ନୂଆଦିଲ୍ଲୀ: ୧୯୫୦ ମସିହାରେ ଜାତୀୟ ନମୁନା ସର୍ବେକ୍ଷଣ ଆରମ୍ଭ ହେବା ଦିନଠାରୁ ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ ଘରୋଇ ଉପଭୋଗ ଖର୍ଚ୍ଚ ସର୍ବେକ୍ଷଣ କରିଆସୁଛି । ଅଗଷ୍ଟ ୨୦୨୩ରୁ ଜୁଲାଇ ୨୦୧୪ ମଧ୍ୟରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ୨ଲକ୍ଷ ୬୧ ହଜାର ୯୫୩ ପରିବାର ( ଗ୍ରାମାଞ୍ଚଳର ୧ ଲକ୍ଷ ୫୪ ହଜାର ୩୫୭ ପରିବାର ଓ ସହରାଞ୍ଚଳର ୧ ଲକ୍ଷ ୦୭ ହଜାର ୫୯୬ ପରିବାର)କୁ ନେଇ ସର୍ବେକ୍ଷଣ କରାଯାଇଥିଲା ।
ରାଜ୍ୟରେ ମାସିକ ମୁଣ୍ଡପିଛା ଖର୍ଚ୍ଚରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ବ୍ୟବଧାନ ୨୦୨୨-୨୩ରେ ୭୬ ପ୍ରତିଶତ ଥିବା ବେଳେ ଏହା ହ୍ରାସ ପାଇ ୨୦୨୩-୨୪ରେ ୭୪ ପ୍ରତିଶତ ହୋଇଛି । ୨୦୨୩-୨୪ ଘରୋଇ ଉପଭୋଗ ଖର୍ଚ୍ଚ ସର୍ଭେ ଅନୁଯାୟୀ, ଗ୍ରାମୀଣ ମାସିକ ମୁଣ୍ଡପିଛା ଖର୍ଚ୍ଚ ୨୦୨୨-୨୩ରେ ୨,୯୫୦ ଟଙ୍କାରୁ ବୃଦ୍ଧି ପାଇ ୨୦୨୩-୨୪ରେ ୩,୩୫୭ ଟଙ୍କାରେ ପହଞ୍ଚିଛି । କିନ୍ତୁ ଜାତୀୟ ହାର ୪,୧୨୨ ଟଙ୍କା ତୁଳନାରେ ଏହା ଯଥେଷ୍ଟ କମ୍ ରହିଛି । ସହରାଞ୍ଚଳରେ ମାସିକ ମୁଣ୍ଡପିଛା ଖର୍ଚ୍ଚ ୨୦୨୨-୨୩ରେ ୫, ୧୮୭ ଥିବା ବେଳେ ଏହା ବୃଦ୍ଧି ପାଇ ୨୦୨୩-୨୪ରେ ୫,୮୨୫ଟଙ୍କାରେ ପହଞ୍ଚିଛି । ଯାହା ଗ୍ରାମରେ ବାସ କରୁଥିବା ଲୋକଙ୍କ ଅପେକ୍ଷା ସହରାଞ୍ଚଳରେ ବାସ କରୁଥିବା ଲୋକଙ୍କ ଖର୍ଚ୍ଚ କ୍ଷମତା ବୃଦ୍ଧି ପାଉଥିବା ସୂଚିତ କରେ । ତେବେ ସହରାଞ୍ଚଳରେ ହାରାହାରି ଜାତୀୟ ହାର ୬,୯୯୬ ରହିଛି ।
ଗ୍ରାମାଞ୍ଚଳର ହାରାହାରି ଘରୋଇ ଉପଭୋଗ ଖର୍ଚ୍ଚରେ ସର୍ବାଧିକ ବୃଦ୍ଧି ଓଡ଼ିଶାରେ ଦେଖାଯାଇଛି (୨୦୨୨-୨୩ରୁ ପ୍ରାୟ ୧୪ ପ୍ରତିଶତ)। ସେହିଭଳି ପଞ୍ଜାବରେ ସହରାଞ୍ଚଳର ହାରାହାରି ଘରୋଇ ଉପଭୋଗ ଖର୍ଚ୍ଚର ସର୍ବାଧିକ ବୃଦ୍ଧି ଦେଖିବାକୁ ମିଳିଛି ((୨୦୨୨-୨୩ରୁ ପ୍ରାୟ ୧୩%) । ରାଜ୍ୟର ଗ୍ରାମାଞ୍ଚଳରେ, ଖାଦ୍ୟ ବ୍ୟତୀତ ମୁଖ୍ୟତଃ ଇନ୍ଧନ ଓ ଆଲୋକ ପାଇଁ ୧୪.୯୬%, ପରିବହନ ପାଇଁ ୧୨.୭୬%, ଶିକ୍ଷା ପାଇଁ ୫.୧୨%, ମେଡିକାଲ ପାଇଁ ୧୪.୦୩%, ମନୋରଞ୍ଜନ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ୧୩.୬୩% ଖର୍ଚ୍ଚ ହୋଇଥାଏ । ସେହିଭଳି ଟିଭି, ଫ୍ରିଜ, ୱାସିଂ ମେସିନ ଭଳି ସାମଗ୍ରୀ ପାଇଁ ୯.୧୩%, ପୋଷାକ, ବିଛଣା ଏବଂ ଜୋତା ପାଇଁ ୧୪.୪୨% ଖର୍ଚ୍ଚ ହୋଇଛି । ରାଜ୍ୟର ସହରାଞ୍ଚଳରେ ଅଣ-ଖାଦ୍ୟ ଖର୍ଚ୍ଚ ମୁଖ୍ୟତଃ ଇନ୍ଧନ ଏବଂ ଆଲୋକ ପାଇଁ ୧୦.୩୧%, ପରିବହନ ପାଇଁ ୧୪.୧୧%, ଶିକ୍ଷା ପାଇଁ ୬.୦୫% ଏବଂ ଚିକିତ୍ସା ଖର୍ଚ୍ଚ ପାଇଁ ୭.୯୯% ଖର୍ଚ୍ଚ କରିଥାନ୍ତି । ସେହିପରି ମନୋରଞ୍ଜନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ୧୨.୪୪%, ଟିଭି, ଫ୍ରିଜ, ୱାସିଂ ମେସିନ ଭଳି ସାମଗ୍ରୀ ପାଇଁ ୧୨.୪୫% ଏବଂ ପୋଷାକ, ବିଛଣା ଏବଂ ଜୋତା ପାଇଁ ୧୨.୧୨% ଖର୍ଚ୍ଚ ହୋଇଥାଏ ।