23.1 C
Bhubaneswar
Thursday, December 19, 2024
Homeଦେଶ ବିଦେଶତାଲିବାନ୍‌କୁ ଆତଙ୍କବାଦୀ ତାଲିକାରୁ ହଟାଇବ ରୁଷିଆ

ତାଲିବାନ୍‌କୁ ଆତଙ୍କବାଦୀ ତାଲିକାରୁ ହଟାଇବ ରୁଷିଆ

ମସ୍କୋ: ରୁଷିଆ ସରକାର ଏକ ନୂଆ ଆଇନ ଆଣିଛନ୍ତି, ଯଦ୍ଦ୍ୱାରା ସେଠାକାର ଅଦାଲତଗୁଡ଼ିକ ମସ୍କୋ ଦ୍ୱାରା ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଉପରୁ କଟକଣା ହଟାଇବାରେ ସହାୟକ ହେବ। ପାର୍ଲାମେଣ୍ଟର ନିମ୍ନ ସଦନ ଷ୍ଟେଟ୍ ଡୁମାରେ ପାରିତ ଏହି ଆଇନ ବଳରେ ଆଫଗାନିସ୍ତାନର ତାଲିବାନ୍ ଏବଂ ସିରିଆର ନୂଆ ନେତୃତ୍ୱ ସହ ସମ୍ପର୍କ ସ୍ୱାଭାବିକ କରିବା ପାଇଁ ମସ୍କୋର ବାଟ ଫିଟିଯିବ ବୋଲି ଆଶା କରାଯାଉଛି।
ରୁଷିଆ ପକ୍ଷରୁ ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ତାଲିକାରୁ ସେହି ଅର୍ଗାନାଇଜେଶନ୍ ହଟିଯିବ, ଯାହା ଆଉ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ହେଉନାହିଁ। ଏହି ଆଇନ ବଳରେ ରୁଷିଆର ପ୍ରୋସିକ୍ୟୁଟର ଜେନେରାଲ ଏକ ନିର୍ଦ୍ଦିଷ୍ଟ ଆତଙ୍କବାଦୀ ସଙ୍ଗଠନକୁ ଏହି ତାଲିକାରୁ ବାଦ୍ ଦେବା ପାଇଁ ଅଦାଲତଙ୍କୁ ଅନୁରୋଧ କରିପାରିବେ। ଏହା ପରେ ଜଣେ ବିଚାରପତି ସମ୍ପୃକ୍ତ ସଙ୍ଗଠନକୁ ଆତଙ୍କବାଦୀ ଲିଷ୍ଟ୍‌ରୁ ହଟାଇବା ନେଇ ରମାୟ ଦେଇପାରିବେ। ରୁଷିଆର ଆତଙ୍କବାଦୀ ତାଲିକାରେ ୨୦୦୩ ଫେବୃଆରୀରେ ତାଲିବାନ୍ ଏବଂ ୨୦୨୦ରେ ସିରିଆର ହୟାତ୍ ତହରିର ଅଲ୍‌-ଶାମ୍‌କୁ ତାଲିକାଭୁକ୍ତ କରାଯାଇଥିଲା।

ଦୀର୍ଘ ୨୦ ବର୍ଷ ଧରି ଆଫଗାନିସ୍ତାନରେ ରହିଥିବା ଆମେରିକୀୟ ସୈନ୍ୟ ସେଠାରୁ ପ୍ରତ୍ୟାବର୍ତ୍ତନ କରିବା ପରେ ୨୦୨୧ ଅଗଷ୍ଟରେ ଇସ୍‌ଲାମୀୟ ସଙ୍ଗଠନ କ୍ଷମତା ଦଖଲ କରିଥିଲା। ଗତ ଜୁଲାଇରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କହିଥିଲେ, ତାଲିବାନ୍ ଏବେ ଆତଙ୍କବାଦ ନିରୋଧୀ ଲଢ଼େଇରେ ମସ୍କୋର ସହଯୋଗୀ ପାଲଟିଯାଇଛି। ଇତିମଧ୍ୟରେ ସିରିଆର ଗାଦିଚ୍ୟୁତ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ୍ ମସ୍କୋର ରାଜନୈତିକ ଶରଣ ନେଇଛନ୍ତି। ତାଙ୍କୁ କ୍ଷମତାରୁ ହଟାଇବାରେ ମୁଖ୍ୟ ଭୂମିକା ନେଇଥିବା ସିରୀୟ ସଙ୍ଗଠନ ଏଚ୍‌ଟିଏସ୍‌କୁ ମଧ୍ୟ ରୁଷିଆର ନିଷିଦ୍ଧ ଘୋଷିତ ଆତଙ୍କବାଦୀ ତାଲିକାରୁ ବାଦ୍ ଦେବା ପାଇଁ ମସୁଧା ଚାଲିଥିବା ଜଣାପଡ଼ିଛି। ଆଫଗାନିସ୍ତାନ ଓ ମଧ୍ୟପ୍ରାଚ୍ୟରେ ଏହି ୨ ସଙ୍ଗଠନ ମସ୍କୋର ପତିଆରା ହ୍ରାସ କରିଥିବାରୁ ରୁଷିଆ ସେମାନଙ୍କ ସହ ସମ୍ପର୍କ ପ୍ରତିଷ୍ଠା କରି ପୁନଃ ଆଧିପତ୍ୟ ବଜାୟ ରଖିବା ପାଇଁ ଏପରି ଯୋଜନା କରୁଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking