11.1 C
Bhubaneswar
Friday, January 16, 2026
Homeଓଡିଶାଖାରଜ ‘ସୁଭଦ୍ରା’ ହିତାଧିକାରୀଙ୍କ ଆବେଦନର ରି-ଚେକିଂ; ବିଡିଓଙ୍କୁ ନୋଡାଲ୍ ଏଜେନ୍ସି ଭାବେ ଦାୟିତ୍ୱ ପ୍ରଦାନ

ଖାରଜ ‘ସୁଭଦ୍ରା’ ହିତାଧିକାରୀଙ୍କ ଆବେଦନର ରି-ଚେକିଂ; ବିଡିଓଙ୍କୁ ନୋଡାଲ୍ ଏଜେନ୍ସି ଭାବେ ଦାୟିତ୍ୱ ପ୍ରଦାନ

ଭୁବନେଶ୍ୱର: ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ସୁଭଦ୍ରା ହିତାଧିକାରୀଙ୍କ ଆବେଦନର ରି-ଚେକିଂ ପାଇଁ ବିଡିଓଙ୍କୁ ନୋଡାଲ୍ ଏଜେନ୍ସି ଭାବରେ ଦାୟିତ୍ୱ ଦିଆଯାଇଛି। ଜିଲ୍ଲାସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ୩ ଜଣିଆ କମିଟି ଗଠନ ହୋଇଛି। ସେହି କମିଟି ଏହାର ଯାଞ୍ଚ କରିବ। ଯେଉଁମାନଙ୍କର ୫ ଏକର ଜମିରୁ ଅଧିକ ରହିଛି, ସେମାନଙ୍କ ଆବେଦନ ଖାରଜ ହୋଇଛି। ସେହି ଜାଗାରେ ତହସିଲଦାରମାନେ ଆରଆଇଙ୍କୁ ଧରି ଯାଞ୍ଚ କରିବେ। ଗୋଟିଏ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ ପଡ଼ିବେ ନାହିଁ ବୋଲି ସରକାରଙ୍କ ଲକ୍ଷ୍ୟ ରହିଛି। ଯାଞ୍ଚ ବେଳେ ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ମଧ୍ୟରୁ କିଛି ଯୋଗ୍ୟ ହିତାଧିକାରୀ ବାହାରିବେ। ସେମାନେ ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ପାଇପାରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଶନିବାର କହିଛନ୍ତି।

ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଖାରଜ ହୋଇଥିବା ଆବେଦନ ମଧ୍ୟରୁ ଜମି ଆଧାରରେ ଖାରଜ ସଂଖ୍ୟା ଅଧିକ ରହିଛି। ଆଉ କିଛି ଜଣଙ୍କର ସରକାରୀ ଚାକିରି ଥିବା ହେତୁ ସେମାନଙ୍କର ଖାରଜ ହୋଇଛି, ଆଉ କେତେଜଣଙ୍କର ବ୍ୟାଙ୍କ ସହ ଲିଙ୍କ୍ ନଥିବା ଯୋଗୁ ଖାରଜ ହୋଇଛି। ଏଥିହ ସହ ଅଙ୍ଗନବାଡ଼ି ଦିଦିମାନଙ୍କର ମଧ୍ୟ କଟିଯାଇଛି। ସମସ୍ତଙ୍କର ଯାଞ୍ଚ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ। ଯେଉଁମାନଙ୍କର ଖାରଜ ହୋଇଛି ଅଙ୍ଗନବାଡ଼ି ଦିଦିମାନଙ୍କ ଦ୍ୱାରା ନୋଟିସ କରାଯିବ। ଯଦି କାହାର ଜମି ପାଇଁ ସୁଭଦ୍ରା ଖାରଜ ହୋଇଥାଏ, ତାହାହେଲେ ତହସିଲଦାର ଓ ଆରଆଇ ଯାଞ୍ଚ କରିବେ। ବ୍ୟାଙ୍କ ଲିଙ୍କ୍ ପାଇଁ କଟିଥିଲେ ବ୍ୟାଙ୍କକୁ ରେଫର କରାଯିବ। ବ୍ୟାଙ୍କ ତା’ର ଯାଞ୍ଚ କରିବ। ଲୋକମାନଙ୍କ ପାଖରେ ସହଜ ଭାବରେ ସୁଭଦ୍ରା ପହଞ୍ଚାଇବା ପାଇଁ ଆମେ କହିଥିଲୁ। ତାକୁ ଆହୁରି ସରଳ ଭାବରେ ପହଞ୍ଚାଇବା ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। ସେହି କମିଟି ନିଶ୍ଚିତ ଭାବରେ ଏହା ସମ୍ପନ୍ନ କରିବ। ଡିସେମ୍ବର ଶେଷ ସୁଦ୍ଧା ୧ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ‘ସୁଭଦ୍ରା’ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୭ ଲକ୍ଷ ଆବେଦନ କରିଛନ୍ତି। ତନ୍ମଧ୍ୟରୁ ୨ ଲକ୍ଷ ୬୬ ହଜାର ଆବେଦନକାରୀଙ୍କର ବିଭିନ୍ନ କାରଣ ପାଇଁ ନାମ କଟିଛି। ସେମାନଙ୍କୁ ଏହି ସୁବିଧା ମିଳିପାରିନି। ଯାହାକୁ ଆଉ ଥରେ ଯାଞ୍ଚ କରାଯିବ। ଆବେଦନକାରୀଙ୍କର ପୁନଃ ଯାଞ୍ଚ ପାଇଁ କ୍ୟାବିନେଟରେ ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଥିଲା। ଯେମିତି ଜଣେ ବି ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେନି, ସେ ନେଇ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking