ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୈଦଲପୁର ପୁଲିସ୍ ଏକ ଡକାୟତ ଦଳକୁ କାବୁ କରିବାରେ ସଫଳ ହୋଇଛି। ସୂଚନା ମୁତାବକ ସେମଳା ଗ୍ରାମ ନିକଟ ଜଙ୍ଗଲରେ ଡକାୟତି ଉଦ୍ୟମ କରୁଥିବା ସମୟରେ ମୈଦଲପୁର ପୁଲିସ୍ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ହେନସେନ ଧୋବା, ଫବିତ ବାଘ, ପୁରୁଷୋତ୍ତମ ମାଳି, ଅଜୟ ମାଳି ଓ ଉର୍ଦ୍ଧବ ହରିଜନ। ଏନେଇ ନବରଙ୍ଗପୁର ଏଏସ୍ପି ଆଦିତ୍ୟ ସେନ୍ ମୈଦଲପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୬ରୁ ୮ଜଣ ବ୍ୟକ୍ତି ସେମଳା ଗ୍ରାମ ନିକଟ ଜଙ୍ଗଲରେ ଏକତ୍ରିତ ହୋଇ ଡକାୟତି କରିବାକୁ ଯୋଜନା କରୁଥିବା ନେଇ ପୁଲିସ୍କୁ ଖବର ମିଳିଥିଲା। ପରେ ମୈଦଲପୁର ଏଏସ୍ଆଇ ଲୋକେଶ କୁମାର ଭୋଇଙ୍କ ନେତୃତ୍ୱରେ ଏକ ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ କାବୁ କରି ଥାନାକୁ ଆଣି ପଚରାଉଚୁରା କରିଥିଲେ। ଅଭିଯୁକ୍ତଙ୍କଠାରୁ ଏକ ଧଳା ରଙ୍ଗର ବୋଲେରୋ, ଏକ ବାଇକ୍, ୫ଟି ମୋବାଇଲ୍ ଫୋନ୍ ଓ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଜବତ କରାଯାଇଛି। ଏନେଇ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏଏସ୍ପି ଆଦିତ୍ୟ ସେନ ପ୍ରକାଶ କରିଛନ୍ତି। ଏହି ସମ୍ମିଳନୀରେ ମୈଦଲପୁର ଥାନାଧିକାରୀ ଯୁଗଳ ଶବର ଓ ଏସ୍ଡିପିଓ ସତ୍ୟଜିତ କାଣ୍ଡେଲକେଲ ଉପସ୍ଥିତ ଥିଲେ।










