ଭୁବନେଶ୍ବର: ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ହୋଟେଲ ଭିତରେ ଗଡିଲା ମୁଣ୍ଡ । ମାଛ ଝୋଳକୁ ନେଇ ହୋଟେଲ କର୍ମଚାରୀଙ୍କୁ ପନିକିରେ ହାଣି ହତ୍ୟା । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏଭଳି ଘଟଣା ଘଟିଛି ଭୁବନେଶ୍ବରର ଡମଣା ଛକରେ ଥିବା ମାଆ ତାରା ଦେଇ ହୋଟେଲରେ । ହୋଟେଲ ରୋଷେୟାଙ୍କୁ ତାଙ୍କ ସହକର୍ମୀ ହତ୍ୟା କରିଥିବା ଜଣାପଡିଛି ।
ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ପୀତାମ୍ବର ଜେନା । ହତ୍ୟାକାରୀ ହେଉଛି ହୋଟେଲ କର୍ମଚାରୀ ବିନ । ଆଜି ଭୋର ସମୟରେ ଏହି ହତ୍ୟାକାଣ୍ଡ ଘଟିଥିଲା । ମୃତକ ପୀତାମ୍ବର ଜେନା ମାଆ ତାରା ଦେଇ ହୋଟେଲରେ ରୋଷେୟା ଭାବେ କାମ କରନ୍ତି । ଅଭିଯୁକ୍ତ ହୋଟେଲ କର୍ମଚାରୀ ବିନ ମଧ୍ୟ ସେହି ଠାରେ ନାନା ମିସ୍ତ୍ରୀ ଭାବେ କାମ କରନ୍ତି । ଉଭୟ ସେଠାରେ ମିଶି କରି ରହୁଥିଲେ । ଦୁଇ ଜଣଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଝଗଡା ଲାଗି ରହିଥିଲା ।
ଯାହା ଶେଷରେ ଉଗ୍ରରୂର ଧାରଣ କରିଥିଲା । ଆଜି ଭୋର ସମୟରେ ପିତାମ୍ବରକୁ ପନିକିରେ ହାଣି ହତ୍ୟା କରିଥିଲା ବିନ । ମୃତକର ବେକ ଓ ହାତରେ ଆଘାତ ଲାଗିଛି । ଅଧିକ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହୋଟେଲ ରୋଷେୟାଙ୍କ ମୃତ୍ୟୁ ହୋଇଛି । ହୋଟେଲ ମାଲିକଙ୍କ କହିବା ଅନୁଯାୟୀ, ଦୁହେଁ ହୋଟେଲରେ କାମ କରନ୍ତି । ଏକାଠି ମଧ୍ୟ ରୁହନ୍ତି । ହଠାତ୍ କାହିଁକି ଏମିତି ଘଟଣା ଘଟିଲା ତାହା ଜଣାନାହିଁ । ପୁରୁଣା ରାଗ ସୁଧାରିବା ପାଇଁ ଏମିତି ହୋଇଥାଇପାରେ । କାରଣ ହତ୍ୟା କାରୀ ଯିଏ ସେ ଜଣେ ହୋଟେଲ ର ନାନ ମିସ୍ତ୍ରୀ। ନାନ ତିଆରି କରିବା ତାର ଦାୟିତ୍ବ । ମୃତକ ପିତାମ୍ବର ଜେନା ରୋଷେୟା ଭାବେ କାମ କରୁଥିଲେ ।









