ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ପ୍ରାୟ ୩୬ କୋଟି ଟଙ୍କା ମୂଲ୍ୟର ୪୩ଟି ସମ୍ପତ୍ତିକୁ ବାଜ୍ୟାପ୍ତି କରିନିଆଯାଇଛି । ଜମି କିଣାବିକା ପ୍ରକ୍ରିୟାରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭଦ୍ରାଙ୍କ ବିରୋଧରେ ଏପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରିପୋର୍ଟ ଅନୁସାରେ ହରିଆଣାର ଶିକୋହପୁର ଗ୍ରାମରେ ଭଦ୍ରାଙ୍କ ରିଅଲ ଇଷ୍ଟେଟ୍ କମ୍ପାନୀ ଡିଏଲ୍ଏଫ୍ ପକ୍ଷରୁ ଜମି କିଣାବିକା ହୋଇଥିଲା । ତେବେ ଏହି ଜମି କାରବାରରେ ବ୍ୟାପକ ମନିଲଣ୍ଡରିଂ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାର ତଦନ୍ତ ଚାଲିଥିବାବେଳେ ଇଡି ପକ୍ଷରୁ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମନିଲଣ୍ଡରିଂ ପ୍ରତିକାର ଆଇନରେ ସ୍ଥାନୀୟ ଅଦାଲତରେ ରବର୍ଟ ଭଦ୍ରାଙ୍କ ସମେତ ପ୍ରାୟ ୧୧ଜଣଙ୍କ ନାଁରେ ଚାର୍ଜଶିଟ୍ ମଧ୍ୟ ଦାଖଲ ହୋଇଛି । ଗତ ଏପ୍ରିଲରେ ଇଡି ରବର୍ଟଙ୍କୁ ଏହି ମାମଲାରେ ଜେରା କରିଥିଲା ।
ଇଡି ଦର୍ଶାଇଛି ଯେ, ଏହି ମାମଲା ୨୦୦୮ରେ ଗୁରୁଗ୍ରାମର ଶିଖୋପୁରରେ ଏକ ଜମି ଚୁକ୍ତି ସହିତ ଜଡିତ । ରବର୍ଟ ଭଦ୍ରା ଏଠାରେ ମାତ୍ର ୭.୫ କୋଟି ଟଙ୍କାରେ ୩.୫୩ ଏକର ଜମି କିଣିଥିଲେ, ଯାହାକୁ କିଛି ସମୟ ପରେ ସେ ୫୮ କୋଟି ଟଙ୍କାରେ ବିକ୍ରି କରିଥିଲେ । ଇଡି ଅଭିଯୋଗ କରିଛି ଯେ, ଏହି ଡିଲ୍ ଜାଲ ଡକ୍ୟୁମେଣ୍ଟ ଏବଂ ଭଦ୍ରାଙ୍କ ବ୍ୟକ୍ତିଗତ ପ୍ରଭାବ ମାଧ୍ୟମରେ କରାଯାଇଥିଲା, ଯେଉଁଥିରେ ନିୟମଗୁଡ଼ିକର ଉଲ୍ଲଂଘନ କରାଯାଇଥିଲା । ଏହି ମାମଲାରେ, ଇଡି ରବର୍ଟ ଭଦ୍ରା ଏବଂ ତାଙ୍କ କମ୍ପାନୀ ସହ ଜଡିତ ମୋଟ ୪୩ଟି ସମ୍ପତ୍ତିକୁ ଆଟାଚ୍ କରିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୪ରେ ହେବ । ଅନ୍ୟପକ୍ଷେ ସୋସିଆଲ ମିଡିଆ ଏକ୍ସ’ରେ ଏସମ୍ପର୍କରେ ଉଲ୍ଲେଖ କରିବାକୁ ଯାଇ ଲୋକସଭାର ବିରୋଧୀ ଦଳ ନେତା ତଥା ରବର୍ଟଙ୍କ ଶାଳକ ରାହୁଲ ଗାନ୍ଧୀ ଲେଖିଛନ୍ତି, ତାଙ୍କ ଭିଣୋଇଙ୍କୁ ଗତ ୧୦ ବର୍ଷ ଧରି ବିଜେପି ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରିଆସୁଛି । ତାଙ୍କ ବିରୋଧରେ ଦାଖଲ ହୋଇଥିବା ସଦ୍ୟତମ ଚାର୍ଜସିଟ୍ ସମାନ ଷଡ଼ଯନ୍ତ୍ରର ଆଉ ଏକ ଅଂଶ । ଉଭୟ ରବର୍ଟ, ତାଙ୍କ ଭଉଣୀ ପ୍ରିୟଙ୍କା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ମାନହାନି ଏବଂ ହଇରାଣ ହରକତ କରାଯିବା ଭଳି ଏକ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି । ତେବେ ଉଭୟ ରବର୍ଟ ଏବଂ ପ୍ରିୟଙ୍କା ଯେକୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ । ଉଭୟ ସାହସ ଏବଂ ସମ୍ମାନର ସହିତ ନିଜ ଲଢ଼େଇ ଜାରି ରଖିବେ । ଶେଷରେ ସତ୍ୟର ବିଜୟ ହେବ ।










