14.1 C
Bhubaneswar
Saturday, December 6, 2025
Homeଓଡିଶାପୂର୍ତ୍ତ ବିଭାଗ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକ

ପୂର୍ତ୍ତ ବିଭାଗ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକ

ଭୁବନେଶ୍ୱର: ବିଗତ ଦିନ ତୁଳନାରେ ଓଡ଼ିଶା ଆଜି ଦ୍ରୁତ ବିକାଶ ପଥରେ ଆଗକୁ ଅଗ୍ରସର ହେଉଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ପ୍ରତି ଭଲପାଇବା ଏବଂ ଅନ୍ୟ ବରିଷ୍ଠ କେନ୍ଦ୍ର ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ରାଜ୍ୟ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ଓଡ଼ିଶାର ବିକାଶ ପାଇଁ କେନ୍ଦ୍ରରୁ ଅନେକ ଅନୁଦାନ ଆସୁଛି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହାକୁ ପୂରା କରିବାକୁ ହେଲେ ଆମକୁ ରାସ୍ତାଘାଟ ଓ ଅନ୍ୟ ଭିତ୍ତିଭୂମିରେ ବିକାଶକୁ ତ୍ୱରିତ ବେଗରେ ଆଗେଇ ନେବାକୁ ପଡ଼ିବ ବୋଲି କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ରାଜ୍ୟରେ ଥିବା ବିଭିନ୍ନ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପ୍ରକଳ୍ପର ଅଗ୍ରଗତି ସହ କୋରାପୁଟ ବାଇପାସ୍‌, ଜୁନାଗଡ଼ ବାଇପାସ୍‌, ରାଉରକେଲା ବାଇପାସ୍‌, ନୂଆପଡ଼ା ବାଇପାସ୍‌, ଆସ୍କା ବାଇପାସ୍‌, ଜଗତସିଂପୁର ଜିଲ୍ଲା ଅନ୍ତର୍ଗତ ଓଏମ୍‌ପି-କନ୍ଦରପୁର-ପାରାଦ୍ୱୀପ ଆଦି ରାସ୍ତା ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିଥିଲେ ।

ସେହିପରି ଭୁବନେଶ୍ୱର ସହରର ଭିଡ଼ ନିୟନ୍ତ୍ରଣ ପାଇଁ ଜୟଦେବ ବିହାରଠାରୁ ନନ୍ଦନକାନନରେ ରାସ୍ତାର ପ୍ରଶସ୍ତିକରଣ ଓ ଉଭୟ ପଟରେ ସମାନ୍ତରାଳ ରାସ୍ତା ନିର୍ମାଣ ଏବଂ ସଂଯୋଗୀକରଣ ରାସ୍ତା, ଏମସ୍‌କୁ ଯାଇଥିବା ରାସ୍ତାର ଉନ୍ନତି ଓ ପ୍ରଶସ୍ତିକରଣ, ଖଣ୍ଡଗିରି-ଜାଗମରା ଏଲିଭେଟେଡ୍‌ ରାସ୍ତା ଏବଂ କଳ୍ପନା ଛକରେ ଆଧୁନିକ ଏଲିଭେଟେଡ୍‌ ରାସ୍ତା ସହ ଏ.ଜି ଛକରେ ଟ୍ରାଫିକ୍‌ ସମସ୍ୟା ହ୍ରାସ ପାଇଁ ଦୁଇ ଥାକିଆ ରାସ୍ତାର ପରିକଳ୍ପନା ନେଇ ବୈଠକରେ ଆଲୋଚନା ହୋଇଥିଲା । ଏଥି ସହିତ ପୁରୀର ବିଭିନ୍ନ ରାସ୍ତା, କୋଠାବାଡ଼ି, ଧର୍ମଶାଳା, ପାଠାଗାର ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ମନ୍ତ୍ରୀ ସମୀକ୍ଷା କରିବା ସହ ସମସ୍ତ ନିର୍ମାଣ କାର୍ଯ୍ୟକୁ ଅତିଶୀଘ୍ର ସମାପ୍ତ କରିବା ନେଇ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହିତ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଡିଭିଜନ୍‌ ସ୍ତରରେ ବିଭିନ୍ନ ସରକାରୀ ବିଧି ବ୍ୟବସ୍ଥାକୁ ତ୍ୱରିତ କରିବା ପାଇଁ ସମସ୍ତ କାର୍ଯ୍ୟ ଓସ୍ୱାସ୍‌ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ଜରିଆରେ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଏହି କ୍ରମରେ ଆଜିଠାରୁ ଓବିସିସିର ସମସ୍ତ ସରକାରୀ କାର୍ଯ୍ୟ ଓସ୍ୱାସ୍‌ ମାଧ୍ୟମରେ ହେବା ନେଇ ଶୁଭାରମ୍ଭ ହୋଇଛି । ଏହି ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ପୂର୍ତ୍ତ ବିଭାଗର ଇଆଇସି(ସିଭିଲ୍) ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଲକ୍ଷ୍ମୀକାନ୍ତ ପାଢ଼ି, ଇଆଇସି (ସିଭିଲ୍‌) ଇଂ ସତ୍ୟବ୍ରତ ବେହେରା, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସମୀର ହୋତା,ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ରାସ୍ତା-୧) ଇଂ ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ (ବିଲ୍‌ଡିଂ-୧) ଇଂ ପ୍ରିୟବ୍ରତ ସାମନ୍ତରାୟ, ମୁଖ୍ୟ ଯନ୍ତ୍ରୀ(ରାସ୍ତା -୨) ଇଂ ଶିବବ୍ରତ ତରିଆ,ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀ ଶ୍ରୀ ସୁନିଲ କୁମାର,ଭୁବନେଶ୍ୱର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ ମହାନନ୍ଦଙ୍କ ସହ ଏନ୍‌ଏଚ୍‌ଏଆଇର ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking