ୍ଗ କାର୍ଯ୍ୟ ଅନୁଷ୍ଠିତ ହେଉଥିବା ବେଳେ ଏହି ଅଘଟଣ ଘଟିଛି ।

ଅନ୍ୟପକ୍ଷେ ଏସ୍‌ଏସ୍‌ପି ରାଜେଶ କୁମାର ସିଂହ କହିଛନ୍ତି, ସ୍ଥାନୀୟ ଆତ୍ମଘୋଷିତ ଧାର୍ମିକ ଗୁରୁ ଭୋଲା ବାବା ଓରଫ ନାରାୟଣ ସାକର ହରିଙ୍କ ସମ୍ମାନାର୍ଥେ ଏହି ସତ୍‌ସଙ୍ଗ ଆୟୋଜନ କରାଯାଇଥିଲା । ହାଥରସ୍ ଜିଲ୍ଲା ସିକନ୍ଦରା ରାଓ ଥାନା ଅନ୍ତର୍ଗତ ପୁଲରାଇ ଗାଁରେ ଆୟୋଜିତ ହେଉଥିବା ଏହି ଧାର୍ମିକ କାର୍ଯ୍ୟକ୍ରମରେ ହଠାତ୍ ଦଳଚକଟା ପରିସ୍ଥିତି ଉତ୍ପନ୍ନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ମାନବ ମଙ୍ଗଳ ମିଳନ ସଦଭାବନା ସଙ୍ଗମ କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷ ହେବା ପରେ ଭକ୍ତମାନେ ଯେତେବେଳେ ଘରକୁ ଫେରିଯିବାକୁ ବାହାରିଥିଲେ ସେତେବେଳେ ଦଳାଚକଟା ହୋଇଥିଲା । ପ୍ରଥମେ ଏହି ଦଳଚକଟା ଘଟଣାରେ ମୃତକ ସଂଖ୍ୟା ୨୭ ବୋଲି ଦର୍ଶାଯାଇଥିଲା । କିନ୍ତୁ ରିପୋର୍ଟ ଲେଖାହେବା ସୁଦ୍ଧା ଏହି ସଂଖ୍ୟା ୧୧୬ ଛୁଇଁଛି । ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି ଏବଂ ଖୁବଶୀଘ୍ର ପୋଷ୍ଟମର୍ଟମ ପରେ ପରେ ପରିବାର ଲୋକଙ୍କୁ ମୃତଦେହଗୁଡ଼ିକ ହସ୍ତାନ୍ତର କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି । ତେବେ ଘଟଣା ପରେ ଆତ୍ମଘୋଷିତ ଧାର୍ମିକ ଗୁରୁ ଭୋଲା ବାବା ଓରଫ ନାରାୟଣ ସାକର ହରି ଫେରାର ହୋଇଯାଇଥିବା ଶ୍ରୀ ସିଂହ କହିଛନ୍ତି ।

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଉଭୟ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ, କହିଛନ୍ତି, ଏପ୍ରକାର ଏକ ଦୁଃଖଦ ଘଟଣାରେ ରାଜ୍ୟ ସରକାରଙ୍କୁ ସବୁପ୍ରକାର ସହାୟତା ତଥା ସହଯୋଗ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇଦିଆଯିବ । ଏତଦ୍‌ବ୍ୟତୀତ ଉଭୟ ରାଷ୍ଟ୍ରପତି ଶ୍ରମତୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀ, ଆହତଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରି ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କରିବା ଏବଂ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ଦୁଇ ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀ ଓ ସନ୍ଦୀପ ସିଂହ ସେହି ଗାଁକୁ ଯାଇଥିବା ବେଳେ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ସେଠାକୁ ପଠାଯାଇଛି । ଆଗ୍ରା ଏଡିଜି ଓ ଆଲିଗଡ଼ କମିଶନରଙ୍କ ନେତୃତ୍ୱରେ ଘଟଣାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍‌ବ୍ୟତୀତ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନେତୃତ୍ୱରେ ଏକ କମିଟି ମଧ୍ୟ ଗଠନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପରିବାର ଲୋକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking