20.1 C
Bhubaneswar
Wednesday, January 14, 2026
Homeଖେଳଆର୍‌ସିବିର ନୈରାଶ୍ୟଜନକ ପ୍ରଦର୍ଶନ; ପଞ୍ଜାବ ଆଗରେ ୯୬ ରନ୍‌ର ଲକ୍ଷ୍ୟ

ଆର୍‌ସିବିର ନୈରାଶ୍ୟଜନକ ପ୍ରଦର୍ଶନ; ପଞ୍ଜାବ ଆଗରେ ୯୬ ରନ୍‌ର ଲକ୍ଷ୍ୟ

ବେଙ୍ଗାଲୁରୁ: ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍‌ର ୩୪ତମ ମ୍ୟାଚ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ପଞ୍ଜାବ କିଙ୍ଗ୍‌ସ ଆଗରେ ୯୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍ ବର୍ଷା କାରଣରୁ ୧୪-୧୪ ଓଭର୍ କରାଯାଇଥିଲା। ପ୍ରଥମେ ବ୍ୟାଟିଂ ପାଇ ଆର୍‌ସିବି ୯ ୱିକେଟ୍ ବିନିମୟରେ ୯୫ ରନ୍ କରିଛି। ଏହା ଚଳିତ ସିଜନ୍‌ରେ କୌଣସି ଟିମ୍‌ର ସର୍ବନିମ୍ନ ସ୍କୋର୍‌। ଟିମ୍ ପକ୍ଷରୁ ଟିମ୍ ଡେଭିଡ୍ (୫୦³) ଏବଂ ରଜତ ପାଟିଦାର (୨୧)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର୍ ଦୁଇଅଙ୍କ ମଧ୍ୟ ଛୁଇଁପାରି ନଥିଲେ। ଜବାବରେ ପଞ୍ଜାବ କିଙ୍ଗ୍‌ସ ୪ ଓଭର୍ ସୁଦ୍ଧା ୨ ୱିକେଟ୍ ହରାଇ ୩୨ ରନ୍ କରିନେଇଛି। ଓପ୍ନର୍ ପ୍ରଭସିମ୍‌ରନ୍ ସିଂହ ୯ ବଲ୍‌ରୁ ଦୁଇଟି ଚୌକା ସହାୟତାରେ ୧୩ ରନ୍ ଓ ପ୍ରିୟାଂଶ ଆର୍ଯ୍ୟ ୧୧ ବଲ୍‌ରୁ ଗୋଟିଏ ଲେଖାଏ ଛକା ଓ ଚୌକା ସହାୟତାରେ ୧୬ ରନ୍ କରି ଆଉଟ୍ ହୋଇଛନ୍ତି। ପ୍ରଭସିମ୍‌ରନ୍‌ଙ୍କୁ ଭୁବନେଶ୍ୱର କୁମାର ଏବଂ ପ୍ରିୟାଂଶଙ୍କୁ ଜୋଶ୍ ହେଜଲ୍ ଉଡ୍ ଟିମ୍ ଡେଭିଡ୍‌ଙ୍କ ହାତରେ କ୍ୟାଚ କରାଇଛନ୍ତି। ଖବର ଲେଖାହେବା ବେଳକୁ କ୍ୟାପ୍‌ଟେନ୍ ଶ୍ରେୟସ୍ ଆୟର୍ (୨) ଓ ଜୋଶ୍ ଇଙ୍ଗ୍‌ଲିସ୍ (୧) ବ୍ୟାଟିଂ କରୁଥିଲେ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଆର୍‌ସିବି ପଞ୍ଜାବ ବୋଲର୍‌ଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇନପାରି ୪ ଓଭର୍ ମଧ୍ୟରେ ତିନିଜଣ ଶୀର୍ଷକ୍ରମ ବ୍ୟାଟର୍‌ଙ୍କୁ ହରାଇଥିଲା। ଫିଲ୍ ସଲ୍ଟ ପ୍ରଥମେ ୪ ରନ୍ କରି ଆଉଟ୍ ହୋଇଥିଲେ। ପରେ ଅନ୍ୟତମ ଓପ୍ନର୍ ବିରାଟ କୋହଲି ମଧ୍ୟ ୧ ରନ୍‌ରେ ବିଦାୟ ନେଇଥିଲେ। ଉଭୟଙ୍କୁ ବାମହାତୀ ଫାଷ୍ଟ୍ ବୋଲର୍ ଅର୍ଶଦୀପ୍ ସିଂହ ଆଉଟ୍ କରିଥିଲେ। ଏହାପରେ ଚତୁର୍ଥ ଓଭର୍‌ରେ ଅଷ୍ଟ୍ରେଲୀୟ ଫାଷ୍ଟ୍ ବୋଲର୍ ଜାଭିୟର୍ ବାର୍ଟଲେଟ୍ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ଙ୍କ (୪)ଙ୍କୁ ପ୍ରିୟାଂଶ ଆର୍ଯ୍ୟଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ। ଟିମ୍‌ର ନୈରାଶ୍ୟଜନକ ବ୍ୟାଟିଂ ଜାରି ରହିବା ସହିତ ଜିତେଶ ଶର୍ମା (୨) ଓ କୃଣାଳ ପାଣ୍ଡ୍ୟା (୧) ମଧ୍ୟ ଶସ୍ତାରେ ବିଦାୟ ନେଇଥିଲେ। ଜିତେଶ୍‌ଙ୍କୁ ନେହାଲ୍ ୱାଦେରାଙ୍କ ହାତରେ ୟୁଜବେନ୍ଦ୍ର ଚହଲ କ୍ୟାଚ୍ ଆଉଟ୍ କରାଇଥିବା ବେଳେ କୃଣାଳ ପାଣ୍ଡ୍ୟାଙ୍କୁ ମାର୍କୋ ଜାନ୍‌ସେନ୍ କଟ୍ ଆଣ୍ଡ୍ ବୋଲ୍ଡ କରିଥିଲେ। ସେଟ୍ ହୋଇଆସିଥିବା କ୍ୟାପ୍‌ଟେନ୍ ରଜତ ପାଟିଦାରଙ୍କୁ ଜାଭିୟର୍ ବାର୍ଟଲେଟ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ଚହଲ ଆର୍‌ସିବିକୁ ୬ଷ୍ଠ ଝଟ୍‌କା ଦେଇଥିଲେ। ପାଟିଦାର ଗୋଟିଏ ଲେଖାଏ ଚୌକା ଓ ଛକା ସହାୟତାରେ ୧୮ ବଲ୍‌ରୁ ୨୩ ରନ୍ କରିଥିଲେ।

