ସମ୍ବଲପୁର : ସମ୍ବଲପୁରରେ ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦରୁ ଉତ୍ତେଜନାର ଆଶଙ୍କା ରହିଛି । ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ ରହିଛନ୍ତି । ସମ୍ବଲପୁର ସହର ମୋତିଝରଣ ଏବଂ ସୁନାପାଲି ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ତେବେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରୁଥିବାରୁ ପ୍ରଶାସନ ପକ୍ଷରୁ ମୁତୟନ କରାଯାଇଛି । ଘଟଣାସ୍ଥଳରେ ବିଏନଏସର ୧୬୩ ଧାରା ଜାରି କରାଯାଇଛି । ମୋତି ଝରଣ ଛକରେ ୨୦୦ ମିଟର ଅଞ୍ଚଳରେ ଏହି ଧାରାକୁ ଲାଗୁ କରାଯାଇଛି । ୪ରୁ ଅଧିକ ଲୋକ ଏକାଠି ନହେବାକୁ ଡାକବାଜି ଯନ୍ତ୍ର ଜରିଆରେ ପ୍ରଚାର ମଧ୍ୟ କରାଯାଇଛି । ସମ୍ବଲପୁର ମହାନଗର ନିଗମର କମିଶନରଙ୍କ ସମେତ ଅତିରିକ୍ତ ଏସପି , ଏସଡିପିଓ, ବିଭିନ୍ନ ଥାନାର ଥାନା ଅଧିକାରୀ ଏହି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।