18.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶୟୁକ୍ରେନ୍ ଉପରେ ରୁଷ୍‌ର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼; ବ୍ୟାପକ କ୍ଷୟକ୍ଷତି

ୟୁକ୍ରେନ୍ ଉପରେ ରୁଷ୍‌ର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼; ବ୍ୟାପକ କ୍ଷୟକ୍ଷତି

କିଭ୍‌: ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ପୁଣିଥରେ ଉଗ୍ରାଭିମୁଖୀ ହୋଇଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ଭି. ଜେଲେନ୍‌ସ୍କିଙ୍କ ମଧ୍ୟରେ ଯୁଦ୍ଧ ବିରତି ପ୍ରସଙ୍ଗରେ କୌଣସି ଚୂଡାନ୍ତ ନିଷ୍କର୍ସ ବାହାରୁନଥିବା ବେଳେ ରୁଷ୍‌, ୟୁକ୍ରେନର ସୁମି ପ୍ରାନ୍ତରେ ଭୟଙ୍କର ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଫଳରେ ସୁମିରେ ବ୍ୟାପକ ଧ୍ୱଂସ ଘଟିଛିି। ଏହି ଆକ୍ରମଣରେ ଅତି କମ୍‌ରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡ଼ିଛି। ରୁଷ୍ କ୍ଷେପଣାସ୍ତ୍ରଗୁଡ଼ିକ ସହରର ରାସ୍ତା, ସାଧାରଣ ଜୀବନ – ଆବାସିକ କୋଠା, ଶିକ୍ଷାନୁଷ୍ଠାନ, ରାସ୍ତାରେ ଥିବା କାରଗୁଡ଼ିକୁ ଟାର୍ଗେଟ କରିଛି। ରବିବାର ଲୋକମାନେ ଚର୍ଚ୍ଚକୁ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିବା ୟୁକ୍ରେନ୍ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଗୋଟିଏ ପଟେ ଯୁଦ୍ଧ ବିରତି ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ସହିତ ଆଲୋଚନା ଜାରି ରଖିଥିବାବେଳେ ଅନ୍ୟପଟେ ରୁଷ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିବାରେ ଲାଗିଛି। ସୁତରାଂ ଏହି ଆକ୍ରମଣକୁ ରୁଷ୍‌-ୟୁକ୍ରେନ ଯୁଦ୍ଧର ଏକ ନୂତନ ଅଧ୍ୟାୟ ଭାବରେ ବିବେଚନା କରାଯାଉଛି। ତେବେ ରୁଷ୍‌ର ଏପ୍ରକାର ଆକ୍ରମଣ ପରେ ୟୁକ୍ରେନ୍ ମଧ୍ୟ ପାଲଟା ଆକ୍ରମଣ କରିବା ଆଶଙ୍କା ବୃଦ୍ଧି ପାଇଛି। ଫଳରେ ଆଗକୁ ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଅଧିକ ଭୟଙ୍କର ରୂପ ନେଇପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ପ୍ରକାଶ, ଶନିବାର ମଧ୍ୟ ରୁଷ୍ ପକ୍ଷରୁ ୟୁକ୍ରେନ୍‌ର ରାଜଧାନୀ କିଭ୍ ଉପରେ ଭୟଙ୍କର ମିସାଇଲ୍ ମାଡ଼ କରାଯାଇଥିଲା। ଏଥିରେ କିଭ୍‌ରେ ଥିବା କୁସୁମ୍ ନାମକ ଏକ ଭାରତୀୟ ଫାର୍ମା କମ୍ପାନୀର ୱେୟାର ହାଉସ୍ ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଯାଇଛି। ୟୁକ୍ରେନୀୟ ଦୂତାବାସ କହିଛି ଯେ ନିଜକୁ ଭାରତର ଏକ ବିଶେଷ ବନ୍ଧୁ ବୋଲି ଦାବି କରୁଥିବା ମସ୍କୋ ଜାଣିଶୁଣି ଭାରତୀୟ ବ୍ୟବସାୟଗୁଡ଼ିକୁ ଟାର୍ଗେଟ୍ କରୁଛି। ଏହା ପିଲା ଏବଂ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଔଷଧ, ଚିକିତ୍ସା ସୁବିଧାଗୁଡ଼ିକୁ ହିଁ ଧ୍ୱଂସ କରିବାରେ ଲାଗିଛି। ଅନ୍ୟ ଏକ ରିପୋର୍ଟ ଅନୁସାରେ ୟୁକ୍ରେନ ବିବାଦ ଉପରେ ଆଲୋଚନା କରିବା ପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ସେଣ୍ଟ ପିଟର୍ସବର୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍‌ଙ୍କୁ ସାକ୍ଷାତ କରିଛନ୍ତି। ଏହା ଚଳିତ ବର୍ଷ ଉଭୟଙ୍କ ମଧ୍ୟରେ ତୃତୀୟ ବାର୍ତ୍ତାଳାପ ଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, କ୍ରେମଲିନ କହିଛି ଯେ ବୈଠକ ୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ଏବଂ ‘ୟୁକ୍ରେନୀୟ ଚୁକ୍ତିର ଦିଗଗୁଡ଼ିକ’ ଉପରେ ଧ୍ୟାନ ଦିଆଯାଇଥିଲା।

ୟୁକ୍ରେନ୍ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ରବିବାର ହୋଇଥବା ରୁଷ୍‌ର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ରେ ସୁମି ପ୍ରାନ୍ତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅନେକ ନୀରିହ ଜନସାଧାରଣ ମୃତାହତ ହୋଇଛନ୍ତି। ସବୁୂଠୁ ବଡ଼ ପରିତାପର ବିଷୟ ମୃତାହତଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ସାମିଲ ଅଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ସମସ୍ତ ଜରୁରୀ ସେବା ଘଟଣାସ୍ଥଳରେ କାମ କରୁଛି। ୟୁକ୍ରେନ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ସମଗ୍ର ବିଶ୍ୱକୁ ମିଳିତ ଭାବେ ରୁଷ୍‌କୁ କଡ଼ା ଜବାବ ଦେବା ଉଚିତ୍‌, ବିଶେଷକରି ଆମେରିକା, ୟୁରୋପ ଏବଂ ବିଶ୍ୱର ପ୍ରତ୍ୟେକ ଲୋକ ଯେଉଁମାନେ ଏହି ଯୁଦ୍ଧ ଏବଂ ଏହି ହତ୍ୟାକାଣ୍ଡକୁ ସମାପ୍ତ କରିବାକୁ ଚାହୁଁଛନ୍ତି। ରୁଷ୍ ଠିକ ଏହଭଳି ଆତଙ୍କ ଚାହୁଁଛି ଏବଂ ଏହି ଯୁଦ୍ଧକୁ ଆଗକୁ ନେଉଛି। ରୁଷ୍‌ା ଉପରେ ଚାପ ବିନା ଶାନ୍ତି ଅସମ୍ଭବ। ଆଲୋଚନା ସତ୍ତ୍ୱେ ରୁଷ୍ ବାଲିଷ୍ଟିକ କ୍ଷେପଣାସ୍ତ୍ର ଏବଂ ଏୟାର ଷ୍ଟ୍ରାଇକ୍ କରିବା ବନ୍ଦ କରିନାହିଁ। ରୁଷ୍ ଏବେ ଏକ ଆତଙ୍କବାଦୀ ସୂମହ ଗୋଷ୍ଠୀ ଭଳି କାମ କରୁଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ଆକ୍ରମଣ ସମୟର ଏକ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଶେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking