21.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶସଂରକ୍ଷଣ ପାଇଁ ଧର୍ମ ପରିବର୍ତ୍ତନ ସମ୍ବିଧାନ ପ୍ରତି ବିଶ୍ୱାସଘାତ: ସୁପ୍ରିମକୋର୍ଟ

ସଂରକ୍ଷଣ ପାଇଁ ଧର୍ମ ପରିବର୍ତ୍ତନ ସମ୍ବିଧାନ ପ୍ରତି ବିଶ୍ୱାସଘାତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ ସଂରକ୍ଷଣର ଲାଭ ପାଇବା ପାଇଁ ଧର୍ମ ପରିବର୍ତ୍ତନ କରିବା ସମ୍ବିଧାନର ମୌଳିକ ଭାବନାର ବିରୁଦ୍ଧ ଅଟେ। ଏଥିସହ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାଏମ୍ ରଖିଛନ୍ତି। ମାଡ୍ରାସ ହାଇକୋର୍ଟ ଜଣେ ଖ୍ରୀଷ୍ଟିଆନ ମହିଳାଙ୍କୁ ଏକ ଅନୁସୂଚିତ ଜାତି (ଏସ୍‌ସି) ପ୍ରମାଣପତ୍ର ଦେବାକୁ ମନା କରିଥିଲେ। ଏହି ମହିଳା ପୁଡୁଚେରୀରେ ଅପର ଡିଭିଜନ୍ କ୍ଲର୍କ (ୟୁଡିସି) ଚାକିରି ପାଇଁ ଏସ୍‌?ସି ସାର୍ଟିଫିକେଟ୍ ଚାହୁଁଥିଲେ। ଏଥିପାଇଁ ସେ ନିଜକୁ ହିନ୍ଦୁ ବୋଲି ଘୋଷଣା କରିଥିଲେ। ଜଷ୍ଟିସ ପଙ୍କଜ ମିତ୍ତଲ ଏବଂ ଜଷ୍ଟିସ ଆର. ମହାଦେବନଙ୍କ ନେତୃତ୍ୱରେ ଗ ଠିତବେଞ୍ଚ କହିଛନ୍ତି ଯେ ମହିଳା ଖ୍ରୀଷ୍ଟିଆନ ଧର୍ମ ଅନୁସରଣ କରନ୍ତି ଏବଂ ନିୟମିତ ଚର୍ଚ୍ଚକୁ ଯାଆନ୍ତି।

ଏହା ସତ୍ତ୍ୱେ ସେ ଏହି ଚାକିରି ପାଇଁ ଜଣେ ହିନ୍ଦୁ ଏବଂ ଅନୁସୂଚିତ ଜାତିର ବ୍ୟକ୍ତି ବୋଲି ଦାବି କରୁଛନ୍ତି। ଏହିପରି ଦୋହରା ଦାବି ଠିକ୍ ନୁହେଁ । ବେଞ୍ଚ କହିଛନ୍ତି ଖ୍ରୀଷ୍ଟିଆନ ଥିବା ବ୍ୟକ୍ତିଙ୍କୁ ଏସ୍‌ସି ମାନ୍ୟତା ଦେବା କିନ୍ତୁ ସଂରକ୍ଷଣ ପାଇଁ ନିଜକୁ ହିନ୍ଦୁ ବୋଲି ବର୍ଣ୍ଣନା କରିବା ସଂରକ୍ଷଣ ଉଦ୍ଦେଶ୍ୟ ବିରୁଦ୍ଧ ଅଟେ। ଏହା ସମ୍ବିଧାନ ପ୍ରତି ବିଶ୍ୱାସଘାତକତା। ଅଦାଲତ କହିଛନ୍ତି ଏହି ମାମଲା ଏକ ବଡ଼ ପ୍ରଶ୍ନ ସହିତ ଜଡିତ ଯେଉଁଥିରେ ଧର୍ମକୁ ଏସ୍‌ସି / ଏସ୍‌ଟି ସଂରକ୍ଷଣର ଆଧାର କରିବା ପାଇଁ ସାମ୍ବିଧାନିକତା ଉପରେ ଶୁଣାଣି ଚାଲିଛି। ଏଥିରେ ଖ୍ରୀଷ୍ଟିଆନ ଏବଂ ମୁସଲମାନ ଦଳିତଙ୍କ ପାଇଁ ସଂରକ୍ଷଣ ଦାବି କରାଯାଇଛି। ୧୯୫୦ର ରାଷ୍ଟ୍ରପତିଙ୍କ ଆଦେଶ ଅନୁଯାୟୀ କେବଳ ହିନ୍ଦୁମାନେ ଏସ୍‌ସି ମାନ୍ୟତା ପାଇପାରିବେ। ସଂରକ୍ଷଣ ପାଇଁ ଶିଖ୍ ଏବଂ ବୌଦ୍ଧଧର୍ମୀମାନଙ୍କୁ ମଧ୍ୟ ହିନ୍ଦୁ ବୋଲି ବିବେଚନା କରାଯାଇଥାଏ।

୨୦୦୭ରେ, ଜଷ୍ଟିସ୍ ରଙ୍ଗନାଥ ମିଶ୍ର ଆୟୋଗ ଦଳିତ ଖ୍ରୀଷ୍ଟିଆନ ଏବଂ ମୁସଲମାନମାନଙ୍କୁ ଏସ୍‌?ସି ସଂରକ୍ଷଣ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଜଷ୍ଟିସ ମହାଦେବନ କହିଛନ୍ତି ଯେ ଭାରତ ଏକ ଧର୍ମନିରପେକ୍ଷ ଦେଶ। ଧାରା ୨୫ ଅନୁଯାୟୀ, ପ୍ରତ୍ୟେକ ନାଗରିକ ନିଜ ପସନ୍ଦର ଧର୍ମ ପାଳନ କରିବାର ଅଧିକାର ପାଇଛନ୍ତି। ଜଣେ ବ୍ୟକ୍ତି ଅନ୍ୟ ଧର୍ମରେ ଯୋଗ ଦେଇଥାଏ ଯେତେବେଳେ ସେ ଏହାର ନୀତି ଏବଂ ଧାରଣା ଦ୍ୱାରା ପ୍ରଭାବିତ ହୁଏ। କିନ୍ତୁ ଯଦି ଧାର୍ମିକ ରୂପାନ୍ତରର ଉଦ୍ଦେଶ୍ୟ କେବଳ ସଂରକ୍ଷଣର ଲାଭ ପାଇବା, ତେବେ ଏହାକୁ ଅନୁମତି ଦିଆଯାଇପାରିବ ନାହିଁ। ଏହିପରି ଲୋକଙ୍କୁ ସଂରକ୍ଷଣ ପ୍ରଦାନ ସଂରକ୍ଷଣ ନୀତିର ସାମାଜିକ ଉଦ୍ଦେଶ୍ୟକୁ ବିଫଳ କରିବ। ମାଡ୍ରାସ ହାଇକୋର୍ଟର ୨୪ ଜାନୁଆରୀ ୨୦୨୩ର ଆଦେଶକୁ ଆବେଦନକାରୀ ସି ସେଲଭାରାନି ଚ୍ୟାଲେଞ୍ଜ କରିଥିଲେ।

ହାଇକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେଲଭାରାନି କହିଥିଲେ ଯେ ସେ ହିନ୍ଦୁ ଧର୍ମକୁ ମାନନ୍ତି ଏବଂ ଭାଲୁଭାନ ଜାତିର। ଏହି ଜାତି ୧୯୬୪ର ସମ୍ବିଧାନ (ପୁଡୁଚେରୀ) ଅନୁସୂଚିତ ଜାତି ଆଦେଶ ଅଧୀନରେ ଆସିଥାଏ। ତେଣୁ ସେ ଆଦି ଦ୍ରାବିଡ଼ କୋଟା ଅଧୀନରେ ସଂରକ୍ଷଣ ପାଇବାକୁ ହକଦାର। ସେଲଭାରାନି ଯୁକ୍ତି କରିଥିଲେ, ସେ ଜନ୍ମରୁ ହିନ୍ଦୁ ଧର୍ମ ଅନୁସରଣ କରୁଛନ୍ତି ଏବଂ ମନ୍ଦିରକୁ ଯାଇ ହିନ୍ଦୁ ଦେବତାଙ୍କୁ ପୂଜା କରୁଛନ୍ତି। ମହିଳା ଜଣକ ଜଣେ ହିନ୍ଦୁ ପିତା ଏବଂ ଖ୍ରୀଷ୍ଟିଆନ ମାତାଙ୍କଠାରୁ ଜନ୍ମ ହୋଇଥିବା ଅନେକ ଡକ୍ୟୁମେଣ୍ଟ ମାଧ୍ୟମରେ କୋର୍ଟରେ ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ। ବିବାହ ପରେ ତାଙ୍କ ମା’ ମଧ୍ୟ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ତାଙ୍କର ଜେଜେବାପା ଏବଂ ପରଜେଜେବାପାମାନେ ଭାଲୁଭାନ୍ ଜାତିର ଥିଲେ। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ଶିକ୍ଷାଗତ ଜୀବନରେ ସେ ଏସ୍‌ସି ସମ୍ପ୍ରଦାୟର ବୋଲି ବିବେଚନା କରାଯାଉଥିଲେ। ତାଙ୍କର ସ୍ଥାନାନ୍ତର ପ୍ରମାଣପତ୍ର ମଧ୍ୟ ତାଙ୍କ ଜାତି ନିଶ୍ଚିତ କରିଛି। ତାଙ୍କ ବାପା ଏବଂ ଭାଇଙ୍କର ଏସ୍‌ସି ସାର୍ଟିଫିକେଟ୍ ଅଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking