ନୂଆଦିଲ୍ଲୀ: ଆମେରିକା ପରେ ଇଟାଲୀ, ସ୍ପେନ୍ ଏବଂ ଗ୍ରୀସ୍, କିଭ୍ରେ ନିଜ ନିଜର ଦୂତାବାସ ବନ୍ଦ କରିଛନ୍ତି । ବୁଧବାର ପ୍ରଥମେ ଆମେରିକା କିଭ୍ରେ ଥିବା ନିଜର ଦୂତାବାସ ବନ୍ଦ କରିବା ପରେ ଅନ୍ୟ ଦେଶ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ଏୟାର ଷ୍ଟ୍ରାଇକର ତୀବ୍ରତା ଆହୁରି ବୃଦ୍ଧି ପାଇବ ବୋଲି ଆମେରିକୀୟ ଦୂତାବାସ ସୂଚନା ଦେଇଥିଲା । ଏସବୁ ଭିତରେ ୟୁକ୍ରେନ୍ରେ ଯୁଦ୍ଧ ବନ୍ଦ କରିବ ନାହିଁ ବୋଲି କ୍ରେମଲିନ୍ ମନା କରିଦେବା ପରେ ଚିନ୍ତା ଆହୁରି ବଢ଼ିଯାଇଛି । କୁର୍ସକରେ ୟୁକ୍ରେନ୍ ଆକ୍ରମଣ ଜାରି ରଖିଥିବାରୁ ମସ୍କୋ ଯୁଦ୍ଧ ବନ୍ଦ କରିବା ସପକ୍ଷରେ ନାହିଁ ବୋଲି ଋଷ ସ୍ପଷ୍ଟ କରିଛି । ସେପଟେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କ୍ରେମଲିନ୍ର ମୁଖପାତ୍ର ଦିମିତ୍ରି ପେସକୋଭ୍, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି । ବାଇଡେନ ନିଆଁକୁ ଇନ୍ଧନ ଯୋଗାଉଛନ୍ତି ବୋଲି ସେ କହିଛନ୍ତି । ଯୁଦ୍ଧ ଜାରି ରଖିବାକୁ ହ୍ୱାଇଟ୍ ହାଉସ୍ ସବୁ ପ୍ରକାର ଚେଷ୍ଟା କରୁଛି ବୋଲି ପେସକୋଭ୍ ଦାବି କରିଛନ୍ତି । ଏହା ସହ ଆଭ୍ୟନ୍ତରୀଣ ଋଷରେ ଆକ୍ରମଣ କରିବାକୁ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ ଲାଗି ୟୁକ୍ରେନ୍କୁ ବାଇଡେନ୍ ପ୍ରଶାସନ ଅନୁମତି ଦେବା ପ୍ରସଙ୍ଗରେ ଦିମିତ୍ରି ପେସକୋଭ କହିଛନ୍ତି, ପୂର୍ବରୁ ଏନେଇ ପାଶ୍ଚାତ୍ୟ ରାଷ୍ଟ୍ର ଋଷକୁ ସଚେତନ କରିନଥିଲେ ।