ବୁକାରେଷ୍ଟ: ୫୦୦ ଭାଲୁଙ୍କୁ ସାମୂହିକ ହତ୍ୟା କରିବେ ରୋମାନିଆ ସରକାର । ଦେଶରେ ବଢ଼ୁଥିବା ଭାଲୁଙ୍କ ସଂଖ୍ୟାକୁ ନିୟନ୍ତ୍ରଣରେ ରଖିବା ଉଦ୍ଦେଶ୍ୟରେ ଏପ୍ରକାର ଏକ କଠୋର ପ୍ରସ୍ତାବକୁ ରୋମାନିଆ ସଂସଦ ଅନୁମତି ଦେଇଛି । ଦେଶର ଜନସଂଖ୍ୟା ଅନୁପାତ ତୁଳନାରେ ଭାଲୁସଂଖ୍ୟା ଏଠାରେ ସର୍ବାଧିକ ରହିଥିବା ବେଳେ ଗତ କିଛି ବର୍ଷ ମଧ୍ୟରେ ଏହି ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ବଢ଼ିବାରେ ଲାଗିଛି । ଦୈନିକ ଭାଲୁ ଆକ୍ରମଣଜନିତ ଘଟଣା ମଧ୍ୟ ବୃଦ୍ଧି ପାଇଛି । ପ୍ରକାଶ, ରୋମାନିଆରେ ଗତ ୨୦ ବର୍ଷ ମଧ୍ୟରେ ଭାଲୁ ଆକ୍ରମଣରେ ପ୍ରାୟ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭୪ ଜଣ ଆହତ ହୋଇଛନ୍ତି । ଗତ ସପ୍ତାହରେ ଜଣେ ମହିଳା ପର୍ଯ୍ୟଟକ ଏଠାରେ ହାଇକିଂ କରୁଥିବା ସମୟରେ ଭାଲୁ ଆକ୍ରମଣରେ ପ୍ରାଣ ହରାଇବା ଘଟଣା ପରେ ରୋମାନିଆ ସରକାରଙ୍କ ପକ୍ଷରୁ ଏପ୍ରକାର ନିର୍ଦ୍ଦେଶ ସାମ୍ନାକୁ ଆସିଛି ।
ଅନ୍ୟପକ୍ଷେ ଭାଲୁଙ୍କ ସଂଖ୍ୟା ବୃଦ୍ଧିଜନିତ ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ରୋମାନିଆ ସଂସଦରେ ଏକ ନୂଆ ନିୟମ ପାରିତ ହୋଇଛି । ଏହି ନିୟମ ଅନୁଯାୟୀ, ଚଳିତ ବର୍ଷ ଶେଷ ସୁଦ୍ଧା ୪୮୧ ଭାଲୁଙ୍କୁ ସାମୂହିକ ଭାବେ ହତ୍ୟା କରାଯିବ । ଅନ୍ୟପକ୍ଷେ ରୋମାନିଆ ସରକାରଙ୍କ ଏପ୍ରକାର ନିଷ୍ପତ୍ତିକୁ ରୋମାନିଆ ସମେତ ବିଶ୍ୱର ପ୍ରାୟ ସବୁ କୋଣ ଅନୁକୋଣରୁ ପଶୁପ୍ରେମୀମାନେ ତୀବ୍ର ବିରୋଧ କରିଛନ୍ତି । ସରକାରଙ୍କୁ ଏପ୍ରକାର ନିଷ୍ପତ୍ତିକୁ ଚାରିଆଡୁ ତୀବ୍ର ସମାଲୋଚନା ମଧ୍ୟ କରାଯାଉଛି । ୱାର୍ଲ୍ଡ ୱାଇଲ୍ଡ ଲାଇଫ୍ ପାଣ୍ଠିର ଜୀବବିଜ୍ଞାନୀ କ୍ୟାଲିନ୍ ଆର୍ଡଲାଇନ୍ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଏହି ଆଇନ କିଛି ସମାଧାନ କରିବ ନାହିଁ । ଭାଲୁ ସମସ୍ୟା ଉପରେ ସରକାର ଧ୍ୟାନ ଦେବାକୁ ପଡିବ । ପ୍ରତିରୋଧ ଏବଂ ହସ୍ତକ୍ଷେପ ସହିତ ସମସ୍ୟାର ପ୍ରତିକାର ହେବା ଆବଶ୍ୟକ, ହତ୍ୟା କରିବା ଏକମାତ୍ର ବିକଳ୍ପ ନୁହେଁ । କିନ୍ତୁ ରୋମାନିଆ ସରକାର ନିଜ ଦେଶର ନାଗରିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ନୀତିରେ କାର୍ଯ୍ୟ କରୁଥିବା ଦର୍ଶାଇଛନ୍ତି ।
ରିପୋର୍ଟ ଅନୁସାରେ ରୋମାନିଆରେ ସାମୂହିକ ଭାବେ ଶହଶହ ଭାଲୁଙ୍କୁ ହତ୍ୟା କରାଯିବା ନିର୍ଦ୍ଦେଶ ଦିଆଯିବା ପ୍ରଥମ ନୁହେଁ । ଏହାପୂର୍ବରୁ ମଧ୍ୟ ଅନେକ ଥର ଏପ୍ରକାର ନିର୍ଦ୍ଦେଶ ଦିଆଯାଇଛି ଏବଂ ଏହା ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ କରାଯାଇଛି । ପ୍ରକାଶ, ଗତ ବର୍ଷ ମଧ୍ୟ ୨୨୦ ଭାଲୁଙ୍କୁ ହତ୍ୟା କରିବାକୁ ରୋମାନିଆ ସରକାର ନିର୍ଦ୍ଦେଶ ଦେଇଥିଲେ । ତେବେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଦୁଇଗୁଣ ଭାଲୁଙ୍କୁ ହତ୍ୟା କରାଯିବ ବୋଲି ସ୍ଥାନୀୟ ସରକାର ସ୍ପଷ୍ଟ କରିଛନ୍ତି । ପ୍ରକାଶ, ରୋମାନିଆ ପରିବେଶ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ସମୟରେ ଦେଶରେ ପ୍ରାୟ ୮ ହଜାର ଧୁସର ଭାଲୁ ଅଛନ୍ତି । ଧୁସର ଭାଲୁଙ୍କ ସଂଖ୍ୟା ଦୃଷ୍ଟିକୋଣରୁ ୟୁରୋପୀୟ ଦେଶଙ୍କ ମଧ୍ୟରେ ରୁୂଷ୍ ପରେ ୨ୟ ସ୍ଥାନରେ ରୋମାନିଆ ରହିଛି । ସର୍ବାଧିକ ସଂଖ୍ୟକ ଧୁସର ଭାଲୁ ରୁଷ୍ରେ ହିଁ ଦେଖାଯାଇଥାନ୍ତି ।