ତାଙ୍କ ଆଉଟ୍ ବେଳକୁ ଆର୍‌ସିବିର ସ୍କୋର୍ ୬ ୱିକେଟ୍‌ରେ ୪୧ ରନ୍ ଥିଲା। ଇମ୍ପାକ୍ଟ ପ୍ଲେୟର୍ ଭାବେ ଆସିଥିବା ମନୋଜ ଭଣ୍ଡାଗେ ଆଇପିଏଲ୍ ଡେବ୍ୟୁରେ ମାତ୍ର ୧ ରନ୍ କରିଥିଲେ। ସେ ମାର୍କୋ ଜାନ୍‌ସେନ୍‌ଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଏହାପରେ ଟିମ୍ ଡେଭିଡ୍ ଓ ଭୁବନେଶ୍ୱର କୁମାରଙ୍କ ମଧ୍ୟରେ ଅଷ୍ଟମ ୱିକେଟ୍ ପାଇଁ ୨୧ ରନ୍‌ର ପାର୍ଟନର୍‌ଶିପ୍ ହୋଇଥିଲା। ଭୁବନେଶ୍ୱର(୮)ଙ୍କୁ ସ୍ପିନର୍ ହରପ୍ରୀତ୍ ବରାର୍ ଆଉଟ୍ କରିଥିଲେ। ୟଶ୍ ଦୟାଲ୍ ଖାତା ଖୋଲିବା ପୂର୍ବରୁ ବରାର୍‌ଙ୍କ ପରବର୍ତ୍ତୀ ବଲ୍ ଏଲ୍‌ବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଟିମ୍ ଡେଭିଡ୍ ଶେଷକୁ ଧୂଆଁଧାର ବ୍ୟାଟିଂ କରି ଟିମ୍‌ର ସ୍କୋର୍ ୯୫ ରନ୍‌ରେ ପହଞ୍ଚାଇଥିଲେ। ସେ ଜୋଶ୍ ହେଜଲ୍‌ଉଡ୍ (୦)ଙ୍କ ସହ ଅବିଭାଜିତ ୧୦ମ ୱିକେଟ୍ ପାଇଁ ୩୨ ରନ୍ ଯୋଗ କରିଥିଲେ। ଡେଭିଡ୍ ୨୬ ବଲ୍‌ରେ ୫ ଚୌକା ଓ ୩ ଛକା ସହ ୫୦ ରନ୍ କରି ଅପରାଜିତ ଫେରିଥିଲେ। ପଞ୍ଜାବ ପକ୍ଷରୁ ଅର୍ଶଦୀପ୍ ସିଂହ, ମାର୍କୋ ଜାନ୍‌ସେନ୍‌, ୟୁଜବେନ୍ଦ୍ର ଚହଲ୍ ଓ ହରପ୍ରୀତ୍ ବ୍ରାର୍ ୨-୨ ୱିକେଟ୍ ନେଇଥିବା ବେଳେ ଜାଭିୟର୍ ବାର୍ଟଲେଟ୍‌ଙ୍କୁ ଗୋଟିଏ ସଫଳତା ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking