ଭୁବନେଶ୍ୱର: ଶୂନ୍ୟକାଳରେ ବିରୋଧୀଙ୍କୁ କଡା ଟାର୍ଗେଟ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ନଷ୍ଟ ହେଲାଣି ୧୨ କୋଟି ରାଜସ୍ୱ । ସାଧାରଣ ଲୋକଙ୍କ ରାଜକୋଷରେ ଅର୍ଥରେ ବିଧାନସଭା ଚାଲିଛି । ପ୍ରତିଦିନ ପ୍ରାୟ ୬୮ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୨୪ ବର୍ଷ ଶାସନ କରିଥିବା ଦଳ ବିଧି ବ୍ୟବସ୍ଥା ପାଳନ ନକରିବା ଦୁର୍ଭାଗ୍ୟଜନକ । ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରିନଥିଲା ।ପ୍ରଶ୍ନକାଳ ହଟ୍ଟଗୋଳ ପାଇଁ ବାଚସ୍ପତି ବାରମ୍ବାର ବାରମ୍ବାର ଗୃହକୁ ମୁଲତବୀ କରୁଥିଲେ । ହାତରେ ପ୍ଲାକାର୍ଡ, କଳା ସାର୍ଟ ପିନ୍ଧି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହୋହଲ୍ଲା କରିଥିଲେ । ପ୍ରଥମେ ମଣ୍ଡି ଅବ୍ୟବସ୍ଥା, କଟନୀ ଛଟନୀ ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା କରିଥିଲେ, ପରେ ଗ୍ୟାସ ସିଲିଣ୍ଡର ସଙ୍କଟକୁ ନେଇ ବିରୋଧୀ ହଟ୍ଟଗୋଳ କରିଥିଲେ । ତାପରେ ଏସସିବି ମେଡିକାଲକଲେଜର ଆଇସିୟୁ ଟ୍ରମା ସେଣ୍ଟରରେ ଅଗ୍ନିକାଣ୍ଡ ହୋଇଥିବା ପ୍ରସଙ୍ଗରେ ୧୩ ଜଣ ରୋଗୀଙ୍କ ପ୍ରାଣ ଯାଇଥିବା ଘଟଣାରେ ବିରୋଧୀ ହୋହଲ୍ଲା କରି ଗୃହକୁ ଚଳାଇ ଦେଉନଥିଲେ । ବାଚସ୍ପତି ସୁରମା ପାଢୀ ବାରମ୍ବାର ବିରୋଧୀଙ୍କୁ ପ୍ରଶ୍ନ କାଳରେ ସହଯୋଗ କରିବା ପାଇଁ ସହମତି ଲୋଡିଥିଲେ ମଧ୍ୟ କାହା କଥା ଶୁଣିନଥିଲେ । ସମାନ ଢଙ୍ଗରେ , ପ୍ରତୀକାତ୍ମକ ଭାବେ ପ୍ରତିବାଦ ଜାରି ରଖିଥିଲେ ଉଭୟ କଂଗ୍ରେସ ଓ ବିଜେଡି । ତେବେ ବଡ କଥା ହେଉଛି ସାଧାରଣ ଜନତାଙ୍କ ସମସ୍ୟା ଦୂର ହେବ କିପରି ।










