ଯାଜପୁର: ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ଡୁବୁରୀ ୫୩-ନମ୍ବର ଜାତୀୟ ରାଜପଥ କୁସୁନପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତକ ଦୁଇ ଜଣ ହେଲେ ମୋହନ ପିଙ୍ଗୁଆଙ୍କ ପୁଅ ସୁନୀଲ ପିଙ୍ଗୁଆ, ମଧୁ ହାଁସଦାଙ୍କ ପୁଅ ଜନମ ସିଂ ହାଁସଦା ଏବଂ ଗୁରୁତର ଆହତ ଜଣକ ବାସୁ ପୂର୍ତ୍ତିଙ୍କ ପୁଅ ବାପୁନ ପୂର୍ତ୍ତି ବୋଲି ଜଣାପଡିଛି। ସମସ୍ତେ ଜେନାପୁର ଥାନା ଅନ୍ତର୍ଗତ ଚକ୍ରଧରପୁର ପଞ୍ଚାୟତ ଅଧିନ ବଲାଙ୍ଗିଆ ଗ୍ରାମର ବୋଲି ସୂଚନା ମିଳିଛି। ଖବର ମୁତାବକ ସୋମବାର ଅପରାହ୍ନ ପ୍ରାୟ ୫.୩୦ ମିନିଟରେ ଡୁବୁରୀ ରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ ୧୮ ଚକିଆ ଟ୍ରେଲର ଜେନାପୁର ଥାନା ଅନ୍ତର୍ଗତ କୁସୁନପୁର ପେଟ୍ରୋଲ ପମ୍ପ ନିକଟରେ ହଠାତ ଡିଭାଇଡର ଡେଇଁ ରାସ୍ତାର ଆରପଟ କୁ ଚାଲି ଯାଇଥିଲେ। ତେବେ ଅନ୍ୟ ପଟ ରାସ୍ତାରେ ମୋଟର ସାଇକେଲରେ ଯାଉଥିବା ସ୍ଥାନୀୟ ଚକ୍ରଧରପୁର ପଞ୍ଚାୟତ ବଲାଙ୍ଗିଆ ଗ୍ରାମର ତିନି ଜଣ ଯୁବକଙ୍କୁ ଧକ୍କା ଦେଇ ଏକ ଖାଲରେ ପଶି ଯାଇଥିଲା। ଦୁର୍ଘଟଣାରେ ବାଇକ ଆରୋହି ମାନେ ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇ ବଡ଼ଚଣା ମେଡ଼ିକାଲକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ସୁନୀଲ ଏବଂ ଜନମ ସିଂ କୁ ମୃତ ଘୋଷଣା କରିଥିଲେ ଏବଂ ଗୁରୁତର ଜଣକୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଦୁର୍ଘଟଣାର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉକ୍ତ ୧୮ ଚକିଆ ଟ୍ରେଲର ଗାଡ଼ିଟି ଭାରତ ବେଞ୍ଚ କମ୍ପାନୀର ବି ଏସ୍ -୬ ମଡେଲର ର ଅଟେ। ଏହାର କୌଣସି ମେଣ୍ଟେନାନ୍ସ ପାଇଁ ଲାପଟପର ବ୍ୟବହାର କରାଯାଏ। ଉକ୍ତ ଗାଡ଼ିରେ ଡ୍ରାଇଭରଙ୍କ ସମେତ ଦୁଇ ଜଣ ଇଞ୍ଜିନିୟର ଟ୍ରାଏଲ ପାଇଁ ଯାଉଥିଲେ। କୌଣସି କାରଣରୁ ହଠାତ ଇଞ୍ଜିନର ସ୍ପୀଡ଼ ବଢ଼ି ଯାଇ ଗାଡିଟି ଭାରଶ୍ୟାମ ହରାଇ ଥିଲା।ଦୁର୍ଘଟଣା ସ୍ଥଳରେ ଜେନାପୁର ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ଅଧିକ ତଦନ୍ତ କରୁଛି।










