33.1 C
Bhubaneswar
Sunday, February 22, 2026
Homeଦେଶ ବିଦେଶସମ୍ବଲପୁର ମାଆ, ଝିଅ ମୃତ୍ୟୁର ପର୍ଦ୍ଦାଫାସ୍‌; ପେଟ୍ରୋଲ ଢାଳି ପୋଡ଼ିଥିଲେ ବାପା-ପୁଅ

ସମ୍ବଲପୁର ମାଆ, ଝିଅ ମୃତ୍ୟୁର ପର୍ଦ୍ଦାଫାସ୍‌; ପେଟ୍ରୋଲ ଢାଳି ପୋଡ଼ିଥିଲେ ବାପା-ପୁଅ

ସମ୍ବଲପୁର: ସଦର ଥାନା ମାନେଶ୍ୱର ହାଟପଦାରେ ବୃଦ୍ଧା ମାଆ ଓ ଝିଅଙ୍କ ନିଆଁରେ ପୋଡ଼ି ହୋଇ ସନ୍ଦେହଜନକ ମୃତ୍ୟୁ ହେବା ଘଟଣାର ପୁଲିସ ପର୍ଦ୍ଦାଫାସ୍ କରିଛି। ଏହା କୌଣସି ଅଗ୍ନିକାଣ୍ଡ ଜନିତ ଅଘଟଣ ନୁହେଁ ବରଂ ଏକ ଯୋଜନାବଦ୍ଧ ଡବଲ ମର୍ଡର। ପରେ ଏହାକୁ ଅଘଟଣର ରୂପ ଦେବାକୁ କରାଯାଇଥିଲା ସୁପରିକଳ୍ପିତ ଷଡ଼ଯନ୍ତ୍ର। ବୃଦ୍ଧା ମହିଳା ଓ ତାଙ୍କ ଝିଅଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଛନ୍ତି ଖୋଦ୍ ବୃଦ୍ଧାଙ୍କ ପୁଅ ଓ ନାତି।
ହତ୍ୟାକାଣ୍ଡ ପରେ ଏହାକୁ ଅଘଟଣ ରୂପ ଦେବା ପାଇଁ ଉଭୟ ମୃତଦେହରେ ପେଟ୍ରୋଲ ଢାଳି ପୋଡ଼ିଥିଲେ ଉଭୟ ଅଭିଯୁକ୍ତ ବାପା-ପୁଅ । ହତ୍ୟାକାଣ୍ଡ ପଛରେ ରହିଛି ସମ୍ପତ୍ତି ଓ ଜମିବାଡ଼ି କାରଣ। ଗତକାଲିଠାରୁ ସମ୍ବଲପୁର ସଦର ପୁଲିସ ମାମଲାର ଛାନଭିନ ଜାରି ରଖିଥିବା ବେଳେ ମାମଲାର ଫର୍ଦ୍ଦାଫାସ କରିଛି । ଉଭୟ ଅଭିଯୁକ୍ତ ପୁଅ ଓ ନାତିକୁ ଗିରଫ କରାଯାଇଥିବା ନିଜେ ସଦର ଏସଡିପିଓ ତୁଫାନ ବାଗ ସ୍ପଷ୍ଟ କରିଛନ୍ତି ।
ଏସଡିପିଓ ଶ୍ରୀ ବାଗ ଗଣମାଧ୍ୟମକୁ କହିଛନ୍ତି ଗତକାଲି ପୁଲିସ ଖବର ପାଇ ଉଭୟ ମୃତଦେହ ଜବତ କରି ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ପରେ ମୃତ ବୃଦ୍ଧାଙ୍କ ଝିଅଙ୍କ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ସନ୍ଦେହଜନକ ଭୂମିକାରେ ଥିବା ବାପ-ପୁଅଙ୍କୁ ଜେରା କରାଯାଇଥିଲା। ଅଭିଯୁକ୍ତ ହେଲେ ବୃଦ୍ଧାଙ୍କ ପୁଅ ଜଗନ୍ନାଥ ଦୀକ୍ଷିତ ଓ ତାଙ୍କ ପୁଅ ସଙ୍କେତ ଦୀକ୍ଷିତ। ଦୁଇଟି ଟିମ୍ ସମସ୍ତ ଦିଗରୁ ତଦନ୍ତ କରି ଏହି ଖୁଲାସା କରିଛି । ବାପ ଓ ପୁଅ ହିଁ ଶ୍ୱାସରୁଦ୍ଧ କରି ଉଭୟଙ୍କୁ ହତ୍ୟା କରିଥିଲେ। ପରେ ଏହାକୁ ଦୁର୍ଘଟଣା ରୂପ ଦେବା ପାଇଁ ପେଟ୍ରୋଲ ଢାଳି ଉଭୟ ମୃତଦେହରେ ନିଆଁ ଲଗାଇ ଦେଇଥିଲେ। ତାଙ୍କ ପରିବାରରେ ଜମିବାଡି ବିବାଦ ରହିଛି ଓ ସେହି କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଶ୍ରୀ ବାଗ କହିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ବୃଦ୍ଧା ସ୍ନେହଲତା ଓ ଝିଅ ସୈରେନ୍ଦ୍ରି ଦୀକ୍ଷିତ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ମା’ଝିଅ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସମ୍ପତ୍ତି ପାଇଁ ମା’ ଓ ଭଉଣୀକୁ ଭାଇ ଜଗନ୍ନାଥ ହତ୍ୟା କରିଥିବା ସ୍ନେହଲତାଙ୍କ ସାନ ଝିଅ ଅଭିଯୋଗ ଆଣିଥିଲେ। ପୁଲିସ ଏହି ଘଟଣାରେ ବୃଦ୍ଧାଙ୍କ ପୁଅ ସହ ପରିବାରର ୪ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିଥିଲା। ପରେ ବୃଦ୍ଧାଙ୍କ ପୁଅ ଓ ନାତିକୁ ଗିରଫ କରିଥିଲା ପୁଲିସ। ମୃତା ବୃଦ୍ଧା ସ୍ନେହଲତାଙ୍କର ୪ ଝିଅ ଓ ଗୋଟିଏ ପୁଅ ଥିଲେ। ପୂର୍ବରୁ ୨ ଝିଅଙ୍କର ମୃତ୍ୟୁ ଘଟିଥିବା ବେଳେ ଗତକାଲି ନିଆଁରେ ପୋଡ଼ି ହୋଇ ଆଉ ଏକ ଝିଅର ମୃତ୍ୟୁ ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking