21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶସଞ୍ଜୟ ରାଉତଙ୍କ ବିସ୍ଫୋରକ ସୂଚନା; ସିନ୍ଦେଙ୍କ ଗୋଷ୍ଠୀ ଛାଡିବେ ୩୫ ବିଧାୟକ

ସଞ୍ଜୟ ରାଉତଙ୍କ ବିସ୍ଫୋରକ ସୂଚନା; ସିନ୍ଦେଙ୍କ ଗୋଷ୍ଠୀ ଛାଡିବେ ୩୫ ବିଧାୟକ

ମୁମ୍ବାଇ: ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ଏକ ବିସ୍ଫୋରକ ଦାବି କରିଛନ୍ତି, ଯାହାକି ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଧରଣର ଭୂକମ୍ପନ ସୃଷ୍ଟି କରିଛି। ସଞ୍ଜୟ କହିଛନ୍ତି, ବିଜେପି ପାଇଁ ସିନ୍ଦେ ଗୋଷ୍ଠୀ ଏବେ ଆଉ ବ୍ୟବହାରଯୋଗ୍ୟ ହୋଇରହିନାହିଁ। ସୁତରାଂ ସିନ୍ଦେ ଗୋଷ୍ଠୀ (ଶିବସେନା-ସିନ୍ଦେ ଗୋଷ୍ଠୀ)କୁ ଏବେ କୋଣଠେସା କରାଯାଉଛି। ଏହି ପରିପ୍ରେକ୍ଷୀରେ ସିନ୍ଦେ ଗୋଷ୍ଠୀର ପ୍ରାୟ ୩୫ ବିଧାୟକ ଏବେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଏସବୁ ବିଧାୟକ ଆସନ୍ତା ଡିସେମ୍ବର ମାସ ପରେ ପରେ ଦଳ ଛାଡିବା ଆରମ୍ଭ କରିବେ ଯାହାକି ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଅଦଳବଦଳ ଦେଖିବାର ସୁଯୋଗ ସୃଷ୍ଟି କରିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବେର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଯେତେଚେଷ୍ଟା କଲେ ମଧ୍ୟ ନିଜ ଦଳର ଏହି ୩୫ ବିଧାୟକଙ୍କୁ ଅଟକାଇପାରିବେ ନାହିଁ। ଏମାନେ ଦଳ ଠାରୁ ବିଭାଜିତ ହେବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି। ଯେପରି ବିଜେପି ଆମ ସହିତ କରିଥିଲା, ଏବେ ବିଜେପି ଠିକ୍ ସେହିପରି ସିନ୍ଦେ ଗୋଷ୍ଠୀ ସହ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି। ସିନ୍ଦେ ଗୋଷ୍ଠୀର ବିଧାୟକମାନଙ୍କ ମଧ୍ୟରେ ବିଭାଜନ ମାନସିକତା ଭର୍ତ୍ତି କରାଯାଇସାରିଛି। ଡିସେମ୍ବର ପରେ ଏକ ବଡ଼ ରାଜନୈତିକ ଅଦଳବଦଳ ହେବ ବୋଲି ସେ କହିଛନ୍ତି। ଆଉ ଏସବୁ ପଛରେ ବିଜେପିର ଧୂରନ୍ଧର ଅମିତ୍ ଶାହ ରହିଥିବା କଥା ମଧ୍ୟ ସ୍ପଷ୍ଟ ଭାବେ ସଞ୍ଜୟ କହିଛନ୍ତି।

ସଞ୍ଜୟଙ୍କ କହିବାନୁସାରେ ଏକନାଥ ସିନ୍ଦେ ବିଶ୍ୱାସ କରୁଛନ୍ତି ଯେ, ଦିଲ୍ଲୀର ଦୁଇ ପ୍ରମୁଖ ନେତା ତାଙ୍କ ପଛରେ ଅଛନ୍ତି, କିନ୍ତୁ ସେ ବୁଝିପାରୁନାହାନ୍ତି ଯେ ବିଜେପି କେବେ ବି କାହା ସହ ନଥାଏ। କେବଳ ସ୍ୱାର୍ଥ ପାଇଁ ବିଜେପି ବ୍ୟବହାର କରିବା ଜାଣିଛି। ଅମିତ ଶାହ ସିନ୍ଦେ ଗୋଷ୍ଠୀକୁ ଦୁଇଫାଳ କରିଦେଇ ମହାରାଷ୍ଟ୍ର ବିଜେପିକୁ ଅଧିକ ସଶକ୍ତ କରିବାକୁ ଚାହୁଁଛନ୍ତି। ଏହା ହିଁ ବିଜେପିର ଏବଂ ଶାହଙ୍କ ପରମ୍ପରା। ଶିବସେନା ମୁଖ୍ୟ ବାଲ୍ ଠାକ୍‌ରେ ଏକଦା ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କୁ ସାହାଯ୍ୟ କରିବା ପାଇଁ ଆଇନ୍ ବାହାରକୁ ଯାଇଥିଲେ, କିନ୍ତୁ ସେମାନେ ତାଙ୍କ ପୁଅ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ପିଠିରେ ଛୁରି ଭୁସିବାକୁ ପଛାଇନଥିଲେ। ଏକନାଥ ସିନ୍ଦେ ବିଜେପି ପାଇଁ କିଛି ବି ନୁହଁନ୍ତି। ଏକନାଥ ବୁଝିବା ଜରୁରି ଯେ ତାଙ୍କ ଗୋଷ୍ଠୀ ଏବେ ପତନର ଦ୍ୱାରଦେଶରେ ପହଞ୍ଚିଛି। ବିଜେପିର ଷଡଯନ୍ତ୍ରକୁ ଭେଦ କରିବାର ସାମର୍ଥ୍ୟ ଥିବାରୁ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା ଆଜି ବି ଦୃଢ଼ ରହିଛି। ବିଜେପି କିନ୍ତୁ ଏବେ ଟଙ୍କା ଦେଇ ନିର୍ବାଚନ ଜିତିବା ପାଇଁ ପ୍ରୟାସ ଚଳାଇଛି, ଯାହାକି ଗଣତନ୍ତ୍ର ବିରୋଧୀ ବୋଲି ସଞ୍ଜୟ କହିଛନ୍ତି।

