ନୂଆଦିଲ୍ଲୀ: ଅଲମ୍ପିକ ପଦକ ବିଜୟୀ ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ବ୍ୟାଡମିଣ୍ଟନରୁ ଅବସର ନେଇଛନ୍ତି। ପ୍ରତିଯୋଗିତାରୁ ଦୀର୍ଘ ସମୟ ଅନୁପସ୍ଥିତ ରହିବା ସତ୍ତ୍ୱେ, ନେହୱାଲ ବ୍ୟାଡମିଣ୍ଟନରୁ ତାଙ୍କର ଅବସର ଘୋଷଣା କରି ନଥିଲେ। ସେ ଅବସର ନେବାର ନିଶ୍ଚିତ କରି ଏକ ପଡକାଷ୍ଟରେ କହିଛନ୍ତି ଯେ ନିଜେ ଅନୁଭବ କଲି ଆଗକୁ ବଢିପାରିବି ନାହିଁ, ଶାରୀରିକ ପ୍ରତିବନ୍ଧକ ବାଟ ଓଗାଳିଛି, ତେଣୁ ଏହା ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ। ଏଲିଟ୍ ସ୍ପୋର୍ଟ୍ସର ପ୍ରତିଦ୍ୱନ୍ଦିତା ସ୍ତର ପାଇଁ ଆବଶ୍ୟକ ଶାରୀରିକ ସକ୍ଷମତା ମୋ ନିକଟରେ ଆଉ ନାହିଁ। ଏଥି ସହ ଖାପଖୁଆଇବା ପାଇଁ ଶରୀର ବି ସାଥ ଦେଉନାହିଁ। ନେହୱାଲ କହିଛନ୍ତି ଯେ ତାଙ୍କ ଆଣ୍ଠୁର ସମସ୍ୟା ଯୋଗୁଁ ଏହି ନିଷ୍ପତ୍ତି ନେବାକୁ ସେ ବାଧ୍ୟ ହୋଇଛନ୍ତି।
ଆନୁଷ୍ଠାନିକ ଭାବେ ଅବସର ଘୋଷଣା କରିନଥିବା ସାଇନା ୨ ବର୍ଷ ହେବ କୌଣସି ପ୍ରମୁଖ ପ୍ରତିଯୋଗିତା ଖେଳିନାହାନ୍ତି। ଶେଷ ଥର ପାଇଁ ୨୦୨୩ ସିଙ୍ଗାପୁର ଓପନ୍ରେ ଖେଳିଥିଲେ। ରିଓ ୨୦୧୬ ଅଲିମ୍ପିକ୍ସରେ ହୋଇଥିବା ଏକ ଗମ୍ଭୀର ଆଣ୍ଠୁ ଆଘାତ ସାଇନାଙ୍କ କ୍ୟାରିୟରକୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା। ଯଦିଓ ସେ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ କରିଥିଲେ, ୨୦୧୭ ବିଶ୍ୱ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ଏବଂ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ, ତଥାପି ନିରନ୍ତର ଆଣ୍ଠୁ ସମସ୍ୟା ତାଙ୍କ ଅଗ୍ରଗତିରେ ବାଧା ସୃଷ୍ଟି କରିଥିଲା। ୨୦୨୪ ମସିହାରେ, ସାଇନା ପ୍ରକାଶ କରିଥିଲେ ଯେ ତାଙ୍କର ଆଣ୍ଠୁରେ ଆର୍ଥ୍ରାଇଟିସ୍ ଅଛି ଏବଂକାର୍ଟିଲେଜ୍ ଛିଡ଼ିବା ଆରମ୍ଭ କରିଛି, ଯାହା ଫଳରେ ଶୀର୍ଷ ସ୍ତରରେ ଖେଳିବା ପ୍ରାୟ ଅସମ୍ଭବ ହୋଇଯାଇଥିଲା।










