-ଗୃହ ଭିତରକୁ ଧାନ ଧରି ଆସିଲେ ବିଜେଡି ବିଧାୟକ
– ପ୍ରତିବାଦରେ ସାଥ୍ ଦେଲା କଂଗ୍ରେସ
-ଗୃହ ହୁଲୁସ୍ତୁଲ ହେବା ସହ ବାରମ୍ବାର ଅଚଳ
-ଇନପୁଟ୍ ସବ୍ସିଡି ରାଶିକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ
ଭୁବନେଶ୍ୱର: ବିଧାନସଭାରେ ଧାନ ମଣ୍ଡି ତାତି। ଗୃହ ଭିତରକୁ ଧାନ ଧରି ଆସିଲେ ବିଜେଡି ବିଧାୟକ, ପ୍ରତିବାଦରେ ସାଥ୍ ଦେଲା କଂଗ୍ରେସ। ବିରୋଧୀ ସଭ୍ୟମାନେ ହାତରେ ପ୍ଲାକାର୍ଡ଼ ଧରି ଗୃହରେ ପ୍ରବଳ ହଟ୍ଟଗୋଳ ସହ ନାରାବାଜି କରିଥିଲେ। ଫଳରେ ଗୃହ ହୁଲୁସ୍ତୁଲ ହେବା ସହ ବାରମ୍ବାର ଅଚଳ ହୋଇଥିଲା। ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହେବାରୁ ଗୃହକୁ ମୂଲତବୀ କରିଥିଲେ ବାଚସ୍ପତି। ଦିନ ତମାମ ଗୃହ ସୁରୁଖୁରୁରେ ଚାଲିପାରି ନଥିଲା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହକୁ ବାଚସ୍ପତି ସୁରମା ପାଢ଼ୀ ବାରମ୍ବାର ମୁଲତବୀ କରିଥିଲେ। ଗୃହରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ସମ୍ପୂର୍ଣ୍ଣ ଧୋଇଯାଇଥିବାବେଳେ ଗୃହ ୩ଟି ପର୍ଯ୍ୟାୟରେ ମାତ୍ର ୭ମନିଟ୍ ଚାଲିବା ସମ୍ଭବପର ହୋଇପାରିଛି। ବିରୋଧୀ ସଦସ୍ୟମାନେ ହାତରେ ପ୍ଲାକାର୍ଡ ଓ ଫ୍ଲେକ୍ସ ଧରି ପ୍ରତିବାଦ କରିବା ସହ ବିଜେଡି ସଦସ୍ୟମାନେ ଧାନକୁ ହାତରେ ଟେକି ନିଜର ବିରୋଧ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଗୃହ ବାହାରେ ଧାନ ବିକ୍ରିରେ ଇନପୁଟ୍ ସବ୍ସିଡି ରାଶିକୁ ନେଇ ଶାସକ ଓ ବିରୋଧୀ ମଧ୍ୟ ମୁହାଁମୁହିଁ ହୋଇଛନ୍ତି।
ବୁଧବାର ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନର ଥିଲା ଦ୍ୱିତୀୟ ଦିନ। ଧାର୍ଯ୍ୟ ସାଢ଼େ ଦଶରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ସୁରମା ପାଢ଼ୀ ପ୍ରଶ୍ନୋତ୍ତର କାର୍ଯ୍ୟକାଳ ଆରମ୍ଭ କରିବା ପରେ ବିରୋଧୀ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ଗୃହ ମଝିରେ ରାଜ୍ୟବ୍ୟାପୀ ଧାନ ମଣ୍ଡିଗୁଡ଼ିକର କ୍ରୟ ପରିଚାଳନା କରିବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରି ସ୍ଲୋଗାନ ଦେଇଥିଲେ। ବିଜେଡି ବିଧାୟକମାନେ ଧାନର ଅଭାବୀ ବିକ୍ରି ଅଭିଯୋଗ କରି ହାତରେ ଫ୍ଲେକ୍ସ ଧରି ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲେ। ବିଧାୟକ ରୋମାଞ୍ଜ ରଞ୍ଜନ ବିଶ୍ୱାଳ ଧାନ ଆଣି ରିପୋର୍ଟରଙ୍କ ଟେବୁଲ ଉପରେ ଥୋଇ ପ୍ରତିବାଦ କରିଥିଲେ। ପରେ ବିଧାୟକ ଅରୁଣ ସାହୁ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଭୟ ଏହାକୁ ହାତରେ ଧରି ବିରୋଧ ପ୍ରଦର୍ଶନ କରିଥିଲେ। ଦଳର ଅନ୍ୟ ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ତଳେ ସରକାର ବିରୋଧୀ ସ୍ଲୋଗାନମାନ ଦେଇଥିଲେ। କଂଗ୍ରେସ ସଦସ୍ୟମାନେ ମଧ୍ୟ ଧାନର ଅଭାବୀ ବିକ୍ରି ଅଭିଯୋଗ କରି ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗରେ ବିରୋଧ ପ୍ରଦର୍ଶନ କରିଥିଲେ। ‘ନକଲି କହି ଚାଷୀଙ୍କ କଲ ଅପମାନ, ଚାଷୀ ସମସ୍ୟାର ଏ କି ସମାଧାନ’, ‘ ଡବଲ ଇଞ୍ଜିନ, ଡବଲ କଟନୀ ଛଟନୀ, ଡବଲ ଧୋକା’, ‘ ମା କାନ୍ଦୁଛି, ଚାଷୀ କାନ୍ଦୁଛି, ବିଜେପି ସରକାର ଛି ଛି’, ମୋହନ ସରକାର ଏହା କଲ, ଚାଷୀମାନଙ୍କୁ ଧୋକା ଦେଲ’, କାନ୍ଦୁଛି ଚାଷୀ କାନେ୍ଦ ଜନତା,କୁଆଡ଼େ ଗଲା ତମ ଓଡ଼ିଆ ଅସ୍ମିତା’, ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ପ୍ରଭୃତି ଆଦି ସ୍ଲୋଗାନ ଲେଖା ଥିବା ପ୍ଲାକାର୍ଡଗୁଡ଼ିକୁ ବିଜେଡି ବିଧାୟକମାନେ ହାତରେ ଧରି ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ।
ଯଦିଓ ଗୃହରେ ପ୍ରଶ୍ନକାଳ ଆରମ୍ଭ ପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ବାଚସ୍ପତି ଶ୍ରୀମତୀ ପାଢ଼ୀ ଅନୁମତି ଦେଇଥିଲେ କିନ୍ତୁ ବିରୋଧୀ ଦଳ ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଗୃହ ମାତ୍ର ୩ମିନିଟ୍ ଚାଲିପାରିଥିଲା। ପରେ ସାଢ଼େ ୧୧ଟାରେ ଅନୁରୂପ ସ୍ଥିତି ଲାଗି ରହିବାରୁ ମାତ୍ର ୨ମିନିଟ୍ ପରେ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ଅପରାହ୍ଣ ଅଧିବେଶନ ଆରମ୍ଭ ହେବା ପରେ ଅନୁରୂପ ସ୍ଥିତି ସୃଷ୍ଟି ହୋଇଥିଲା। ବିରୋଧୀ କଂଗ୍ରେସ ଓ ବିଜେଡି ସଭ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ ସହ ନାରାବାଜି କରିଥିଲେ। ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଶ୍ରୀମତୀ ପାଢ଼ୀ ଅପରାହ୍ଣ ୪ଟା୨ରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଆଜି ଗୃହରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ସମ୍ଭବପର ହୋଇପାରିନାହିଁ।