ଗୋଟିଏ ପଟେ ସଞ୍ଜୟଙ୍କ ଏପ୍ରକାର ବିସ୍ଫୋଟକ ଦାବି ସାମ୍ନାକୁ ଆସିଥିବା ଅନ୍ୟପକ୍ଷେ ଏକନାଥ ସିନ୍ଦେ ବିଜେପିକୁ ସିଧାସଳଖ ଚେତାବନୀ ଦେଇଥିବାର ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ ଶିବସେନାର କେତେଜଣ ପୂର୍ବତନ କର୍ପୋରେଟର ଏବଂ କାର୍ଯ୍ୟକର୍ତ୍ତା ବିଜେପିରେ ଯୋଗଦେବାକୁ ନେଇ ଏକନାଥ ସିନ୍ଦେ ମାତ୍ରାଧିକ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି। ସେ ବିଜେପିକୁ କହିଛନ୍ତି, ବିଜେପି ଏସବୁ ଘୋଡାବେପାର ତୁରନ୍ତ ବନ୍ଦ କରିବା ସହ ମେଣ୍ଟ ଧର୍ମ ପାଳନ କରିବା ଉଚିତ୍‌। ଏପରିକି ସେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭୀସ୍‌ଙ୍କ ସହ ମଧ୍ୟ କଥା ହୋଇଛନ୍ତି। ତାଙ୍କ ଦଳ ମେଣ୍ଟଧର୍ମକୁ କଡ଼ାକଡ଼ି ପାଳନ କରିଆସୁଥିବାବେଳେ ବିଜେପି ମଧ୍ୟ ଅନୁରୂପ ଆଚରଣ ପ୍ରଦର୍ଶନ କରିବା ସେ ଆଶା କରୁଛନ୍ତି। ଯଦି ମେଣ୍ଟ ଶୃଙ୍ଖଳାକୁ ଅଣଦେଖା କରାଯାଏ, ତେବେ ମୁହାଁମୁହିଁ ହେବା ଅବଶ୍ୟମ୍ଭାବୀ ବୋଲି ସିନ୍ଦେ, ଫଡନଭୀସଙ୍କୁ ସତର୍କ କରାଇ ଦେଇଛନ୍ତି। ଅବଶ୍ୟ ବିଜେପି ପକ୍ଷରୁ ଫଡନଭୀସ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ସିନ୍ଦେ ଗୋଷ୍ଠୀର କୌଣସି ପୂର୍ବତନ କର୍ପୋରେଟରଙ୍କୁ ବିଜେପି ସଦସ୍ୟତା ଦେବ ନାହିଁ। ସେହିପରି ଏକନାଥ ସିନ୍ଦେ ମଧ୍ୟ ବିଜେପିର କୌଣସି ପୂର୍ବତନ କର୍ପୋରେଟରଙ୍କୁ ନିଜ ଗୋଷ୍ଠୀରେ ସାମିଲ କରାଇବେନାହିଁ ବୋଲି ଫଡନଭୀସଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ସିନ୍ଦେ ଏବେ ତାଙ୍କ ଗୋଷ୍ଠୀର ୩୫ ବିଧାୟକ ବିଜେପିରେ ସାମିଲ ହେବାକୁ ଯୋଜନା କରୁଥିବା ନେଇ ଉଠିଥିବା ଚର୍ଚ୍ଚାକୁ ହଜମ୍ କରିପାରୁନାହାନ୍ତି। ଆଗକୁ ପୌର ନିର୍ବାଚନ ଥିବାବେଳେ ସେ ଦଳକୁ ତୃଣମୂଳସ୍ତରରୁ ପୁନର୍ବାର ସାଂଗଠନିକ କରିବାକୁ ଚିନ୍ତା କରୁଛନ୍ତି ବୋଲି ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking