ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଆସିଲା ଗାଇଡ୍ଲାଇନ । ଗରିବ, ଅସହାୟଙ୍କୁ ୫୧ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବେ ସରକାର । ସିଧାସଳଖ ଯୁବତୀଙ୍କ ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା । ଦିବ୍ୟାଙ୍ଗ, ବିଧବା, ଏସସି-ଏସଟିଙ୍କୁ ମିଳିବ ଅଗ୍ରାଧିକାର । ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଛି ମହିଳା ଓ ଶିଶୁ ବିକାଶ ବିଭାଗ । ତେବେ ଆବେଦନଗୁଡିକ ‘ପ୍ରଥମେ ଆସ, ପ୍ରଥମେ ପାଅ’ (First-come, first-serve) ଭିତ୍ତିରେ ବିଚାର କରାଯିବ । ଯଦି କୌଣସି ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଆବେଦନ ସଂଖ୍ୟା ଅଧିକ ହୁଏ, ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରୁ ସହାୟତା ପାଉଥିବା ପରିବାରଗୁଡିକୁ କ୍ରମରେ ଅଗ୍ରାଧିକାର ଦିଆଯିବ । ୧୮ ବର୍ଷରୁ ଅଧିକ ବୟସ୍କ ଯୁବତୀମାନେ ଏଥିପାଇଁ ଆବେଦନ କରିପାରିବେ । ଯେଉଁ ଯୁବତୀ ଓ ଯୁବକ ପ୍ରଥମଥର ପାଇଁ ବିବାହ କରିବେ ସେମାନଙ୍କୁ କେବଳ ଏହି ସୁବିଧା ମିଳିଛି । ସେହିପରି ବିଧବାଙ୍କ ପୁନଃ ବିବାହ କ୍ଷେତ୍ରରେ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରାଯିବ । ମୋଟ ସହାୟତା ରାଶି ୫୧ ହଜାର ଟଙ୍କାରୁ ୩୫ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ । ଏଥିସହ ୧୦ ହଜାର ଟଙ୍କାର ଏକ ଗିଫ୍ଟ ପ୍ୟାକେଟ ସରକାରଙ୍କ ତରଫରୁ ମିଳିବ ।










