ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ସରକାରୀ ଉଦ୍ୟୋଗ ବିଭାଗର ତତ୍ତ୍ଵାବଧାନରେ ଆଜି ଭୁବନେଶ୍ୱର ଲାଇଫ ହୋଟେଲ ଠାରେ ଗ୍ରିଡକୋ ସହାୟତାରେ ‘ନବିକରଣୀୟ ଶକ୍ତି ପ୍ରଯୁକ୍ତିବିଦ୍ୟା କ୍ଷମତା ବୃଦ୍ଧିକାରୀ’ କର୍ମଶାଳା ଆୟୋଜିତ ହୋଇଯାଇଛି। ଆନୁଷ୍ଠାନିକ ଦକ୍ଷତାକୁ ସୁଦୃଢ଼ କରିବା, ବୈଷୟିକ-ବାଣିଜ୍ୟିକ ବୁଝାମଣାରେ ସୁଧାର ଆଣିବା ଏବଂ ରାଜ୍ୟରେ ନବିକରଣୀୟ ଶକ୍ତିର ପ୍ରସାର ପାଇଁ ସମନ୍ୱିତ ନିଷ୍ପତ୍ତି ଗ୍ରହଣ କରିବା ନିମନ୍ତେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରମୁଖ ନବିକରଣୀୟ ଶକ୍ତି ପ୍ରଯୁକ୍ତିବିଦ୍ୟା ବିଷୟରେ ଅନ୍ତର୍ଦୃଷ୍ଟି ପ୍ରଦାନ କରିବା, ଅଂଶଗ୍ରହଣକାରୀମାନଙ୍କୁ ପ୍ରଯୁକ୍ତି ବିଦ୍ୟା- ବାଣିଜ୍ୟିକ ବିଦ୍ୟା ଏବଂ ନୀତିଗତ ଢାଞ୍ଚା ସହିତ ପରିଚିତ କରାଇବା ଏବଂ ପ୍ରଭାବଶାଳୀ କାର୍ଯ୍ୟ ପାଇଁ ପ୍ରୋତ୍ସାହିତ କରିବା । ଓଡ଼ିଶା ନବିକରଣୀୟ ଶକ୍ତି କ୍ଷମତା ହାସଲ କରିବାକୁ ଏକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛି ।
ଏହି କର୍ମଶାଳାରେ ସରକାରୀ ଉଦ୍ୟୋଗ ତଥା ପ୍ରଶାସନିକ ବିଭାଗ ମାନଙ୍କ ମଧ୍ୟରେ ସମନ୍ୱୟ, ସୂଚନାଭିତ୍ତିକ ପ୍ରକଳ୍ପ ଯୋଜନା ଏବଂ ନବିକରଣୀୟ ଶକ୍ତି ପ୍ରଯୁକ୍ତିବିଦ୍ୟା ଓ ଏହାର କାର୍ଯ୍ୟକାରିତା ବିଷୟରେ ପ୍ରମୁଖ ବିଭାଗର ବରିଷ୍ଠ ଅଧିକାରୀ, ପି ଏସ ୟୁ ର ପଦଧିକାରୀ, କ୍ଷେତ୍ର ବିଶେଷଜ୍ଞ ଏବଂ ଅନ୍ୟ ଅଧିକାରୀମାନଙ୍କୁ ସଚେତନ କରାଯାଇଛି । ଏହି କାର୍ମଶାଳାରେ ସରକାରୀ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ,ଶ୍ରୀ ଏନ୍ ବି ଏସ୍ ରାଜପୁତ, ଗ୍ରିଡକୋର ପରିଚାଳନା ନିର୍ଦ୍ଦେଶକ ଡ. ସତ୍ୟପ୍ରିୟ ରଥ, ନିର୍ଦ୍ଦେଶକ (ଏଫ୍ ଆଣ୍ଡ ସି ଏ ) ଶ୍ରୀ କେ.ସି. ନନ୍ଦ, ନିର୍ଦ୍ଦେଶକ (କମର୍ସିଆଲ୍ )ଶ୍ରୀ ଦେବାଶିଷ ଦାସ, ସି ପି ଏମ୍ ଶ୍ରୀ ମହେଶ ପ୍ରସାଦ ଦାଶ, ଓରେଡ଼ାର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୌମ୍ୟରଞ୍ଜନ ଆଇଚ୍, ପ୍ରୋଗ୍ରାମ ଡାଇରେକ୍ଟର, ଆଇ ଫରେଷ୍ଟ ମାଣ୍ଡଭୀ ସିଂ, ସରକାରୀ ଉଦ୍ୟୋଗ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀମତୀ ଲିପ୍ସା ଦାସ ଓ ଅତିରିକ୍ତ ଶାସନ ସଚିବ ଶ୍ରୀ ସୁଶାନ୍ତ କୁମାର ସିଂଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ |










